ସଫା ହେଲାନି କେନାଲ ଗର୍ଭ, ଚାଷୀଙ୍କ ବିଲକୁ ମାଡ଼ୁନି ପାଣି

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ୍‌ ମରେଇଗାଁ ପଞ୍ଚାୟତ ଅଧିନ ୨୫ନଂ ପାଣିପଞ୍ଚାୟତର ଜଗନ୍ନାଥପୁର ମାଇନରେ ଥିବା ପ୍ରାୟ ୨ଶହ ଏକରରୁ ଉର୍ଦ୍ଧ୍ୱ ଚାଷବିଲକୁ ପାଣି ମାଡ଼ୁନଥିବାରୁ ୨ଦିନ ତଳେ ଚାଷୀ ଏସଂକ୍ରାନ୍ତରେ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଉକ୍ତ ୨୫ନଂ ପାଣିପଞ୍ଚାୟତ ବୀରଗୋଡ଼ା ଠାରୁ ଜଗନ୍ନାଥପୁର ଓ ବସନ୍ତିଆ ଅଞ୍ଚଳର ଚାଷୀଙ୍କ ବିଲକୁ ଆଦୌ ପାଣି ଯାଉନଥିବା ଅଭିଯୋଗ ହୋଇଛି। ଶାଖା କେନାଲକୁ ସଫା କରି ପାଣି ମଡ଼ାଇବାର ବ୍ୟବସ୍ଥା କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ସମୟାନୁସାରେ କାର୍ଯ୍ୟକାରୀ ନହେବାରୁ ଆଜି ସନ୍ଧ୍ୟାରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପାଣି ପାଇଁ ହାହାକାର ପଡ଼ିଥିଲା ବେଳେ ଯେଉଁଠି ବି ନାଳ, ଚୁଆ ଆଦି ଥିଲା ସେଥ‌ିରୁ ମୋଟର ଲଗାଇ ବିଲକୁ ଜଳସେଚିତ ବିଲଗୁଡିକ ଏବେ ଶୁଷ୍କ ହେବାକୁ ବସିଲାଣି। ଯାହାର ସୁବିଧା ଅଛି ସେମାନେ ମୋଟର ଲଗାଇ ଚାଷବିଲକୁ ପାଣି ମଡାଉ ଥିବାବେଳେ ଅନ୍ୟ ଚାଷୀମାନେ ହା ହତାଶରେ ଦିନ କାଟୁଛନ୍ତି। ଏବେ ଜଳସଙ୍କଟ ଦେଖା ଦେବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଧାନ ଥୋଡ଼ ବାହାରିବା ସମୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ବର୍ଷା ନଥିବାରୁ ଏଭଳି ଭୟାନକ ପରିସ୍ଥିତିରେ ଚାଷବିଲ ଶୁଖିଲା ପଡ଼ିବାରୁ ଚାଷୀମାନେ ଜଳସେଚନ ବିଭାଗର ଅଧିକାରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏପରି ଅବସ୍ଥାରେ ହାଟଡ଼ିହି ବ୍ଲକର ମରେଇଗାଁ, ଜଗନ୍ନାଥପୁର, ଚଣ୍ଡିଆବିରଞ୍ଚିପୁର, ବସନ୍ତିଆ ଆଦି ଗ୍ରାମରେ ପ୍ରାୟ ୧ଶହରୁ ଉର୍ଦ୍ଧ୍ୱ ଚାଷୀ ପାଣି ନପାଇ ହତାଶ ହୋଇପଡ଼ିଛନ୍ତି। ଚାଷୀଙ୍କ ଚାଷ ଉଜୁଡିବା ପୂର୍ବରୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଯତ୍ନଶୀଳ ହୋଇ ଚାଷକ୍ଷେତକୁ କିପରି ପାଣି ମାଡ଼ିବ ତାହାର ସୁବନ୍ଦୋବସ୍ତ କରିବାକୁ ଚାଷୀଙ୍କ ମହଲରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ