ସରକାର ଅଧ୍ୟାପକମାନଙ୍କ ଧର୍ଯ୍ୟ ପରୀକ୍ଷା କରନ୍ତୁ ନାହିଁ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜରେ ଷ୍ଟେଟ ସେଲେକ୍ସନ ବୋର୍ଡ଼ (ଏସଏସବି) ଦ୍ୱାରା ନିଯୁକ୍ତି ପାଇଥିବା ୧୧ ଜଣ ଅଧ୍ୟାପକ ଓ ଅଧ୍ୟାପିକା ରାଜ୍ୟ ସଙ୍ଘ ନିର୍ଦ୍ଦେଶ କ୍ରମେ ସେମାନଙ୍କ ଗ୍ରେଡ ପେ ୪୬୦୦ ରୁ ୫୪୦୦ କୁ ବୃଦ୍ଧି କରିବା ପାଇଁ ଦାବିକରି ଗତ ଗୁରୁ ଦିବସ ସେପ୍ଟେମ୍ବର ୫ ତାରିଖ ଠାରୁ କଳା ବ୍ୟାଜ ପରିଧାନ କରି ଶିକ୍ଷାଦାନ କରି ନିରବ ପ୍ରତିବାଦ ଜଣାଇ ଆସୁଛନ୍ତି। ରାଜ୍ୟ ସଙ୍ଘର ନିର୍ଦ୍ଦେଶ କ୍ରମେ ଦ୍ଵାଦଶ ଦିବସ ସେପ୍ଟେମ୍ବର ୧୬ ତାରିଖ ଠାରୁ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ କଳା ବ୍ୟାଜ ପରିଧାନ କରି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ର ସମ୍ମୁଖରେ ୫ ମିନିଟ ନିରବ ପାର୍ଥନା କରି ଶିକ୍ଷାଦାନ ପ୍ରଦାନ କରି ଦ୍ଵିତୀୟ ପର୍ଯ୍ୟାୟ ନିରବ ପ୍ରତିବାଦ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଗ୍ରେଡପେ ୫୪୦୦ ଟଙ୍କାକୁ ବୃଦ୍ଧି କରିବା ନ୍ୟାଜ୍ୟ ଦାବି ହୋଇଥିବା ବେଳେ ଓ ଶାନ୍ତିପୂର୍ଣ୍ଣ ଭାବେ ଶିକ୍ଷାଦାନ କରି ଦାବି ଜଣାଉ ଥିବା ଯୋଗୁଁ ଜନସାଧାରଣ ଦାବିକୁ ସମର୍ଥନ ଜଣାଇଛନ୍ତି। ରାଜ୍ୟ ସରକାର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଧର୍ଯ୍ୟର ସୀମା ପରୀକ୍ଷା ନକରି ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ ପୂର୍ବରୁ ସେମାନଙ୍କ ଗ୍ରେଡ ପେ ତୁରନ୍ତ ବୃଦ୍ଧି କରିବା ଦରକାର ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।