ସରକାରୀ ଜମିରୁ ବେଆଇନ ଦଖଲ ହଟିବା ନେଇ ଛନକା

ବନ୍ତ, (ଚାନ୍ଦିନୀ ମହାନ୍ତି):ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବା ନେଇ ରାଜ୍ୟ ସରକାର ସମସ୍ତ ଜିଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ତହସିଲ ଅଧିନରେ ବହୁ ସରକାରୀ ଜମି ଜବର ଦଖଲ ହୋଇଥିବା ବେଳେ ଜବର ଦଖଲକାରୀଙ୍କ ମଧ୍ୟରେ ଛନକା ପଶିଛି । ପ୍ରକାଶ ଯେ, ଏହି ତହସିଲର ମୋଟ କ୍ଷେତ୍ରଫଳ ୬୦ ହଜାର ୭ ଶହ ୭୭.୭୦ ଏକର ହୋଇଥିବା ବେଳେ ସେଥିମଧ୍ୟରୁ ୫ ହଜାର ୫ ଶହ ୬୧.୧୭ ଏକର ସରକାରୀ ଜମି ରହିଛି । ସେଥିମଧ୍ୟରେ ଗୋଚର ଜମି ୧୮୪୫.୯୮ ଏକର, ଅନାବାଦୀ ୮୦୩.୪୨ ଏକର, ପିଡବ୍ଲ୍ୟୁଡି ୧୯୪.୬୪ ଏକର, ଶ୍ମଶାନ ୧୮୩.୦୪ ଏକର, ଗ୍ରାମ୍ୟ ଜଙ୍ଗଲ ୧୪୮୩.୩୭ ଏକର, ସର୍ବସାଧାରଣ ଜମି ୯୦୬.୧୯ଏକର, ବସ୍ତି ଯୋଗ୍ୟ ଜମି ୧୪୪.୫୩ ଏକର ରହିଛି । ତେବେ ବିଭିନ୍ନ ସ୍ଥାନରେ ଶହ ଶହ ଏକର ସରକାରୀ ଜମି ଜବର ଦଖଲ ହୋଇଥିବା ନଜରକୁ ଆସିଛି । ଗୋଚର ଜମିକୁ ଜବର ଦଖଲ କରିବା ଫଳରେ ଗୋରୁଗାଈ ମାନଙ୍କ ପାଇଁ ଚାରଣ ଭୂମିର ଅଭାବ ପରିଲକ୍ଷିତ ହୋଇଛି । ବିଭିନ୍ନ ସ୍ଥାନରେ ଗ୍ରାମ୍ୟ ଜଙ୍ଗଲ ଓ ଶ୍ମଶାନ ଜମିକୁ ଜବର ଦଖଲ କରି ଚାଷ ଜମିରେ ପରିଣତ କରାଯାଇଛି । ଏପରିକି ଅନାବାଦି, ଗୋଚର, ଜଙ୍ଗଲ ଜମିରେ ବେଆଇନ ଭାବେ ଘର ତିଆରି କରାଯାଇଛି । ଏଥିନେଇ ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ତହସିଲ ଓ ଜିଲା ପ୍ରଶାସନ ଠାରେ ଅଭିଯୋଗ ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିଲା । ଏବେ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ ପରେ ଜବର ଦଖଲକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅପରପକ୍ଷେ ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପାଇ ନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ