ସଂସଦରେ ଅସଂସଦୀୟ
ଗତ ୨୦ତାରିଖରେ ଶେଷ ହୋଇଥିବା ଅଷ୍ଟାଦଶ ଲୋକସଭାର ପ୍ରଥମ ଶୀତକାଳୀନ ଅଧିବେଶନ ସଂସଦୀୟ ଇତିହାସରେ ଅତି କମ ଉତ୍ପାଦିକା ଏବଂ ସବୁଠାରୁ ତିକ୍ତତାପୂର୍ଣ୍ଣ ଅଧିବେଶନ ବୋଲି କୁହାଯାଇପାରିବ । ଅଧିବେଶନର ଅନ୍ତିମ ଦିବସରେ ଉଭୟ ଶାସକ ଓ ବିରୋଧି ଦଳ ମଧ୍ୟରେ ବିବାଦ ଠେଲାପେଲାରେ ପରିଣତ ହୋଇଥିବାବେଳେ ହାସ୍ୟସ୍ପଦ ଅଭିଯୋଗ ସହ ଶେଷରେ ଥାନାରେ ମାମଲା ପହଁଚିଛି, ଯାହା ଲୋକ ପ୍ରତିନିଧିମାନଙ୍କ ଗାରିମାକୁ କଳଙ୍କିତ କରିଛି ବୋଲି କୁହାଯାଇପାରେ । କହିବା ବାହୁଲ୍ୟ ଯେ, ଗଲା ନଭେମ୍ବର ୨୦ତାରିଖ ଦିନ ଆଦାନୀ ଝଡ ମଧ୍ୟରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ସମ୍ବିଧାନର ଜନକ ଡଃ.ବି.ଆର.ଆମ୍ବେଦକରଙ୍କ ପ୍ରତି ମନ୍ତବ୍ୟ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଉଭୟ ଶାସକ ବିରୋଧୀଙ୍କ ମଧ୍ୟରେ ଠେଲାପେଲାରେ ଅଧିବେଶନ ଶେଷ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଯୁକ୍ତରାଷ୍ଟ୍ର ଆମେରିକାର ଏକ ଅଦାଲତ ଶିଳ୍ପପତି ଗୌତମ ଆଦାନୀଙ୍କୁ ଭର୍ତ୍ସନା ନେଇ ଲୋକସଭାରେ ବିରୋଧି ଦଳର ହଟ୍ଟଗୋଳ ଲାଗି ରହିଥିବାବେଳେ ରାଜ୍ୟସଭାରେ ଅନୁରୂପ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଏବଂ ଗୃହର ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଜଗଦୀପ ଧନକରଙ୍କ ବିରୋଧରେ ବିରୋଧି ଦଳର ଅନାସ୍ଥା ପ୍ରସ୍ତାବ ରାଜନୈତିକ ପରିବେଶକୁ ସରଗରମ କରିଦେଇଥିଲା । ଯାହା ଗୃହର ଅଧ୍ୟକ୍ଷଙ୍କ ଦ୍ୱାରା ଖାରଜ ହୋଇଯାଇଥିଲା । ଆହୁରି ମଧ୍ୟ ଲୋକସଭାରେ ଡଃ ଆମ୍ବେଦରକରଙ୍କ ପ୍ରତି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ତାତ୍ସଲ୍ୟଜନକ ମନ୍ତବ୍ୟକୁ ବିରୋଧି ଦଳ ହାତ ଚୁଡାନକରି ଆଉ ଏକ ପ୍ରସଙ୍ଗ କରିଦେଇଥିଲା । ଏହା ପୂର୍ବରୁ କଂଗ୍ରେସ ବିଦେଶରେ ଭାରତ ବିରୋଧି ଶକ୍ତିମାନଙ୍କ ସମ୍ପର୍କ ରଖିଥିବା ନେଇ ଶାସକ ଦଳର ଅଭିଯୋଗ ଗୃହର ବୈଠକକୁ ଦୀର୍ଘଦିନ ଧରି ଅଚଳ କରିଦେଇଥିଲା । ଯାହାର ପରିଣତି ସ୍ୱରୁପ ରାଜ୍ୟ ସଭାର ମାତ୍ର ୧୯ଟି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ନିର୍ଦ୍ଧାରିତ ସମୟର ମାତ୍ର ୪୩ ଘଂଟା ୨୭ ମିନିଟ୍ ପାଇଁ ବସିଥିଲା । ସେହିପରି ଗୃହର ଉତ୍ପାଦକ ୪୦ ପ୍ରତିଶତରେ ସୀମିତ ରହିଥିଲା । ଲୋକସଭା ୫୪.୫ ପ୍ରତିଶତ ଫଳପ୍ରଦ ହୋଇଥିବାବେଳେ ୨୦ଟି ବୈଠକରେ ମାତ୍ର ୬୧ଘଂଟା ୫୫ମିନିଟ ପାଇଁ ଅନୁଷ୍ଠିତ ହୋଇଥିଲା । ସଂସଦର ଉଭୟ ଗୃହରେ ବିରୋଧି ଦଳର ତୁମୁଳ ହଟ୍ଟଗୋଳ ଏବଂ ଅଧିବେଶନର ବହୁମୂଲ୍ୟ ସମୟ ନଷ୍ଟ ହେବା ଯୋଗୁଁ ରାଜକୋଷରୁ ୮୪ କୋଟି ଟଙ୍କା ପାଣିରେ ପଡିଛି । ଉଲ୍ଲେଖ କରାଯାଇପାରେ ଯେ, ପାର୍ଲିଆମେଂଟର ଅଧିବେଶନ କାଳରେ ପ୍ରତି ମିନିଟକୁ ୨.୫ ଲକ୍ଷ ବ୍ୟୟ ହୋଇଥାଏ । ଏହି ଅର୍ଥ କରଦାତାଙ୍କ ଦ୍ୱାରା ସମୃଦ୍ଧ ରାଜକୋଶରୁ ହିଁ ବ୍ୟୟ ହୋଇଥାଏ । ଆହୁରି ମଧ୍ୟ ଶୀତକାଳୀନ ଅଧିବେଶନରେ ୧୬ଟି ବିଲ୍ ସଂସଦରେ ଅନୁମୋଦିତ ହେବାର ଥିଲା । ଏହି ୧୬ଟି ବିଲ୍ ମଧ୍ୟରୁ ମାତ୍ର ଗୋଟିଏ ବିଲ୍ ବାୟୁଯାନ ବିଧେୟକ ଉଭୟ ଗୃହର ଅନୁମୋଦନ ଲାଭ କରିଥିବାବେଳେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହୋଇଥିଲା । ବହୁ ଚର୍ଚ୍ଚିତ ଏକ ଦେଶ ଏକ ନିର୍ବାଚନ ବିଲ୍ ଲୋକସଭାରେ ଆଗତ ପରେ ଅଧିକ ତର୍ଜମା ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯାଇଛି । ସେହିପରି ପାର୍ଲିଆମେଂଟରେ ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦରେ ଦୁଇ ଦିନ ଧରି ସ୍ୱତନ୍ତ୍ର ଆଲୋଚନା ହୋଇଥିବା ସ୍ୱତନ୍ତ୍ର ଆଲୋଚନା କେବଳ ଆରୋପ ପ୍ରତ୍ୟାରୋପ, ଆକ୍ଷେପ-ପ୍ରତି ଆକ୍ଷେପରେ ସୀମିତ ରହିଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି, ନୂତନ ପାର୍ଲିଆମେଂଟ ଭବନ ଉଦଘାଟିତ ହେବାର ୧୫ମାସ ପରେ ଅଷ୍ଟାଦଶ ଲୋକସଭାର ପ୍ରଥମ ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହୋଇଥିବା ସମୟରେ ଆରମ୍ଭରୁ ଉଷ୍ମ ହୋଇଥିବା ଶେଷରେ ତୀବ୍ର ତିକ୍ତତା ମଧ୍ୟରେ ଶେଷ ହୋଇଥିଲା । ପରିସ୍ଥିତି ଏତେ ଅଣାୟତ ଥିଲା ଯେ, ଉଭୟ ଗୃହର ଅଧିବେଶନ ମାତ୍ର ୧୦୫ ଘଂଟା ବସିଥିଲା । ଏହା ନିସନ୍ଦେହ ଯେ, ଗଣତନ୍ତ୍ରର ପବିତ୍ର ମନ୍ଦିର ଆଲୋଚନାର କ୍ଷେତ୍ର ବଦଳରେ ରଣକ୍ଷେତ୍ରରେ ପରିଣତ ହୋଇଛି । ସଂସଦରେ ସଂଖ୍ୟାର ଖେଳ ଚାଲିଛି । ଦୀର୍ଘ ତଥା ବିସ୍ତୃତ ଆଲୋଚନା ବଦଳରେ ହଁ, ନାଁ ଧ୍ୱନୀ ମଧ୍ୟରେ ଆଇନ ପ୍ରଣୟନ ହେଉଛି । ବିଲ୍ ଗୃହୀତ ହେଉଛି । ଗଣତନ୍ତ୍ରର ପବିତ୍ର ଗ୍ରନ୍ଥ ସମ୍ବିଧାନ ହୋଇସାରିଲାଣି । ହଟ୍ଟଗୋଳ ଯୋଗୁଁ ଗଣତନ୍ତ୍ରର ପବିତ୍ର ମନ୍ଦିର କେବଳ ଗାରିମା ହରାଉନାହି, ନିର୍ବାଚିତ ଲୋକପ୍ରତିମାନେ ସେମାନଙ୍କର ମର୍ଯ୍ୟଦା ହରାଇଛନ୍ତି । ଶୀତ ଅଧିବେଶନରେ ଗଣତନ୍ତ୍ରର ନୂତନ ମନ୍ଦିର ଲୋକ ପ୍ରତିନିଧିମାନଙ୍କ ଆଚରଣ ଓ ଉଚ୍ଚାରଣରେ କେବଳ ହାସ୍ୟସ୍ପଦ ହୋଇନାହିଁ, ସଂସଦରେ ଅସଂସଦୀୟ ବୋଲି କୁହାଯାଇପାରିବ । ଭାରତ ବିଶ୍ୱଗୁରୁ ଓ ବିଶ୍ୱବନ୍ଧୁ ହେବା ଆଶା, ଅ।।କଂକ୍ଷା ମଉଳି ଯିବା ସାର ହେବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,