ସିଆର୍ପିଏଫ୍ ଜବାନ୍ଙ୍କ ଅସୁସ୍ଥତାଜନିକ ମୃତ୍ୟୁ
ଆସିକା, (ୱାଇଏନ୍ଏସ୍):ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମର ପୂର୍ବବାଡ ସାହିର ସିଆର୍ପିଏଫ୍ ଜବାନ୍ ନାରାୟଣ ଗୌଡଙ୍କ ଅସୁସ୍ଥତାଜନିତ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ସିଆର୍ପିଏଫ୍ ପକ୍ଷରୁ ଶେଷ ସଲାମୀ ଦିଆଯାଇଥିବା ଦେଖିବାକୁ ମିଳିଛି । ଜୟପୁର ଗ୍ରାମର ବୀର ଜବାନ୍ ନାରାୟଣ ଗୌଡ (ବୟସ ପ୍ରାୟ ୪୨ ବର୍ଷ) ଗତ ୨୦୦୭ ମସିହାରେ ସିଆର୍ପିଏଫ୍ କନେଷ୍ଟେବଲ୍ ରୂପେ ସମ୍ବଲପୁରରେ କାର୍ଯ୍ୟରେ ଯୋଗଦେଇଥିଲେ । ସେ ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ବ୍ରହ୍ମପୁରରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସିଆର୍ପିଏଫ୍ ଜବାନ୍ ନାରାୟଣ ଗୌଡଙ୍କ ମରଶରୀର ଜୟପୁର ଗ୍ରାମରେ ପହଞ୍ଚିବା ପରେ ପରିବାରବର୍ଗ, ଆତ୍ମୀୟସ୍ୱଜନଙ୍କ କାନ୍ଦବୋବାଳିରେ ଗ୍ରାମ୍ୟ ପରିବେଶ ଫାଟିପଡିଥିଲା । ବୀର ଜବାନ୍ ନାରାୟଣ ଗୌଡ ଅମର୍ ରହେ ଧ୍ୱନିରେ ଗ୍ରାମ୍ୟ ରାସ୍ତା ପ୍ରକମ୍ପିତ ହୋଇପଡିଥିଲା ବେଳେ ପବିତ୍ର ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା । ଅସୁସ୍ଥତାରୁ ପରଲୋକଗମନ କରିଥିବା ଜୟପୁର ଗ୍ରାମର ବୀର ଜବାନ୍ ନାରାୟଣ ଗୌଡଙ୍କ ଅନ୍ତିମ ଯାତ୍ରାରେ ବହୁ ଗ୍ରାମବାସୀ, ପରିବାରବର୍ଗ, ଆତ୍ମୀୟସ୍ୱଜନ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ବୀର୍ ଜବାନ୍ ନାରାୟଣ ଗୌଡଙ୍କ ଅସୁସ୍ଥତାଜନିତ ଅକାଳ ବିୟୋଗରେ ବ୍ରିଗେଡିୟର୍ ଅଭିମନ୍ୟୁ ରାଉତ, ଜୟପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ସଂଜୟ କୁମାର ଜେନା, ସମାଜସେବୀ ସୁବ୍ରତ ମହାରଣା, ମନୋଜ ଗୌଡ, ମୁନା ପାତ୍ର, ରାଘବ ଗୌଡ, ସୁଚିତ୍ରା ମହାରଣା, ପ୍ରଶାନ୍ତ ଗୌଡ, ମହେଶ୍ୱର ଗୌଡ, କୁଶ ମହାନ୍ତି, ପଂକଜ କାମ୍ପ, ସିଦ୍ଧାର୍ଥ ସାମଲ, ସଂଜୟ ନାୟକ, ସନ୍ଦୀପ ଲେଙ୍କା ସମେତ ବହୁ ଗ୍ରାମବାସୀ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିବା ଜଣାପଡିଛି ।