ସଙ୍କଟପାଲିଆ ଛକ ନିକଟରେ ମିନି ଟ୍ରକ୍ ଧକ୍କାରେ ବାଳକ ମୃତ
ହାଟଡିହି, (ବିକାଶ ବିଶ୍ୱାଳ):ଛେନାପଦି – ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକ ନିକଟରେ ଆଜି ସକାଳ ୧୦ଟା ବେଳେ ଘଟିଛି ଏକ ମିନିଟ୍ରକ୍ ଦୁର୍ଘଟଣା। ହଦଗଡରୁ ଛତୁଆ ବୋଝେଇ କରି ଆସୁଥିବା ଏକ ମିନିଟ୍ରକ ଧକ୍କାରେ ଗୋଟିଏ ୫ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଦୋଳପଦି ଗ୍ରାମର କାଳିଆ ମୁଣ୍ଡାଙ୍କ ପୁଅ ଆକାଶ(ବାଦଲ) ମୁଣ୍ଡା ୫ବର୍ଷ ବୋଲି ଜଣା ପଡିଛି। ସେ ନିଜ ବାପା ମା ଙ୍କ ସହ ସଙ୍କଟ ପାଲିଆ ଗାଁରେ ଚାଲିଥିବା ଏକ ଉତ୍ସବକୁ ବୁଲିବାକୁ ଆସିଥିଲା। ସକାଳେ ଘରକୁ ଫେରିବାକୁ ରାସ୍ତା ପାର ହେଉଥିବା ବେଳେ ଏହି ଟ୍ରକଟି ବାଳକକୁ ଧକ୍କା ଦେଇ ତା ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ବାଳକର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ ଟ୍ରକ ଚାଳକକୁ ଟ୍ରକ ଭିତରେ ଅଟକାଇ ଦେଇଥିଲେ। ଉତ୍ତେକ୍ତ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ହଦଗଡ଼କୁ ଯାତାୟତ ଠପ୍ ହୋଇଯାଇଥିଲା। ଖବର ପାଇ ଆନନ୍ଦପୁର ଏସଡ଼ିପିଓ ପ୍ରଶାନ୍ତ କୁମାର ବେହେରା, ହାଟଡିହି ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ, ଅତିରିକ୍ତ ତହସିଲଦାର ପ୍ୟାରୀ ମୋହନ ହେମ୍ରମ, ସୋସୋ ଥାନା ଆଇଆଇସି ବିଜୟ କୁମାର ବିହାରୀ, ନନ୍ଦିପଦା ଥାନା ଇନ୍ସପେକ୍ଟର ରବିନ୍ଦ୍ର କୁମାର ପାତ୍ର ପ୍ରମୁଖ ପହଞ୍ଚି ଉତ୍ୟେକ୍ତ ଳୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବୁଝାସୁଝା କରିବା ପରେ ଯାଇ ରାସ୍ତାରୋକ ହଟିଥିଲା। ଟ୍ରକ୍ ମାଲିକ ମୃତ ବାଳକର ପରିବାରକୁ ଅର୍ଥିକ ସହାୟତା ପ୍ରଦାନ କରିଥିଲା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ୨୦ହଜାର ଟଙ୍କା ସହାୟତା ଯୋଗାଇ ଦିଆ ଯାଇଛି। ପରେ ପୁଲିସ ମୃତଦେହକୁ ଜବଦ୍ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇ ଥିବା ବେଳେ ଟ୍ରକଟିକୁ ଜବଦ୍ କରି ତଦନ୍ତ ଆରମ୍ଭ କରିଛି।