ସାତକୋଶିଆରୁ ଫେରିଗଲା ସୁନ୍ଦରୀ-ମରିଗଲା ମହାବୀର, ଏଯାଏଁ ଦୋଷୀଙ୍କ ବିରୁଦ୍ଧରେ ହେଲାନି କାର୍ଯ୍ୟାନୁଷ୍ଠାନ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ପୁଣି ମହାବଳ ବାଘ ଫେରିବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଶିମିଳିପାଳକୁ ଦୁଇଟି ବାଘୁଣୀ ଆସିସାରିଥିବା ବେଳେ ଖୁବ୍‌ଶୀଘ୍ର ସାତକୋଶିଆରେ ମଧ୍ୟ ଅନ୍ୟ ରାଜ୍ୟରୁ ବାଘ ଆଣି ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଛି। ନୂଆ ଅତିଥିଙ୍କ ସ୍ୱାଗତ ପାଇଁ ପୂରା ସାତକୋଶିଆ ଉତ୍ସୁକତାର ସହ ଚାହିଁ ରହିଥିଲେ ହେଁ ପୂର୍ବ ପ୍ରକଳ୍ପର ବିଫଳତା ପୁଣି ଥରେ ଆହ୍ୱାନପୂର୍ଣ୍ଣ ସ୍ଥିତି ଛିଡ଼ା କରାଇଛି। ଅନ୍ୟପଟେ ୨୦୧୮ ମସିହାରେ ବନ ବିଭାଗ ଏଭଳି ଉଦ୍ୟମ କରି ସମ୍ପୂର୍ଣ୍ଣ ବିଫଳ ହେବା ଓ ଏଥିରେ ବହୁ ଅଧିକାରୀଙ୍କ ଅବହେଳା ପଦାରେ ପଡ଼ିଥିଲେ ମଧ୍ୟ ଏଥିପାଇଁ କେହି ଉତ୍ତରଦାୟୀ ନ ରହିବା ସ୍ଥିତିକୁ ଆହୁରି ଗୋଳମାଳିଆ କରୁଛି। ଏସବୁ ଭିତରେ ସାତକୋଶିଆ ପାଇଁ ପୁନର୍ବାର ଯେଉଁ ସୁନେଲି ସ୍ୱପ୍ନ ବନ ବିଭାଗ ଦେଖାଉଛି, ତାହା କେତେ ସଫଳ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶାରେ ମହାବଳ ବାଘ ବଂଶ ବୃଦ୍ଧି କରିବା ଓ ବ୍ୟାଘ୍ରଶୂନ୍ୟ ହେବାକୁ ବସିଥିବା ସାତକୋଶିଆର ଗରିମା ଅକ୍ଷୁଣ୍ଣ ରଖିବା ଉଦ୍ୟମରେ ୨୦୧୮ ମସିହାରେ ମଧ୍ୟପ୍ରଦେଶରୁ ୨ଟି ମହାବଳ ବାଘ ମହାବୀର ଓ ସୁନ୍ଦରୀକୁ ଅଣାଯାଇଥିଲା। ରାଜ୍ୟରେ ପ୍ରଥମ ଥର ପାଇଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ଏହି ପଦକ୍ଷେପ ନିଆଯାଇଥିଲା। ହେଲେ ଏଠାରେ ଅତି ଚତୁରତାର ସହ ମହାବୀର ବାଘକୁ ଶିକାରୀମାନେ ଲୁହା ତାର ଫାଶରେ ଶିକାର କରିଥିଲେ। ପରବର୍ତ୍ତୀ ସମୟରେ ସୁନ୍ଦରୀ ବାଘୁଣୀ ମଣିଷ ମାରିଥିବା ନେଇ ସ୍ଥାନୀୟ ଲୋକେ ଦାବି କରିବା ସହ ପ୍ରବଳ ଜନଅସନ୍ତୋଷ ଆଗରେ ହାର୍‌ ମାନି ବନ ବିଭାଗ ଏହି ବାଘକୁ ମଧ୍ୟପ୍ରଦେଶକୁ ଫେରାଇ ଦେବାକୁ ବାଧ୍ୟ ହୋଇଥିଲା। ଏଭଳି ବିଫଳତାପୂର୍ଣ୍ଣ ଘଟଣା ପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପରେ ରାଜ୍ୟ ବନ ବିଭାଗର ଅପରାଗତା ପଦାରେ ପଡ଼ିଥିଲା। କାରଣ ତତ୍କାଳୀନ ସାତକୋଶିଆ କ୍ଷେତ୍ର ନିର୍ଦେଶକ ମହାବୀରକୁ ଶିକାରୀମାନେ ମାରିଥିବା କଥାକୁ ମାନି ନ ଥିଲେ, କିନ୍ତୁ ଏନ୍‌ଟିସିଏ ତା’ର ଅନୁସନ୍ଧାନରୁ ମହାବୀର ଫାଶରେ ପଡ଼ି ମରିବା ଏବଂ ଟ୍ରାକିଂ ଠିକ୍‌ ଭାବରେ ହୋଇ ନ ଥିଲା ବୋଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଏମିତି କି ଏହି ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟା ଓ ଏହି ପ୍ରକଳ୍ପରେ ଆର୍ଥିକ ଅନିୟମିତତାର ମଧ୍ୟ ଗନ୍ଧ ଉଠିଥିଲା। ସାତକୋଶିଆରେ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ପାଇଁ ପ୍ରାୟ ୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଗୋଟିଏ କାମ ପାଇଁ ମଞ୍ଜୁର ହୋଇଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରିବା କଥା ଖୋଦ୍‌ ଏନ୍‌ଟିସିଏ ଧରିଥିଲା ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଏନ୍‌ଟିସିଏ ରିପୋର୍ଟରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଅଧିକାରୀମାନଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲା। କେବଳ ସେତିକି ନୁହେଁ, ୨୦୦୭ ମସିହାରେ ସାତକୋଶିଆରେ ୧୨ଟି ମହାବଳ ବାଘ ଥିଲେ। କିନ୍ତୁ ୨୦୧୮ ରେ ମଧ୍ୟପ୍ରଦେଶରୁ ୨ଟି ବାଘ ଆଣି ଛାଡ଼ିବା ବେଳକୁ ଏଠାରେ ମାତ୍ର ଗୋଟିଏ ବାଘୁଣୀ ଥିଲା। ପୂର୍ବରୁ ଥିବା ଏତେ ବାଘ ଏଠାରୁ କୁଆଡେ଼ ଗଲେ ବା କିଏ ମାରିଲା ସେଇ କୌଣସି ଘଟଣା ଲୋକଲୋଚନକୁ ଆସିଲା ନାହିଁ। ଏସବୁ ଭିତରେ ସାତକୋଶିଆକୁ ମଧ୍ୟପ୍ରଦେଶରୁ ମହାବଳ ବାଘ ଅଣାଯିବାକୁ ଇତିମଧ୍ୟରେ ୬ବର୍ଷ ବିତିଯାଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଫଳତା ପାଇଁ ଜଣଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ପୁଣିଥରେ ସାତକୋଶିଆକୁ ତା’ର ପୂର୍ବ ଗୌରବ ଫେରାଇବା ପାଇଁ ବନ ବିଭାଗର ପୁନଃପ୍ରୟାସ ପରିବେଶବିତ୍‌ ଏବଂ ବୁଦ୍ଧିଜୀବୀ ମହଲରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ