ଷଷ୍ଠ ଦିନରେ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜାର ସୋମବାର ଥିଲା ଷଷ୍ଠ ଦିବସ । ଆଗକୁ ବାତ୍ୟାର ସମ୍ଭାବନା ଥିବାରୁ ପ୍ରବଳ ଭିଡ଼ ହୋଇଥିଲା । ଦୁହୁରିଆ ପାଖରୁ ଭିଡ଼ ଆରମ୍ଭ ହୋଇ ଯାଇଥିଲା । ଦୁହରିଆ ବଜାର କମିଟି ପକ୍ଷରୁ ଗଜଲକ୍ଷ୍ମୀ ମୂର୍ତ୍ତି ହୋଇଛି । ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ହୋଇଥିଲା । ଆଇନ୍ ମହାବିଦ୍ୟାଳୟ ନିକଟ ସଦ୍ଭାବନା ପୂଜା କମିଟି, କଲେଜ ଛକ, ତିନିମୁହାଣୀ, ତହସିଲ ବଜାର, ବାୟା ବଜାର, ମହିପାଳ, ବଣିଆମାଳ, ନୂଆ ବସଷ୍ଟାଣ୍ଡ, କାକଟ, ଚାଟରାପାଟଣା, ଗଣାମାହାଲ, ବଣିଆ ସାହି, ବଡ଼ହାଟ, ପୁରୁଣା ବସଷ୍ଟାଣ୍ଡ, ମଢିଆଳ, ବଳଗଣ୍ଡି, ଫର୍ଜନ ଛକ, ସାନ୍ତସାହି, ସାନମଙ୍ଗଳା, ବଡ଼ ମଙ୍ଗଳା ଇତ୍ୟାଦି ସ୍ଥାନରେ ହୋଇଥିବା ଗଜଲକ୍ଷ୍ମୀ ମୂର୍ତ୍ତି ଓ ମେଢ ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଗହଳି ଲାଗି ରହିଥିଲା । ବାଟରେ ଦର୍ଶକମାନେ ଠୁଙ୍କା ପୁରୀ ଖାଇବାର ମଜା ନେଇଥିଲେ । ୨୨ରୁ ବାତ୍ୟା ଆଶଙ୍କା ଥିବା ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ଏବେଠାରୁ ମଜା ନେବା ପାଇଁ ଗାଁ ଗହଳିର ଦର୍ଶକମାନେ ପ୍ରବଳ ଭିଡ଼ ଜମାଇଥିଲେ । ଭିଡ଼ ଏପରି ହୋଇଥିଲା ଯେ ଦୁହୁରିଆରୁ ପୁରୁଣା ବସଷ୍ଟାଣ୍ଡ ଓ ସାନ୍ତ ସାହି ପର୍ଯ୍ୟନ୍ତ ଦୁଇ ଚକିଆ ଗାଡି ମୋଟର ଯିବା ଆସିବା କରିବା କଷ୍ଟକର ହୋଇ ପଡିଥିଲା । କେବଳ ପାଦରେ ଚାଲୁଥିବା ଦର୍ଶକମାନେ ପୁଜା ମଣ୍ଡପରେ ଶୋଭାପାଉଥିବା ମା’ ଲକ୍ଷ୍ମୀଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ପୋଲିସ କର୍ମଚାରୀମାନେ ଧାଡି ଧାଡି ହୋଇ ରାସ୍ତା ମଝିରେ ଛିଡା ହୋଇଥିଲେ । ଫଳରେ ଏକ ଥାକିଆ ରାସ୍ତା ଦୁଇ ଭାଗ ହୋଇଥିଲା ଓ ଟ୍ରାଫିକକୁ ନିୟନ୍ତ୍ରଣ କରାଯାଇଥିଲା । ପୋଲିସ ଏଭଳି ବ୍ୟବସ୍ଥା କରି ନଥିଲେ ଭିଡ଼କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାନ୍ତା ଓ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ବୋଲି କେତେକ ଦର୍ଶକ କହିଛନ୍ତି । ଲୁଟିଆମାନଙ୍କୁ ଧରିବା ପାଇଁ ସାଦା ପୋଷାକରେ ବିଭିନ୍ନ ଛକରେ ପୋଲିସ କର୍ମଚାରୀମାନେ ମୁତୟନ ହୋଇଛନ୍ତି । ଫଳରେ ଦର୍ଶକମାନେ ଲୁଟିଆଙ୍କ ଶିକାର ହୋଇ ନଥିବା ପ୍ରକାଶ କରିଛନ୍ତି । ଦର୍ଶକମାନଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମାଧାନ କରିବା ପାଇଁ ତିନିମୁହାଣୀ, ନୂଆ ବସଷ୍ଟାଣ୍ଡ, ବଡ଼ହାଟ, ପୁରୁଣା ବସଷ୍ଟାଣ୍ଡ, ସାନ୍ତସାହି ଓ ଗରାପୁର ଛକରେ ସ୍ୱାସ୍ଥ୍ୟ କ୍ୟାମ୍ପ ହୋଇଛି । ଏଠାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଦର୍ଶକମାନଙ୍କ ଚିକିତ୍ସା କରୁଛନ୍ତି । ଫଳରେ ଦର୍ଶକମାନେ ମନଭଳି ପୂଜାକୁ ଉପଭୋଗ କରୁଛନ୍ତି । ନୂଆ ବସଷ୍ଟାଣ୍ଡରେ ଦିବ୍ୟାଙ୍ଗମାନଙ୍କ ପକ୍ଷରୁ ସୁନ୍ଦର ଭଜନ ପରିବେଷଣ କରାଯାଇଥିଲା । ସିଦ୍ଧବଳଦେବଜୀଉ ଦିବ୍ୟାଙ୍ଗ ଭଜନ ସମାରୋହ ଅନୁଷ୍ଠାନ ପକ୍ଷରୁ ଏହା ଆୟୋଜନ କରାଯାଇଥିଲା । ଭିନ୍ନକ୍ଷମମାନଙ୍କ କଣ୍ଠରୁ ସୁମଧୁର ସଙ୍ଗୀତ ଶୁଣିବା ପାଇଁ ଦର୍ଶକମାନଙ୍କ ଭରପୁର ଭିଡ଼ ହୋଇଥିଲା ।