ହତ୍ୟାକାଣ୍ଡର ରହସ୍ୟ ଖୋଲୁଛି ଅଭିଯୁକ୍ତ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ସୋସୋ ଥାନା କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ତଥା ବଉଳା ଫାଣ୍ଡିର ଗ୍ରାମରକ୍ଷୀ ନିରଞ୍ଜନ ପାତ୍ରଙ୍କୁ ହତ୍ୟା ଘଟଣାକୁ ୧ବର୍ଷ ବିତିଥିଲେ ସୁଦ୍ଧା ଏବେ ବି ସମସ୍ତ ହତ୍ୟା ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇନି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ଗ୍ରାମବାସୀମାନେ କିଛିଦିନ ପୂର୍ବେ ଅନ୍ୟତମ ଅଭିଯୁକ୍ତ ଭଅଁରା ଗ୍ରାମର ଗୌରାଙ୍ଗ ନାଏକଙ୍କ ପୁଅ ବିକାଶ ଓରଫ ଗଞ୍ଜାକୁ ଧରି ପୁଲିସ ଜିମା ଦେଇଥିବା ଉକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ଗାଁ ଲୋକେ ଭଅଁରା ଗ୍ରାମର ସ୍ବର୍ଗତଃ ସଦା ବଉଳପାଳିଆଙ୍କ ପୁଅ ରୁନା ଓରଫ ଘାଲୁକୁ ଭଦ୍ରକ ରେଳଷ୍ଟେସନରୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି। ଏହି ହତ୍ୟାକାଣ୍ଡ ପରେ ଗଞ୍ଜା ଗାଁରେ ରହୁନଥିବା ବେଳେ ବର୍ଷେ କାଳ ଘାଲୁ ମଧ୍ୟ ଫେରାର ହୋଇ ତାମିଲନାଡୁରେ ଲୁଚିଥିଲା। ଗୌରାଙ୍ଗ ନାଏକଙ୍କ ପୁଅ ଗଞ୍ଜା ଧରା ପଡ଼ିବାରୁ ସତ୍ୟାସତ୍ୟ ଘଟଣା ଜାଣିବାକୁ ଗୌରାଙ୍ଗ ଘାଲୁକୁ ଡ଼ାକିଥିଲେ। ପରିବାର ଲୋକେ ଘାଲୁ ଆସୁଥିବା ଜାଣିପାରି ମଙ୍ଗଳବାର ରାତ୍ର ସମୟରେ ଭଦ୍ରକ ଷ୍ଟେସନରୁ ଘାଲୁକୁ କାବୁ କରି ଆଣି ସୋସୋ ପୁଲିସରେ ଜିମା ଦେଇଛନ୍ତି। ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନେ ଏବେବି ଖୁଲାମ ଖୁଲା ବୁଲୁଥିବା ବେଳେ ସେମାନଙ୍କୁ ପୁଲିସ ତୁରନ୍ତ ଗିରଫ କରୁ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ଘାଲୁର ମାଆ ପାଳଙ୍ଗ ବଉଳପାଳିଆ କହିଛନ୍ତି କି, ମୋ ପୁଅ ମଦ ନିଶାରେ କେବଳ ତାଙ୍କ ସହିତ ଯାଇଥିଲା କିନ୍ତୁ ସେ ହତ୍ୟା କରିନାହିଁ ସେ ନିର୍ଦ୍ଦୋଶ ବୋଲି କହିଛି । କିନ୍ତୁ ରୁନା ବିଭତ୍ସ ହତ୍ୟାକାଣ୍ଡର କାହାଣୀ ବର୍ଣ୍ଣନା କରିଛି। କିପରି ରମ୍ଭା ପାତ୍ର ଓ ତାଙ୍କ ସ୍ବାମୀଙ୍କୁ ହତ୍ୟା କରଯାଇଥିଲା ତାହା କେମେରା ସମ୍ମୁଖରେ ବୟାନ କରିଛି। ୨୦ରୁ ଉର୍ଦ୍ଧ୍ବ ଲୋକ ଏହି ହତ୍ୟାକାଣ୍ଡ ବେଳେ ଉପସ୍ଥିତ ଥିବାବେଳେ ମୁହଁରେ ମାକ୍ସ ଲଗାଇଥିବା ଦୁଇଜଣ ଯୁବକ ଦୁଇଟି ଧାରୁଆ କତା ରେ ହାଣି ପକାଇଥିଲେ। ଏହା ଦେଖି ସେ ଭୟଭୀତ ହୋଇ ଦୌଡି ପଳାଇ ଆସିଥିଲେ ବୋଲି ପ୍ରକାଶ କରିଛି। ହତ୍ୟା ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ନେତୃସ୍ଥାନୀୟ ବ୍ୟକ୍ତି ମାଷ୍ଟର ମାଇଣ୍ଡ ବୋଲି ସେ କହିଛି। ପୁଲିସ୍ ତାର ବୟାନ କୁ ଭିତ୍ତି କରି ଯଦି ଅଧିକ ତଦନ୍ତ କରନ୍ତା ତେବେ ମୁଖ୍ୟ ଆସାମୀକୁ ଧରି ପାରନ୍ତା ବୋଲି ହତ୍ୟାକାଣ୍ଡର ଶୀକାର ହୋଇଥିବା ସରପଞ୍ଚ ଙ୍କ ପରିବାର ଲୋକେ ଦାବି କରିଛନ୍ତି। ଏଠାରେ ସୁଚନାଯୋଗ୍ୟ ଯେ ଗତ୨୦୨୩ ମସିହା ସେପ୍ଟେମ୍ବର ୧୨ତାରିଖ ଦିନ ଦୁର୍ବୁତ ମାନେ କେ ବାଲିପାଳ ପଞ୍ଚାୟତର ପୁର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ ଧାରୁଆ ଅସ୍ତ୍ରରେ ଅତି ବିଭତ୍ସ ଭାବେ ହାଣି ହତ୍ୟା କରିବାପରେ ମୃତଦେହ ଗୁଡିକୁ ଘୋଷାରି ଘୋଷାରି ଆଣି କୁଅରେ ପକାଇ ଦେଇଥିଲେ । ଗୋଟିଏ ଦିନ ପରେ ଗ୍ରାମବାସୀମାନେ ଏ ବାବଦରେ ଜାଣିବାପରେ ପୁଲିସକୁ ସୁଚନା ଦେବାରୁ ୧୪ତାରିଖ ସକାଳେ ପୁଲିସ ମୃତ ଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା। ସେତେବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ୍। ଅନ୍ୟ ମାନଙ୍କୁ ଗିରଫ କରିବାରେ ଅହେତୁକ ବିଳମ୍ବ ଘଟିବା ପରେ ଗ୍ରାମବାସୀ ମାନେ ଇତି ମଧ୍ୟରେ ଦୁଇଜଣ ଙ୍କୁ ଧରି ପୁଲିସ ଜିମା ଦେଲେଣି।