ସମସ୍ୟାରେ ଉବୁଟୁବୁ ଆସିକାର ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟ

ଆସିକା, (ଯୁଗାବ୍ଦ ନ୍ୟୁଜ):ପ୍ରାଥମିକ ଶିକ୍ଷା ଓ ଉଚ୍ଚ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ କରି ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରୁଥିଲା ବେଳେ ସଂସ୍କୃତ ଶିକ୍ଷାର ବିକାଶ କ୍ଷେତ୍ରରେ ଆବଶ୍ୟକତା ଅନୁଯାୟୀ ଆନ୍ତରିକତା ଦେଖାଉନଥିବା ଅଭିଯୋଗ ହେଉଛି । ଏ ସଂପର୍କରେ ଖବର ନେବାରେ ଜଣାଯାଏ ସଂସ୍କୃତ ଶିକ୍ଷାର ବିକାଶ ଲାଗି ଆସିକା ଏନ୍‌ଏସି ଅଧିନସ୍ଥ ନିରଞ୍ଜନ ନଗରରେ ୧୮୮୫ ମସିହାରେ ସ୍ଥାପିତ ହୋଇଥିବା ଆସିକା ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟ ଓ ୧୯୮୪ ମସିହାରେ ଗଢିଉଠିଥିବା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ବିଗତ କିଛିବର୍ଷ ହେଲା ନାନା ସମସ୍ୟାରେ ଗତି କରୁଥିଲେ ମଧ୍ୟ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଲାଗିରହିଥିବା ବହୁବିଧ ସମସ୍ୟାକୁ ସମାଧାନ କରିବା ଦିଗରେ ଶିକ୍ଷା ବିଭାଗର ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଆଠଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ମଧ୍ୟରୁ ଦୀର୍ଘଦିନ ହେଲା ସଂସ୍କୃତ ସାହିତ୍ୟ ଓ ଦର୍ଶନ ବିଭାଗର ଅଧ୍ୟାପକ ସାଙ୍ଗକୁ ପିଅନ, ରାତ୍ରଜଗୁଆଳ, ଗ୍ରନ୍ଥାଗାରିକ, କମ୍ପ୍ୟୁଟର ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର ପଦବୀ ଖାଲିପଡ଼ିଥିଲେ ମଧ୍ୟ ତାହାକୁ ପୂରଣ କରାଯାଉନଥିବା ଯୋଗୁଁ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ଉପଯୁକ୍ତ ଜ୍ଞାନ ଆହରଣ କରିବାରୁ ବଞ୍ôଚତ ହୋଇଆସୁଛନ୍ତି । ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଆସିକା ଅଞ୍ଚଳର ଏକ ପୁରାତନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ସରକାରୀ ଉଦାସୀନତା ଅଭାବରୁ ଏହି ମହାବିଦ୍ୟାଳୟ ଦୀର୍ଘ ବର୍ଷ ହେଲା ନାନା ସମସ୍ୟାରେ ଉବୁଟୁବୁ ହେଉଛି । ୧୯୮୪ ମସିହାରେ ସ୍ଥାପିତ ହୋଇଥିବା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଯୁକ୍ତ୨ ଓ ଯୁକ୍ତ୩ ପାଠ୍ୟକ୍ରମ ଅନୁଯାୟୀ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ଶ୍ରେଣୀ ଖୋଲାଯାଇଥିଲା ବେଳେ ଚଳିତ ଶିକ୍ଷାବର୍ଷରେ ୩୨୦ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଅଧ୍ୟୟନରତ ଅଛନ୍ତି । ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ପାଇଁ କମନ୍ ରୁମ୍‌, ସାଇକେଲ୍ ଷ୍ଟାଣ୍ଡ, ଖେଳପଡିଆ, କମ୍ପ୍ୟୁଟର କକ୍ଷ ଇତ୍ୟାଦି ବ୍ୟବସ୍ଥା ନଥିବା ଯୋଗୁଁ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଏପରିକି ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ସ୍ଥାପନର ଦୀର୍ଘ ୪୦ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏହି ପୁରାତନ ଶିକ୍ଷାନୁଷ୍ଠାନରେ କ୍ରୀଡାଶିକ୍ଷକ ନିଯୁକ୍ତି ହୋଇପାରିନଥିବା ଯୋଗୁଁ ବିଦ୍ୟାର୍ଥୀ ମାନେ କ୍ରୀଡା କ୍ଷେତ୍ରରେ ପ୍ରଶିକ୍ଷଣ ପାଇବାରୁ ବଞ୍ôଚତ ହୋଇ ଆସୁଛନ୍ତି । ଅଧ୍ୟାପନା ଦାୟିତ୍ୱରେ ଥିବା ଅଧ୍ୟାପକମାନଙ୍କ ଉତ୍ତମ ଶିକ୍ଷାଦାନ ବ୍ୟବସ୍ଥା ଯୋଗୁଁ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ବିଦ୍ୟାର୍ଥୀମାନେ ଆସି ଏଠାରେ ଅଧ୍ୟୟନ କରୁଛନ୍ତି । ସେହିଭଳି ୧୮୮୫ ମସିହାରେ ସ୍ଥାପିତ ହୋଇଥିବା ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟକୁ ୧୦୦ବର୍ଷ ପୁରି ଯାଇଥିଲେ ମଧ୍ୟ ଏହି ବିଦ୍ୟାଳୟରେ ଲାଗି ରହିଥିବା ବହୁବିଧ ସମସ୍ୟାକୁ ସମାଧାନ କରାଯାଉନଥିବା ଅଭିଯୋଗ ହେଉଛି । ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟରେ ୮ଟି ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ପଦବୀ ମଧ୍ୟରୁ ଦୀର୍ଘ ଦିନ ହେଲା ସ୍ଥାୟୀ ପ୍ରଧାନ ପଣ୍ଡିତ, ଇଂରାଜୀ, ସହକାରୀ ପଣ୍ଡିତ, କଳା ଶିକ୍ଷକ, ବିଜ୍ଞାନ ଶିକ୍ଷକ, ଏମ୍‍ସିଟି ଶିକ୍ଷକ ପଦବୀ ଖାଲି ପଡିଥିଲେ ମଧ୍ୟ ସେଗୁଡିକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ବିଭିନ୍ନ ମହଲରେ ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଛି । ଆସିକା ମେକ୍‍ ମାଇକେଲ ସଂସ୍କୃତ ବିଦ୍ୟାଳୟରେ ଭାରପ୍ରାପ୍ତ ଦାୟିତ୍ୱରେ ଥିବା ପ୍ରଧାନପଣ୍ଡିତଙ୍କୁ ଆର୍ଥିକ କ୍ଷମତା ମିଳିନଥିବା ଯୋଗୁଁ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ମଧ୍ୟ ନାନା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟ ଜଣେ ମାତ୍ର ଭାରପ୍ରାପ୍ତ ପ୍ରଧାନପଣ୍ଡିତ ନିୟୋଜିତ ଥିବା ବେଳେ ଆବଶ୍ୟକୀୟ ଶିକ୍ଷକ ନଥିବା ବେଳେ ସଂସ୍କୃତି ଶିକ୍ଷା ପାଇଁ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହେଉଛି । ଅତୀତରେ ଶିକ୍ଷାଦାନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନର ଏକ ସ୍ୱତନ୍ତ୍ର ପରିଚୟ ଥିବାବେଳେ ଗତ କିଛିବର୍ଷ ହେଲା ଏହି ଶିକ୍ଷାନୁଷ୍ଠାନ ନାନା ସମସ୍ୟାରେ ଗତି କରୁଛି । ଆସିକା ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟରେ ଲାଗି ରହିଥିବା ବହୁବିଧ ସମସ୍ୟାର ସମାଧାନ ଲାଗି କର୍ତ୍ତୃପକ୍ଷ ବହୁବାର ଜିଲ୍ଲା ଓ ରାଜ୍ୟ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ । ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଧ୍ୟାନଦେଇ ମେକ୍ ମାଇକେଲ୍ ସଂସ୍କୃତ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀ ମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଖାଲି ପଡ଼ିଥିବା ଶିକ୍ଷକ ଓ ଅଧ୍ୟାପକ ପଦବୀ ପୂରଣ କରିବା, ମହାବିଦ୍ୟାଳୟ ଓ ଶ୍ରେଣୀ ଗୃହ ପରିସରରେ ଆଲୋକର ସୁବନ୍ଦୋବସ୍ତ କରିବା, ମହାବିଦ୍ୟାଳୟ ପରିସରରେ ଅଡ଼ିଟୋରିୟମ୍‌, କ୍ରୀଡାଶିକ୍ଷକ ନିଯୁକ୍ତି, ଖେଳପଡ଼ିଆ ଓ ସାଇକେଲ୍ ଷ୍ଟାଣ୍ଡ ନିର୍ମାଣ ଦିଗରେ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରେ ଦୃଢ଼ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ