ସହରକୁ ସ୍ବଚ୍ଛ ରଖିବାକୁ ଶିକ୍ଷାର୍ଥୀଙ୍କ ଶପଥ ପାଠ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୫ ତମ ଜନ୍ମ ଜୟନ୍ତୀ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଯୁବ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ କରାଯାଇଛି । ପବିିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ପୌରାଞ୍ଚଳ ଓ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ମହାଆଡମ୍ବର ସହକାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ଶିକ୍ଷାର୍ଥୀ ମାନେ ସ୍ବଚ୍ଛତା ସମ୍ବନ୍ଧୀୟ ସ୍ଳୋଗାନ ଦେଇ ନଗର ପରିକ୍ରମା କରିବା ସହ ଜନସଚେତନତା ସୃଷ୍ଟି କରିଥିଲେ । ପରେ ବିଦ୍ୟାଳୟ ପରିସରରେ ସଭାର ଆୟୋଜନ କରାଯାଇ ଗ୍ରାମ୍ୟ ପରିବେଶକୁ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁର ସଂଗ୍ରହ ଓ ପୃଥକୀକରଣ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ନିଷିଦ୍ଧ ହୋଇଥିବା ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର ଏବଂ ଏହାର କୁପ୍ରଭାଵ ଉପରେ ଆଲୋଚନା ହୋଇଥିଲା। ଶିକ୍ଷାର୍ଥୀ ମାନେ ସହର ଓ ନିଜ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଶପଥ ପାଠ କରିଥିଲେ। ବିଭିନ୍ନ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍ଥାନୀୟ ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ଆଙ୍କୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓମ୍ ଶ୍ରୀ ଇଣ୍ଟର ନ୍ୟାସନାଲ ସ୍କୁଲ, ସ୍ଥାନୀୟ ବ୍ଳକ ଶାସନଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବୁରୁପୋଡା ଭଗବତୀ ବିଦ୍ୟାପୀଠ, ପୋଡିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟ, ଆଲପୁର ଉଚ୍ଚ ବିଦ୍ୟାଳୟ, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟ, ଦୁର୍ବନ୍ଧ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମେତ ସ୍ଥାନୀୟ ପୌରାଞ୍ଚଳ ଓ ବ୍ଳକର ବହୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ମହାଆଡମ୍ବର ସହକାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଥିଲା ।