ସମ୍ଭାବ୍ୟ ବାତ୍ୟା “ଦାନା”ର ମୁକାବିଲା ଲାଗି ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ଲାଗି ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ, ବ୍ଲକ ଫାଇନାନ୍ସ ଅଫିସର ଗିରିସ ଚନ୍ଦ୍ର ମହାରଣା ଉପସ୍ଥିତ ରହି ସମସ୍ତେ ବାତ୍ୟା ପୂର୍ବରୁ ଲୋକଙ୍କୁ ସଚେତନ କରିବା ପାଇଁ କହିଥିଲେ । ସମୁଦ୍ର ତଟବର୍ତ୍ତୀ ଅଂଚଳ ଗୁଡିକରେ ସମୁଦ୍ର ମଧ୍ୟକୁ ମତ୍ସ୍ୟଜିବୀ ମାନଙ୍କୁ ସୁଦ୍ର ମଧ୍ୟକୁ ମାଛ ମାରିବାକୁ ଯିବାକୁ ବାରଣ କରାଯିବା ସହିତ ସେମାନେ ସେମାନଙ୍କ ଡଙ୍ଗା, ଜାଲ ଆଦିକୁ ସୁରକ୍ଷିତ ଭାବେ ରଖିବା ପାଇଁ ସଚେତନ କରିବାକୁ କହିଥିଲେ । ଏହାସହ ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଛତ୍ରପୁର ବ୍ଲକରେ ଅତିରିକ୍ତ ୯୩ ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି । ସେଗୁଡିକୁ ମଧ୍ୟ ପ୍ରସ୍ତୁତ କରି ରଖିବା ପାଇଁ ବୈଠକରେ ଆଲୋଚନା ହୋଇଛି । ବ୍ଲକର ବିଭିନ୍ନ ସ୍ଥାନରେ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି, ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପରେ ସେମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ବୈଠକରେ ବିଡିଓ ଶ୍ରୀ ବରାଳ ନିର୍ଦ୍ଦେଶ ଦେଇଥିଲେ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନଦୀ, ପୋଖରୀ ସମେତ ବିଭିନ୍ନ ଜଳାଶୟକୁ ଲୋକେ ନ ଯିବା ପାଇଁ ସଚେତନ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ସେହିପରି ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରାଯାଇଛି । ଆବଶ୍ୟକ ପଡିଲେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଛତ୍ରପୁର ପଂଚାୟତ ସମିତିର ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ ମାନଙ୍କ ସହିତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।