ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ଆସିକା-୪୦ର ଦରବୃଦ୍ଧି ଘୋଷଣା ରାଜ୍ୟ ସରକାରଙ୍କ ପ୍ରୟାସକୁ ସମବାୟପ୍ରେମୀ ମହଲରେ ସ୍ୱାଗତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରି ଉନ୍ନତ ମାନର ବୋତଲ ମଦ ଓ ଚିନି ଉତ୍ପାଦନ କରି ସୁଖ୍ୟାତି ଅର୍ଜନ କରିଆସିଥିବା ଆସିକା ସମବାୟ ଚିନିଶିଳ୍ପର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବହୁ କଲ୍ୟାଣକାରୀ ପଦକ୍ଷେପକୁ ସମବାୟପ୍ରେମୀଙ୍କ ଠାରୁ ଆରମ୍ଭ କରି ସଚେତନ ନାଗରିକଙ୍କ ମହଲରେ ସ୍ୱôାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ପରାମର୍ଶକ୍ରମେ ଆସିକା ସମବାୟ ଚିନିଶିଳ୍ପରୁ ପ୍ରସ୍ତୁତ ଦେଶୀସୁରା (ଆସିକା-୪୦) ଯାହା ଓଡିଶା ରାଜ୍ୟ ମଦ ନିଗମର ନିର୍ଦ୍ଦେଶକ୍ରମେ ରାଜ୍ୟର ଖୋର୍ଦ୍ଧା, ନୁର୍ଗୁଣ୍ଡି, ବାଲେଶ୍ୱର ଓ ଚଣ୍ଡିଖୋଲ ମଦ ନିଗମକୁ ନିରନ୍ତର ପ୍ରେରଣ କରାଯାଉଛି । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କେତେକ ଜିଲ୍ଲାର ଆସିକା ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ଉନ୍ନତ ମାନର ଆସିକା-୪୦ ବୋତଲ୍ ମଦକୁ ବିକ୍ରୀ କରାଯାଉଥିଲା ବେଳେ ଅବକାରୀ ବିଭାଗ ସମେତ ସରକାରୀ ସ୍ତରରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଅନ୍ୟ ବିଭାଗ ଗୁଡିକ ନିଜର ଲାଭାଂଶ ରଖି ଅବଶିଷ୍ଟ ଅର୍ଥକୁ ସମବାୟ ଚିନିଶିଳ୍ପକୁ ପୈଠ କରିଥାନ୍ତି । ଆସିକା ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ବୋତଲ୍ ମଦ ଦର ଶେଷ ଥର ପାଇଁ ଗତ ୨୦୧୯ ମସିହାରେ ସ୍ଥିରୀକୃତ ହୋଇଥିଲା । ଆସିକା ସମବାୟ ଚିନିଶିଳ୍ପ ସାଂପ୍ରତିକ ପରିସ୍ଥିତିରେ ଦୈନିକ ପ୍ରାୟ ୩ ଲକ୍ଷ ବୋତଲ୍ ମଦ ଉତ୍ପାଦନ କରି ମଦ ନିଗମକୁ ପ୍ରେରଣ କରିଆସୁଥିଲା ବେଳେ ବୋତଲ୍ ପିଚ୍ଛା ମାତ୍ର ୭୫ ପଇସା ଲାଭାଂଶ ପାଉଥିଲା । ଆଜିକାଲିର ପ୍ରତ୍ୟେକ ସାମଗ୍ରୀର ଅହେତୁକ ଦରଦାମ୍ ବୃଦ୍ଧି ଯୋଗୁଁ ଆସିକା ସମବାୟ ଚିନିଶିଳ୍ପ ଏହି ଦେଶୀ ସୁରା ପ୍ରସ୍ତୁତି ପାଇଁ ଆବଶ୍ୟକ ପଡୁଥିବା ବିଭିନ୍ନ ସାମଗ୍ରୀ କ୍ରୟ କରି ବୋତଲ୍ ମଦ ଉତ୍ପାଦନ କରି ମଦ ନିଗମକୁ ପ୍ରେରଣ କରି ଆସୁଥିଲା । ଆସିକା ସମବାୟ ଚିନିଶିଳ୍ପର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସମବାୟ ଚିନିଶିଳ୍ପ କର୍ତ୍ତୃପକ୍ଷଙ୍କ ସମେତ ନିର୍ବାଚିତ ଜନପ୍ରତିନିଧିଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା କରି ବୋତଲ୍ ମଦ (ଆସିକା-୪୦)ର ଦରବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଓ ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ରାଜ୍ୟ ସରକାର ଆସିକା ସମବାୟ ଚିନିଶିଳ୍ପର ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଚିନିଶିଳ୍ପରୁ ଉତ୍ପାଦିତ ଦେଶୀ ସୁରା (ଆସିକା-୪୦)ର ଦରôବୃଦ୍ଧି ଘୋଷଣା କରିଛନ୍ତି । ପୂର୍ବରୁ ଆସିକା ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ଦେଶୀସୁରା (ଆସିକା-୪୦)ର ବିକ୍ରୟ ମୂଲ୍ୟ ବୋତଲ ପିଚ୍ଛା ୬୦ ଟଙ୍କା ଥିଲା ବେଳେ ବର୍ତ୍ତମାନ ତାହା ୭୦ ଟଙ୍କାକୁ ନିର୍ଦ୍ଧାରଣ ହୋଇଅଛି । ଯାହାରି ଫଳରେ ସମବାୟ ଚିନିଶିଳ୍ପ ସାଂପ୍ରତିକ ପରିସ୍ଥିତିରେ ବୋତଲ୍ ପିଚ୍ଛା ୪.୮୦ ପଇସା ଲାଭ ପାଇବ ବୋଲି ଆଶା କରାଯାଉଛି । ଆସିକା ସମବାୟ ଚିନିଶିଳ୍ପର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସାଙ୍ଗକୁ ଏହି ବର୍ଦ୍ଧିତ ଦର ପୁରାତନ ଶିଳ୍ପାନୁଷ୍ଠାନର ପ୍ରଗତି ପାଇଁ ରାଜ୍ୟ ସରକାରଙ୍କ ନୁଆଁବର୍ଷ ଭେଟି ବୋଲି ସମବାୟପ୍ରେମୀ ମହଲରେ ମତ ପ୍ରକାଶ ପାଉଛି । ଆସିକା ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ଦେଶୀସୁରା (ଆସିକା-୪୦)ର ଦରବୃଦ୍ଧି ଦିଗରେ ପଦକ୍ଷେପ ନେବାକୁ ଗତ ୨୪ ତାରିଖ ଦିନ ଅବକାରୀ ବିଭାଗ, ରାଜ୍ୟ ମଦ ନିଗମ ଓ ସମବାୟ ଚିନିଶିଳ୍ପର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ତଥା ସମବାୟ ବିଭାଗର ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଫିସର ରୂପେ ପରିଚିତ ଥିବା ଡଃ ସୁଶାନ୍ତ କୁମାର ପଣ୍ଡା ଏହି ବୈଠକରେ ଯୋଗଦେଇ ବୋତଲ୍ ମଦର ଦରବୃଦ୍ଧି ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।