ସଂଘର୍ଷ ର ପ୍ରତୀକ

ଧରାପୃଷ୍ଠ ରେ ଯେଉଁ ମହାନ ମହାପୁରୁଷ ମାନେ ଜନ୍ମ ନିଅନ୍ତି ତାଙ୍କର ସମଗ୍ର ଜୀବନ ସମାଜ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ । ସେଥି ମଧ୍ୟରୁ ସୁଭାଷ ଚନ୍ଦ୍ର ବୋଷ ଥିଲେ ଜଣେ ଅନନ୍ୟ ନିସ୍ବାର୍ଥପର ଦେଶପ୍ରେମୀ । ସେ ଜଣେ ଦେଶ ସେବକ, ରାଜନୀତିଜ୍ଞ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବେ ଭାରତୀୟ ଙ୍କ ପାଖରେ ଅମର ହୋଇରହିଯାଇଛନ୍ତି। ତାଙ୍କର ମହତ ଚିନ୍ତାଧାରା ଓ ଜୀବନ ଦର୍ଶନ ସମଗ୍ର ବିଶ୍ୱକୁ ଦିଗଦର୍ଶନ ପ୍ରଦାନ କରୁଛି। ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ କଟକ ର ଓଡ଼ିଆ ବଜାର ଠାରେ ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ । ତାଙ୍କ ପିତା ଥିଲେ ଜଣେ ଆଇନଜୀବୀ । ମାତା ଥିଲେ ଆଧ୍ୟାତ୍ମିକ ଦେଵୀପ୍ରାଣା ମଣିଷ। ସୁଭାଷ ମାତାଙ୍କର ଧର୍ମଭାବରେ ବିଶେଷଭାବରେ ପ୍ରଭାବିତ ହୋଇଥିଲେ । ସୁଭାଷ ଙ୍କ ମାତା ଥିଲେ ରାମକୃଷ୍ଣ ପରମହଂସଙ୍କର ପରମ ଭକ୍ତ । ସେଥିଲାଗି ବାଲ୍ୟକାଳରେ ମାତା ପ୍ରଭାବତୀ ଦେବୀ ସୁଭାଷଙ୍କୁ ଠାକୁର ରାମକୃଷ୍ଣଙ୍କର ସମ୍ପର୍କିତ ବିଷୟ ବସ୍ତୁ କଥା କହୁଥିଲେ । ଶ୍ରୀମଦ୍ ଭାଗବତ ଗୀତା ଓ ବିବେକାନନ୍ଦ ଙ୍କ ଜୀବନ ଦର୍ଶନ ତାଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ସେ ଥିଲେ ଜଣେ ମେଧାବୀ ଛାତ୍ର । ସୁଭାଷ ୧୯୨୦ ମସିହାରେ ବ୍ରିଟିଶ ସରକାର ଙ୍କ ଦ୍ଵାରା ଆୟୋଜିତ ଆଇସିଏସି ପରୀକ୍ଷା ରେ ସମଗ୍ର ଦେଶରେ ଚତୁର୍ଥ ତଥା ଓଡିଶା ରେ ପ୍ରଥମ ସ୍ଥାନ ରେ ରହି ରେକର୍ଡ ସୃଷ୍ଟି କରିଥିଲେ।
୧୯୨୧ ମସିହା ଜୁଲାଇ ୧୬ରେ ସୁଭାଷ ବୋଷ କେମ୍ବ୍ରିଜ ପରିତ୍ୟାଗକରି ବମ୍ବେ ଆସିଥିଲେ। ବମ୍ବେରେ ମହାତ୍ମା ଗାନ୍ଧି ଙ୍କ ସହିତ ଦେଖା କରିଥିଲେ । ସେଠାରେ ସେ ସ୍ୱାଧୀନତା ସଂଗ୍ରାମର ପରିକଳ୍ପନା କଣ ଏବଂ ରୂପାୟନ ସଂପର୍କରେ ଜାଣିବାକୁ ପାଇଲେ । ସେ ଗାନ୍ଧିଜୀଙ୍କୁ କେତକ ପ୍ରଶ୍ନ ପଚାରିଥିଲେ , କାହିଁକି ବିଦେଶୀ ଅମଲାତନ୍ତ୍ର ଆମ ମାନଙ୍କଠାରୁ କ୍ଷମତା ଛଡାଇନେବାକୁ ଚାହୁଁଛନ୍ତି ? ସୁଭାଷଙ୍କର ଆଉଗୋଟିଏ ପ୍ରଶ୍ନ ଥିଲା ଗୋଟିଏ ବର୍ଷ ମଧ୍ୟରେ କେଉଁ ପ୍ରକାର ଉପାୟକୁ ଅବଲମ୍ବନ କରି ଭାରତ ସ୍ୱାଧୀନତା ପାଇବ ? ଗାନ୍ଧିଜୀ ସ୍ପଷ୍ଟ ଭାବରେ ଉତ୍ତର ଦେଇଥିଲେ ଏହା ଅସମ୍ଭବ । ଗାନ୍ଧିଜୀ ଙ୍କ ଠାରୁ ସେ ସନ୍ତୋଷ ଜନକ ଉତ୍ତର ପାଇ ନଥିଲେ। ଏହା ପରେ ସେ କଲିକତାର ରସାରୋଡ଼ରେ ଯାଇ ଚିତ୍ତରଞ୍ଜନଙ୍କ ସହ ସାକ୍ଷାତ କରିଥିଲେ । ଏହା ଥିଲା ତାଙ୍କର ପ୍ରଥମ ସାକ୍ଷାତ୍
ଯେଉଁ ଠାରେ କେହି ତୁମ ଡାକରା ରେ ଆସିବେ ନାହିଁ ତେବେ ଏକା ହିଁ ଚାଲ । ପୂର୍ଣ୍ଣ ସ୍ଵାଧୀନତା ତଥା ସମାଜ ରେ ବସବାସ କରୁଥିବା ଲୋକ ମାନ ଙ୍କୁ ସମାନତା ଓ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟ ରେ ଭାରତ ମାଟିରେ ସାମ୍ରାଜ୍ୟବାଦୀ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ୧୯୩୯ ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ । ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ମାନଙ୍କ କବଳ ମୁକ୍ତ କରିହେବ ବୋଲି ସେ ବିଶ୍ୱାସ କରୁଥିଲେ । ସୁଭାଷଙ୍କର ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ । ବ୍ରିଟିଶ ସରକାର ଙ୍କ ବିରୋଧ ରେ କାର୍ଯ୍ୟକଳାପ ଯୋଗୁଁ ୧୯୨୧ ରୁ ୧୯୪୧ ମସିହା ମଧ୍ୟରେ ସୁଭାଷ ୧୧ଥର ବନ୍ଦି ହୋଇଥିଲେ । ୧୯୪୩ ମସିହା ଅକ୍ଟୋବର ୨୧ ତାରିଖ ରେ ଭାରତବର୍ଷକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଗଠିତ ହୋଇଥିଲା “ଆଜାଦ୍ ହିନ୍ଦ୍ ଫୌଜ” ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବଜ୍ର ଆହ୍ୱାନ ଥିଲା “ମୋତେ ରକ୍ତ ଦିଅ- ମୁଁ ତମକୁ ସ୍ୱାଧିନତା ଦେବି । ନେତାଜୀ ଙ୍କ ର ଏହି ଆହ୍ବାନ ଭାରତୀୟ ସ୍ୱାଧିନତା ସଂଗ୍ରାମରେ ଭରି ଦେଇଥିଲା ଅପୁରଣୀୟ ଶକ୍ତି । ଯାହାର ଫଳସ୍ୱରୂପ କେବଳ ଭାରତ ସମେତ, ସାରା ବିଶ୍ୱରୁ ନେତାଜୀଙ୍କ ଅଭିଯାନ ପାଇଁ ସମର୍ଥନ ମିଳିଥିଲା। ୧୯୪୪ ମସିହାରେ ସିଙ୍ଗାପୁର ଠାରେ ଥିବା ଆଜାଦ ହିନ୍ଦ୍ ରେଡ଼ିଓ ରେ ସୁଭାଷ, ମହାତ୍ମା ଗାନ୍ଧି ଙ୍କୁ ପ୍ରଥମ ଥର ପାଇଁ ଜାତିର ପିତା ବୋଲି ଆଖ୍ୟା ଦିଆଯାଇଥିଲା ।
ବିଶ୍ୱ ଇତିହାସରେ ପ୍ରଥମ ଥର ପାଇଁ ନେତାଜୀଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ମହିଳା ସେନା ବାହିନୀ “ରାଣୀ ଝାନ୍ସି ରେଜିମେଣ୍ଟ” । ଯାହାକି ସୁଭାଷ ବୋଷ ଙ୍କର ମହିଳା ସଶକ୍ତିକରଣ ପାଇଁ ଉଚ୍ଚ ଅଭିଳାଷ ସ୍ପଷ୍ଟ ହୁଏ । ୪୫,୦୦୦ ରୁ ଉର୍ଦ୍ଧ୍ବ ସୈନ୍ୟ ମାନ ଙ୍କୁ ନେଇ ଗଢ଼ିଉଠିଥିବା ଏହି ଆଜାଦ୍ ହିନ୍ଦ୍ ଫୌଜ ପ୍ରଥମ ଥର ପାଇଁ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଉପରେ ଆକ୍ରମଣ କରି ବ୍ରିଟିଶ ସରକାର ଙ୍କୁ ପରାସ୍ତ କରିଥିଲେ। ୧୯୪୩ ମସିହା ଡିସମ୍ବର ୩୦ ତାରିଖ ରେ ସୁଭାଷ ଚନ୍ଦ୍ର ବୋଷ ପୋର୍ଟବ୍ଲେୟର ସ୍ଥିତ ଜିମଖାନା ପଡ଼ିଆ ରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ କୁ ବ୍ରିଟିଶ ଶାସନ ମୁକ୍ତ ହେଲା ବୋଲି ଘୋଷଣା କଲେ ଆଣ୍ଡାମାନ କୁ “ସହିଦ” ଓ ନିକୋବର କୁ “ସ୍ଵରାଜ” ନାମରେ ନାମିତ କଲେ । ସୁଭାଷ ଚନ୍ଦ୍ର ବୋଷ ଏକ ମାତ୍ର ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ଭାବେ ବିଦେଶୀ ରାଷ୍ଟ୍ର ଜର୍ମାନ, ଚୀନ୍, ଜାପାନ, ଇଟାଲି, କୋରିଆ, ଆୟର୍ଲାଣ୍ଡ ଓ ଫିଲିପାଇନସ ପରି ଦେଶ ଗସ୍ତ କରି ଭାରତ ର ସ୍ଵାଧୀନତା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ । ଜଣେ ଓଡ଼ିଆ ଭାବେ ସୁଭାଷ ଙ୍କ ସାହାସ ଓ ପରାକ୍ରମ ତାଙ୍କୁ ବିଶ୍ଵ ନେତା ରୂପେ ପ୍ରତିପାଦନ କରିଛି।
ରଜାସ୍ମିତା ବାରିକ୍
ନୀଳଗିରି,ବାଲେଶ୍ଵର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ