ସମଗ୍ରଶିକ୍ଷା ସପୋର୍ଟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆସିକା, (ୱାଇଏନ୍‍ଏସ୍‍):ସ୍ଥାୟୀ ନିଯୁକ୍ତି ସମେତ ଅନ୍ୟ କେତେକ ଦାବୀ ପୂରଣ ଲାଗି ରାଜ୍ୟ ସଂଘର ଆହ୍ୱାନକ୍ରମେ ସମଗ୍ର ଶିକ୍ଷା ଯୋଜନା ଅଧୀନରେ କାର୍ଯ୍ୟରତ ଥିବା କେତେକ କର୍ମଚାରୀ ଗତ ଜାନୁୟାରୀ ମାସ ୨୯ ତାରିଖ ଠାରୁ ସମୂହ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ୍‍ ହେବା ସହ ଛୁଟିରେ ଚାଲିଯାଇଥିବା ଯୋଗୁଁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ବିଭିନ୍ନ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ୩୬ ଜଣ କନିଷ୍ଠ ଶିକ୍ଷକ, ୯ ଜଣ ଗଣଶିକ୍ଷକ, ନୂତନ ଭାବେ ନିଯୁକ୍ତି ପାଇଥିବା ୭୦ ଜଣ କନିଷ୍ଠ ଶିକ୍ଷକ (ସ୍କିମାଟିକ୍‍), ୧୩ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ (ପିଇଆଇ) ଗତ ଜାନୁୟାରୀ ମାସର ଦରମା ଅଦ୍ୟାବଧି ପାଇବାରୁ ବଂଚିତ ହୋଇଆସୁଥିବା ଜଣାପଡିଛି । ସମଗ୍ର ଶିକ୍ଷା ସପୋର୍ଟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ପ୍ରଭାବରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନାର ବହୁବିଧ କାର୍ଯ୍ୟକ୍ରମ ପ୍ରାୟତଃ ବାଧାପ୍ରାପ୍ତ ହୋଇପଡିଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଶତାଧୀକ ଶିକ୍ଷକ ଗତ ଜାନୁୟାରୀ ମାସର ଦରମା ପାଇବାରୁ ବଂଚିତ ହୋଇଆସୁଥିବା ସଂକ୍ରାନ୍ତରେ ବିଇଓ ମୁନ୍‍ରାଣୀ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଶିକ୍ଷକମାନଙ୍କ ବକେୟା ଥିବା ଜାନୁୟାରୀ ମାସର ଦରମା ଅତିଶୀଘ୍ର ପ୍ରଦାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ସମଗ୍ର ଶିକ୍ଷା ସପୋର୍ଟ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଦରମା ପାଇବାରୁ ବଂଚିତ ଥିବା ବିଭିନ୍ନ ବର୍ଗର ଶିକ୍ଷକମାନେ ସାଂପ୍ରତିକ ପରିସ୍ଥିତିରେ ମହଙ୍ଗା ଯୁଗରେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ଓ ଦୈନନ୍ଦିନ କାର୍ଯ୍ୟ ତୁଲାଇବା କଷ୍ଟସାଧ୍ୟ ହୋଇପଡିଛି । ପୂର୍ବରୁ ସମଗ୍ର ଶିକ୍ଷା ସପୋର୍ଟ କର୍ମଚାରୀମାନଙ୍କ ପ୍ରଚେଷ୍ଟାରେ ବିଭିନ୍ନ ବର୍ଗର ଶିକ୍ଷକମାନେ ସେମାନଙ୍କ ପ୍ରତ୍ୟେକ ମାସର ଦରମା ତାର ପରବର୍ତ୍ତୀ ମାସରେ ପ୍ରତ୍ୟେକ ସପ୍ତାହରେ ପାଇ ଖୁସିରେ ପରିବାର ପ୍ରତିପୋଷଣ କରିଆସୁଥିଲେ । କେବେ ଦରମା ମିଳିବ କାହାକୁ ଅପେକ୍ଷା କରି ବସିଛନ୍ତି ଶତାଧୀକ ଶିକ୍ଷକ । ସମଗ୍ର ଶିକ୍ଷା ସପୋର୍ଟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଇତି ମଧ୍ୟରେ ୨ ମାସ ପୁରିଯାଇଥିଲା ବେଳେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଓ ଅନ୍ୟାନ୍ୟ ଦାବୀ ପୂଣ ଦିଗରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ଥିବା ଆକାଉଣ୍ଟାଣ୍ଟ କମ୍‍ ସପୋର୍ଟ ଷ୍ଟାଫ୍‍ ଏବଂ ଏମ୍‍ଆଇଏସ୍‍ କମ୍‍ ପ୍ଳାନିଂ କୋର୍ଡିନେଟରମାନେ ଦୀର୍ଘ ପ୍ରାୟ ୧୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ସ୍ୱଳ୍ପ ଦରମାରେ ନିଷ୍ଠାର ସହ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ କାମ କରିଆସୁଛନ୍ତି । ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ନକରି ଠିକା କର୍ମଚାରୀ ଭାବେ ସ୍ୱଳ୍ପ ଦରମା ଦେଇ କାମ କରାଉଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ସମଗ୍ର ଶିକ୍ଷା ସପୋର୍ଟ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କର ଦୀର୍ଘ ଦିନର ନ୍ୟାୟୋଚିତ ଦାବୀ ପୂରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । ରାଜ୍ୟ ସରକାର ଦୀର୍ଘ ୧୨ ବର୍ଷ ତଳେ ଓସେପା ଅଧୀନରେ ସମଗ୍ର ଶିକ୍ଷାର ବ୍ଳକସ୍ତରୀୟ ପ୍ଳାନିଂ କୋର୍ଡିନେଟର୍‍ ତଥା ଆକାଉଣ୍ଟାଣ୍ଟ ପୋଷ୍ଟିଂ କରିଥିଲେ । ପ୍ରଥମେ ଆକାଉଣ୍ଟାଣ୍ଟ ମାନଙ୍କୁ ମାସିକ ୫୨୦୦ ଟଙ୍କା ଏବଂ ଏମ୍‍ଆଇଏସ୍‍ ମାନଙ୍କୁ ମାସକୁ ୧୦ ହଜାର ଟଙ୍କା ମିଳୁଥିଲା । ବର୍ତ୍ତମାନ୍‍ ଆକାଉଣ୍ଟାଣ୍ଟ ମାନଙ୍କୁ ମାସକୁ ୧୧୩୦୪ ଟଙ୍କା ଏବଂ ଏମ୍‍ଆଇଏସ୍‍ ମାନଙ୍କୁ ମାସକୁ ୧୪୦୧୦ ଟଙ୍କା ଦରମା ମିଳୁଛି । ଦୀର୍ଘ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଏହି ବର୍ଗର କର୍ମଚାରୀମାନଙ୍କୁ ଅଦ୍ୟାବଧି ସ୍ଥାୟୀ ନିଯୁକ୍ତି କରିନାହାନ୍ତି । ଯାହାରି ଫଳରେ ସାଂପ୍ରତିକ ପରିସ୍ଥିତିରେ ମହଙ୍ଗା ଯୁଗରେ ଏହି କର୍ମଚାରୀମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇ ପରିବାର ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳୁଛି । ପୂର୍ବ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରିଥିବା ବେଳେ ଏହି ବର୍ଗର କର୍ମଚାରୀଙ୍କ କ୍ଷେତ୍ରରେ ତାହା ଲାଗୁ ହୋଇ ନଥିବା ଜଣାପଡିଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସମଗ୍ର ଶିକ୍ଷା ସପୋର୍ଟ କର୍ମଚାରୀମାନଙ୍କ ଦୀର୍ଘ ଦିନର ନ୍ୟାୟୋଚିତ ଦାବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ