ଶିଶୁକୁ ଗରମ ଚେଙ୍କ ଦେବା ଘଟଣା ଜେଜେମା ଗିରଫ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଂଚାୟତ ଅଧିନସ୍ଥ ଫୁଣ୍ଡେଲପଡା ଗ୍ରାମର ଜଣେ ଦଶ ଦିନର ଶିଶୁ ଅସୁସ୍ଥ ହେବାରୁ ତାକୁ ଚିକିତ୍ସା ପରିବର୍ତ୍ତେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁ ଦେହରେ ୬୦ରୁ ଅଧିକ ଚେଙ୍କ ଦିଆ ଯାଇଥିଲା । ଏହି ମାମଲାରେ ଗୁରୁବାର ଚନ୍ଦାହାଣ୍ଡି ପୁଲିସ ଶିଶୁର ଜେଜେମାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ଚନ୍ଦାହାଣ୍ଡି ଥାନାରେ କେସ ନଂ ୩୩/୨୫ ଆଧାରରେ ଶିଶୁର ବାପା ସରୋଜ ନାୟକ, ମା ପୂର୍ଣ୍ଣମୀ ନାୟକ ଏବଂ ଜେଜେମା କୁନ୍ତଳା ମଶ୍ରାଙ୍କ ନାମରେ ଏକ ମାମଲା ରୁଜୁ କରି ନିଜେ ଆଇଆଇସି ପ୍ରଶାନ୍ତ କୁମାର କୋଲ୍ଲାହର୍ଷ ଏହାର ତଦନ୍ତ ଦାୟିତ୍ୱ ନେଇଥିଲେ।

ଗୁରୁବାର ଶିଶୁର ଜେଜେମା କୁନ୍ତଳା ମଶ୍ରାଙ୍କୁ ବିଏନଏସର ଧାରା ୧୧୮(୨)/୩(୫)ଏବଂ ୨୩ ଜୁଭେନାଇଲ ଜଷ୍ଟିସ ଆକ୍ଟରେ ଗିରଫ କରି ଝରୀଗାଁ ପ୍ରଥମ ଶ୍ରେଣୀ ବିଚରାପତିଙ୍କ ଅଦାଲତକୁ ଚାଲାଣ କରାଯାଇଥିବା ଆଇଆଇସି କୋଲ୍ଲା ହର୍ଷ ପ୍ରକାଶ କରିଛନ୍ତି। ତେବେ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ ସୂତ୍ରରୁ ଜଣା ପଡିଛି। ପ୍ରକାଶ ଥାଉକି ଶିଶୁ ଜନ୍ମ ହେବାର ଦଶ ଦିନ ପରେ ଅଧିକ କାନ୍ଦୁ ଥିବାରୁ ଶିଶୁକୁ ଚେଙ୍କ ଦେଲେ ସୁସ୍ଥ ହେବ ବୋଲି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁର ବାପା, ମା ଓ ଜେଜେମା ଶିଶୁର ମୁଣ୍ଡ ଓ ପେଟରେ ଚେଙ୍କ ଦେଇଥିଲେ। ଯାହା ଫଳରେ ଶିଶୁ ଗୁରୁତର ହେବାରୁ ପ୍ରଥମେ ଉମରକୋଟ ଓ ପରେ ଜିଲ୍ଲା ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ସିଡ଼ିଏମଓ ଡ଼ଃ ସନ୍ତୋଷ କୁମାର ପଣ୍ଡା ଶିଶୁର ଚିକିତ୍ସା କରିବା ପରେ ଶିଶୁ ସୁସ୍ଥ ହୋଇଥିଲା। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ