ହିଞ୍ଜିଳିରେ ଚାଷ ଜମିର ଉର୍ବରତା ହ୍ରାସ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଅଧିକ ଫସଳ ଉତ୍ପାଦନ ଆଶାରେ ଚାଷୀ ମାନେ ମନଇଛା ରାସାୟନିକ ସାର, କୀଟନାଶକ ଔଷଧର ବହୁଳ ମାତ୍ରାରେ ଚାଷ ଜମିରେ ପ୍ରୟୋଗ କରୁଥିବା ଯୋଗୁଁ ବର୍ତ୍ତମାନ ଜିଲ୍ଲାର ଅଧିକାଂଶ ଅଞ୍ଚଳର ଚାଷ ଜମିର ଉର୍ବରତା ହ୍ରାସ ପାଇବାରେ ଲାଗିଛି । ହିଞ୍ଜିଳିକାଟୁ ଅଞ୍ଚଳର ଚାଷ ଜମିର ଦିନକୁ ଦିନ ଉର୍ବରତା ହ୍ରାସ ପାଉଥିବାରୁ ସେହି ଅନୁପାତରେ ଚାଷ ଜମିରୁ ଫସଲ ଉତ୍ପାଦନ ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି । ହିଞ୍ଜିଳିକାଟୁ ଅଞ୍ଚଳରେ ଦିନକୁ ଦିନ ଗୋଧନର ସଂଖ୍ୟା କମିବାରୁ ଅଞ୍ଚଳର ହଜାର ହଜାର ଏକର ଚାଷ ଜମିକୁ ଜୈବିକ ଖତ ସାର ମିଳିବା କଷ୍ଟକର ହୋଇପଡ଼ିଛି । ଦିନ ଥିଲା ପ୍ରତ୍ୟେକ ଘରବାଡ଼ିରେ ଗାଇ ରହିବା ସହ ଏକ ଖତ ଗଦା ମଧ୍ୟ ରହୁଥିଲା । ଅତି କମ୍ ଦରରେ ଜୈବିକ ଖତ ସାର ଚାଷୀଙ୍କୁ ମିଳି ପାରୁଥିଲା । ବର୍ତ୍ତମାନ ଆଉ ପୂର୍ବ ଭଳି ଅଞ୍ଚଳରେ ଗାଇ ଗୋରୁ ନଥିବାରୁ ବର୍ତ୍ତମାନ ମିଶ୍ରିତ ଗୋବର ଖତ ଟ୍ରାକ୍ଟର ପିଛା ୨୫ ଶହ ଟଙ୍କାରୁ ୩ ହଜାର ଟଙ୍କାରେ ବିକ୍ରି ହେଉଛି । ଆଜିର ଚାଷୀ ଉନ୍ନତି ପ୍ରଣାଳୀରେ ବୈଷୟିକ ଜ୍ଞାନ ଓ ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁଁ ଅଞ୍ଚଳରୁ ଦିନକୁ ଦିନ ଲୋକଙ୍କ ଗୋରୁ ପାଳନ ପ୍ରତି ଆଗ୍ରହ ପ୍ରକାଶ ପାଉନାହିଁ । ଘରର ବାଡ଼ି ପଟେ ଥିବା ଗୁହାଳ ଗୋରୁ ଶୁନ୍ୟ ହୋଇ ପଡ଼ିଛି । ଏଥି ସହ ଆଖପାଖ ଅଞ୍ଚଳରୁ ଦଲାଲ ମାନେ ଗାଇ ଗୋରୁ ଚୋରୀ କରି ଗୋମାଂସ ସକାଶେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଅଞ୍ଚଳକୁ ଗୋରୁ ଚାଲାଣ ମଧ୍ୟ ଏକ ସମସ୍ୟା ଭାବେ ଦେଖାଦେଇଛି । ବର୍ତ୍ତମାନ ଯୁଗର ଆଧୁନିକ ଚାଷୀ କମ୍ ପରିଶ୍ରମରେ ଅଧିକ ଉତ୍ପାଦନର ଲୋଭ ଦେଖାଉଥିବା ଜ୍ଞାନ କୌଶଳ ସହ ରାସାୟନିକ ସାର, କୀଟନାଶକ ଔଷଧ ବହୁଳ ବ୍ୟବହାର ଯୋଗୁଁ କେବଳ ଖାଦ୍ୟ ଶସ୍ୟର ଗୁଣବତ୍ତା କମୁଛି ତାହା ନୁହଁ ହିଞ୍ଜିଳିକାଟୁ ଅଞ୍ଚଳର ଚାଷ ଜମିର ଉର୍ବରତା ଦିନକୁ ଦିନ କମିବାରେ ଲାଗିଛି । ଏହା ଆଗାମୀ ପିଢି ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ବୁଦ୍ଧୀଜିବି ମହଲରେ ମତ ପ୍ରକାଶ ପାଇଛି । କୃଷି କ୍ଷେତ୍ରରେ ବହୁଳ ପରିମାଣରେ ଜୈବିକ ଖତସାର ପ୍ରୟୋଗ କିଭଳି ସମ୍ଭବ ହୋଇ ପାରିବ, ଏ ନେଇ ସରକାରୀ ପ୍ରୋତ୍ସାହନ ସହ ଜନସଚେତନତା ଏକାନ୍ତ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ