ସ୍ମାରକୀ ପରିଷଦ ଓ ସୁରକ୍ଷା ମଞ୍ଚ ପକ୍ଷରୁ ମହତାବ ଜୟନ୍ତୀ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡା ଠାରେ ବିଭିିନ୍ନ ଅନୁଷ୍ଠାନ ପକ୍ଷରୁ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଭଦ୍ରକ ମହତାବ ସ୍ମାରକୀ ପରିଷଦ ଏବଂ ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ କୁଆଁଶମଢିଆସ୍ଥିତ ମହତାବଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ପରିଷଦର ସଭାପତି ଡଃ.ଭାଗବତ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଭଦ୍ରକର ବିଶିଷ୍ଟ ସମାଜସେବୀ ଅଜୟ ନାୟକ ଯୋଗ ଦେଇ ଡ.ହରେକୃଷ୍ଣ ମହତାବ ବିଭିନ୍ନ ଗୁଣର ଅଧିକାରୀ ଥିବା ବେଳେ ଯଥାଶ୍ରୀଘ୍ର ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ । ଏଥିସହ ଭଦ୍ରକ କଲେଜକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଏବଂ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇ ମହତାବଙ୍କ ନାମରେ ନାମିତ କରାଗଲେ ତାହା ତାଙ୍କ ପ୍ରତି ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପରିଷଦର ସମ୍ପାଦକ ଡଃ.କ୍ଷୀରୋଦ ସାମଲ, ସଂଯୋଜକ ବିଚିତ୍ରା ନନ୍ଦ ମହାନ୍ତି, ଇଂ. ମଧୁସୂଦନ ସାହୁ, ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ, ଆଇନଜିବୀ ଅଗଣି ଜେନା, ସନ୍ତୋଷ ମହାନ୍ତି ଯୋଗ ଦେଇ ମହତାବଙ୍କ ଗୁଣଗାନ କରିଥିଲେ । ଏହି ଅବସରରେ ଆଗରପଡା ସୁରକ୍ଷା ମଞ୍ଚ ପକ୍ଷରୁ ସମ୍ପାଦକ କୈଳାସ ଚନ୍ଦ୍ର ଧଳଙ୍କ ତତ୍ତ୍ୱାବଧାନରେ ଏକ ସଚେତନତା ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ କଲେଜ ଛକସ୍ଥିତ ମହତାବଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ରଞ୍ଜନ ଦାସ, ଚିତ୍ତ ରଞ୍ଜନ ସାମନ୍ତରାୟ, ବିଷ୍ଣୁ ପ୍ରସାଦ ଜେନା, ରାମ ଚନ୍ଦ୍ର ଦାସ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ । ସେହିପରି ନ୍ୟାସନାଲ ଏଡସ୍ କଣ୍ଟ୍ରୋଲ ଅର୍ଗାନାଇଜେସନ୍ ପକ୍ଷରୁ ମହମ୍ମଦ୍ ସୌକତ ଖାନ୍ ମହତାବଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆପ୍ତିରା ୟୁଜିଏମଇ ସ୍କୁଲରେ ମହତାବ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷକ ଗୋପିନାଥ ଦାଶଙ୍କ ସଂଯୋଜନା ତଥା ଶିକ୍ଷକ ପ୍ରଭାତ କୁମାର ନାୟକଙ୍କ ସହଯୋଗରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ମହତାବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଛାତ୍ରଛାତ୍ରୀ ମାନେ ମହତାବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ତଥା ରାଜ୍ୟର ସାମଗ୍ରିକ ବିକାଶରେ ସାମିଲ ହେବାକୁ ଶିକ୍ଷକ ଗୋପିନାଥ ଦାଶ ପରାମର୍ଶ ଦେଇଥିଲେ । ସେହିପରି ମହତାବ କ୍ଲବ ପକ୍ଷରୁ ମଧ୍ୟ ଏହି ଜୟନ୍ତୀ ପାଳିତ ହୋଇଯାଇଛି ।