ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଊଙ୍କ ପୀଠରେ ହବିଷ୍ୟାଳୀ ଉତ୍ସବ ଉଦଘାଟିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପବିତ୍ର ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ତଥା କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପୀଠରେ କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ତଥା ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ ରବିବାର କାର୍ତ୍ତିକ ହବିଷ୍ୟାଳୀ ବ୍ରତ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଶ୍ରୀବଳଦେବଜୀଊଙ୍କ ମନ୍ଦିର ଝୁଲଣ ମଣ୍ଡପ ପରିସରରେ ଅନୁଷ୍ଠିତ ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ୨ଶହରୁ ଅଧିକ ହବିଷ୍ୟାଳୀ ମା’ମାନଙ୍କୁ ତୁଳସୀକ୍ଷେତ୍ରରେ ଶ୍ରୀମା’ଙ୍କ ଶିବାନନ୍ଦ ଆଶ୍ରମ ପକ୍ଷରୁ ଆୟୋଜିତ ହବିଷ୍ୟାଳି ବ୍ରତ ପାଳନ କରୁଥିବାରୁ ସେମାନଙ୍କର ଶୁଭକାମନା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ନୃସିଂହ ଟିକିଲି ମଠର ମହନ୍ତ ବାବାଜୀ ହୃଷିକେଶ ଦାସ, ଗୁଲନଗର ପଞ୍ଚାୟତର ସରପଞ୍ଚ ସନ୍ଧ୍ୟାରାଣୀ ସାହୁ, ପୂର୍ବତନ ସରପଞ୍ଚ ଅଭିମନ୍ୟୁ ଗୋଛାୟତ, କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ କାର୍ତ୍ତିକ ପଞ୍ଚୁକ ହବିଷ୍ୟାଳୀ ବ୍ରତ ପାଳନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏଥିସହିତ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀ ବ୍ରତ ପାଳନର ବ୍ୟବସ୍ଥା ପାଇଁ ଶ୍ରୀମା’ଙ୍କ ଉଦ୍ୟମକୁ ପ୍ରସଂଶା କରିଥିଲେ । ଆଶ୍ରମ ପକ୍ଷରୁ ବିଗତ ୮ବର୍ଷ ହେବ ଏହି ହବିଷ୍ୟାଳୀ ବ୍ରତର ଆୟୋଜନ କରାଯାଇ ଆସୁଅଛି । ଶେଷରେ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ହବିଷ୍ୟାଳୀମାନେ ଶ୍ରୀଜୀଉଙ୍କ ମନ୍ଦିର ପରିସରରେ ରାଇଦାମୋଦର ବେଶ, ଅଁଳା ବେଢା ପରିକ୍ରମା, ମନ୍ଦିର ପରିକ୍ରମା ପ୍ରଭୃତି କରିବା ପରେ ଝୁଲଣ ମଣ୍ଡପରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ହବିଷ୍ୟାଳୀମାନଙ୍କୁ ଶ୍ରୀମା ଭାଗବତ ଗୀତା ଉପରେ ବହୁ ମୂଲ୍ୟବାନ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିବା ପରେ ଭଜନ ଓ କୀର୍ତ୍ତନ କରାଯାଇଥିଲା । ଏହାପରେ ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ ପରେ ସେମାନେ ବିଶ୍ରାମ ନେଇଥିଲେ । ସନ୍ଧ୍ୟାରେ ହବିଷ୍ୟାଳୀମାନେ ଶ୍ରୀଜୀଉଙ୍କ ଝୁଲଣ ମଣ୍ଡପରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ହବିଷ୍ୟାଳୀ ମା’ମାନେ ଯୋଗଦେଇ ରୀତିନୀତି ଅନୁଯାୟୀ ଈଶ୍ୱର ଆରାଧନା ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଉତ୍ସବ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଚାଲିବ । ଶ୍ରୀମା’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ଦିନ ବହୁ ସାଧୁସନ୍ଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମା’ଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ରହିବା ପାଇଁ ଯାତ୍ରୀନିବାସରେ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କ ଖାଇବା, ସ୍ୱାସ୍ଥ୍ୟ ପରୀକ୍ଷା, ସତସଙ୍ଗ ପ୍ରଭୃତି ସମ୍ପର୍କରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ଯୋଗଦେଇ ବକ୍ତବ୍ୟ ରଖିଥିବା ବେଳେ ଶ୍ରୀବଳଦେବଜୀଉ ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବଳଦେବ ସେନାର ପୁପୁନ ସ୍ୱାଇଁ, ରୀତାଞ୍ଜଳି ନାଥ, ଦୈା୍ରପଦୀ ରାଉତ, ବ୍ରହ୍ମଚାରୀ ନୃସିଂହ ନାଥ ଦାସ ପ୍ରମୁଖ ସହଯୋଗ କରିଥିଲେ ।