ହିମସ୍ଖଳନର ଚେତାବନୀ
ନିକଟରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱରେ ହିମଶୃଙ୍ଗ (ଗ୍ଲାସିୟର) ଗୁଡିକ ପ୍ରକୃତିର ବିବର୍ତନ ଯୋଗୁଁ ଦୃତ ବେଗରେ ତରଳିବାରେ ଲାଗିଛି । ୨୦୦୦ରୁ ୨୦୧୧ ମଧ୍ୟରେ ଯେଉଁ ପରିମାଣର ହିମଶୃଙ୍ଗଗୁଡିକ ତରଳିଥିଲା, ତାଠାରୁ ୩୬ପ୍ରତିଶତ ବରଫ ୨୦୧୧ରୁ ୨୦୨୩ ମଧ୍ୟରେ ତରଳିଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ ବିଭିନ୍ନ ଅଂଚଳରେ ବରଫର କ୍ଷତି ମଧ୍ୟରେ ବହୁ ଭିନ୍ନ ଧରଣର ରହିଛି । ୟୁରୋପିୟାନ ରେଂଚଗୁଡିକରେ କ୍ଷତି ସର୍ବାଧିକ ହୋଇଥିବାବେଳେ ହିମଶୃଙ୍ଗଗୁଡିକରେ ଅଧିକମାତ୍ରାରେ ବରଫ ତରଳି କ୍ଷତି ଘଟିଛି । ଗତ ବର୍ଷ ଇଂଟରନ୍ୟାସନାଲ ସେଂଟର ଫର ଇଂଟିଗ୍ରେଟେଡ ମାଉଟେଂନ ଡେଭଲଅପ୍ମେଂଟ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଏସିଆ ମହାଦେଶରେ ଦୁଇଟି ରେଞ୍ଜରେ ଗ୍ଳାସିୟର ତରଳିବା ଫଳରେ ବ୍ୟାପକ ମାତ୍ରାରେ ବରଫ ତରଳି କ୍ଷତି ଘଟିଛି । ଯେଉଁ ଗ୍ଳାସିୟରରୁ ଗଙ୍ଗା, ବ୍ରହ୍ମପୁତ୍ର ସମେତ ୧୦ଟି ବଡ ବଡ ନଦୀ ପ୍ରବାହିତ ହେବା ସହ ଚୀରସ୍ରୋତା ନଦୀର ପରିଚୟ ବହନ କରି ଆସୁଥିଲା । ହିମାଳୟରୁ ସୃଷ୍ଟି ହୋଇଥିବା ଉତର ଭାରତରେ ପ୍ରବାହିତ ନଦୀ ସମୁହ ହିମଖଣ୍ଡ ତରଳି ବ୍ୟାପକ କ୍ଷତି ଘଟିଥିବାରୁ ଏବେ ସେଗୁଡିକୁ ଶୁଖି ଯାଇଥିବାର ଏହି ନଦୀଗୁଡିକ ବିପନ୍ନସ୍ଥିତିରେ ପହଁଚିଛନ୍ତି । ଗଙ୍ଗୋତ୍ରୀ, ଯବୁନୋତ୍ରୀ, କୈଳାଶ ମାନସରୋବର ସମେତ ହିମାଳୟର ଅଧିକାଂଶ ତୁଷାର ସ୍ରୋତ ଏବେ ନିଜର ସ୍ଥିତି ହରାଇଥିବାରୁ ସେଥିରୁ ଉତ୍ପନ୍ନ ହୋଇଥିବା ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ସିନ୍ଧୂ ଆଦି ନଦୀର ଜଳ ଉତ୍ସ ବିପଦଜନକ ଭାବେ ହ୍ରାସ ପାଇବାରେ ଲାଗିଥିବାରୁ ଭବିଷ୍ୟତରେ ଶୁଖିଲା ପଡିବାର ଆଶକାଙ୍କୁ ଏଡାଇ ଦିଆଯାଇନପାରେ । ଏହା ନିସନ୍ଦେହ ଯେ, ବୈଶିକ ତାପମାତ୍ରା ବୃଦ୍ଧିର ପ୍ରଭାବ ଏବେ ହିମଖଣ୍ଡ ଉପରେ ପଡିଛି, ଉତରଖଣ୍ଡରେ ଚାମେଲି ଜିଲ୍ଲାରେ ଏକ ବିଶାଳ ହିମସ୍ଖଳନ ତରଳିବା ଯୋଗୁଁ ସେଠାରେ କାର୍ଯ୍ୟରତ ୪୭ଜଣ ଶ୍ରମିକ ବରଫ ତଳେ ଚାପି ହୋଇରହିଛି ବା ଏହାର ଆଉ ଏକ ଜ୍ୱଳନ୍ତ ଉଦାହରଣ । ଏହିପରି ବହୁବାର ହିମାଳୟରେ ଆକସ୍ମିକ ହିମସ୍ଫଳନ ଘଟି ଉତରାଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟାୟକରଣ ହୋଇଛି । କେବଳ ଉତରାଖଣ୍ଡରେ ନୁହେଁ, ବିଶ୍ୱର ବିଭିନ୍ନ ଅଂଚଳରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ବରଫ ତରଳି ସମୁଦ୍ରରେ ମିଶୁଛି । ଯାହାର ପରିଣତି ସ୍ୱରୁପ ସମୁଦ୍ରର ଜଳପତନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସମୁଦ୍ରରେ ଜଳପତନ ବୃଦ୍ଧି ଯୋଗୁଁ ସ୍ଥଳଭାଗକୁ ଜଳ ମାଡି ଆସି ବିଶ୍ୱର ବହୁ ସମୁଦ୍ରକୂଳିଆ ସହର ଜଳପ୍ଲାବିତ କରିଦେବ ବୋଲି ବହୁ ବୈଜ୍ଞାନିକ ଚେତାବନୀ ଦେଇ ସାରିଲେଣି । ଗ୍ଳାସିୟର ସୁରକ୍ଷା ଏବଂ ଜଳବାୟୁ ପରିବର୍ତନ ତଥା ବିଶ୍ୱ ତାପମାତ୍ରା ବୃଦ୍ଧିର କୁପ୍ରଭାବ ତଥା ଚେତାବନୀକୁ ନିୟନ୍ତ୍ରଣ କରିବା ପାଇଁ କେବଳ ଭାରତ ନୁହେଁ, ଆନ୍ତର୍ଜାତିକ ସ୍ତରରେ ମିଳିତ ଉଦ୍ୟମ ଆବଶ୍ୟକ କରେ । ବିଶ୍ୱ ଜଳବାୟୁପରିବର୍ତନର ମୁକାବିଲା ପାଇଁ ବୈଶିକ ଚୁକ୍ତିନାମାରୁ ରାଷ୍ଟ୍ରପତି ଡୋନାଲଟ ଟ୍ରମ୍ପଙ୍କ ନେତୃତ୍ୱାଧୀନ ଆମେରିକା ଓହରି ଯିବା ସତ୍ୱେ ଆନ୍ତର୍ଜାତିକ ସମୁଦାୟ ପ୍ରୟାସକୁ ତ୍ୱରାନ୍ୱିତ କରିବା ଜରୁରୀ । ବିଶେଷ କରି ବିକଶିତ ରାଷ୍ଟ୍ର, ତୈଳ କମ୍ପାନୀ, ଏବଂ ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ପ୍ରୟାସ କରି ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ହ୍ରାସ କରିବା ଲାଗି ବର୍ତମାନଠାରୁ ପ୍ରୟାସ କରିବା ଆରମ୍ଭ କଲେ ସମଗ୍ର ବିଶ୍ୱ ପାଇଁ ଶୁଭଙ୍କର ହେବ, ବୋଧ ହୁଏ ଏଥିରେ କେହି ଦ୍ୱିମତ ହୋଇନପାରନ୍ତି । ଏହା ନିସନ୍ଦେହ ଯେ, ଜଳବାୟୁ ପରିବର୍ତନ ତଥା ବିଶ୍ୱତାପମାତ୍ରା ବୃଦ୍ଧି ଯୋଗୁଁ ଗ୍ରୀଷ୍ମ, ବର୍ଷା, ଶୀତରେ ଅନିୟମିତା, ଅଚାନକ ପାଗ ପରିବର୍ତନ ଘଟିବାରେ ଲାଗିଛି । ଯାହାର ପ୍ରଭାବରେ ବର୍ଷା, ବନ୍ୟା, ମରୁଡି, ସାମୁଦ୍ରିକ ବାତ୍ୟା ବାରମ୍ବାର ଲାଗି ରହିଛି । ଯାହା ବିଶ୍ୱର ବିଭିନ୍ନ କୋଣ-ଅନୁକୋଣରେ ଘଟୁଛି । ଆହୁରି ମଧ୍ୟ ଗୋଟିଏ ପଟେ ସମୁଦ୍ରର ଜଳପତନ ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ନଦୀ, ନାଳରେ ଓ ଜଳସ୍ରୋତ ଶୁଖିଯାଉଛି । ଏବେ ଖରାଦିନ ହୋଇଥିବାବେଳେ ନଦୀଗୁଡିକ ଶୁଖିଲା ପଡିଲାଣି । ଏହି ପ୍ରକ୍ରୀୟା ଯଦି ଲାଗି ରହେ, ତେବେ ବିଶ୍ୱରେ ପାନୀୟ ଜଳ ସଂକଟ ଉତ୍କଟ ହେବ । ଏହା ନିଶ୍ଚିତ ଯେ, ଜଳବାୟୁ ପରିବର୍ତନର ପ୍ରଭାବ, ଏବେ ଆମେ ଅଙ୍ଗେ ଲିଭାଇ ସାରିଲୁଣି । ପରିବେଶ ଓ ପ୍ରକୃତିରେ ପରିବର୍ତନ ଘଟୁଛି । ବିଶ୍ୱ ପାଇଁ ଏବେ ସଂକଟ ମାଡି ଆସୁଛି । ଏହାକୁ ମୁକାବିଲା କରିବା ପାଇଁ ଜରୁରୀ ଉଦ୍ୟମ ହେବା ଆବଶ୍ୟକ । ଅନ୍ୟଥା ଧ୍ୱଂସକୁ କେହି ରୋକିପାରିବେ ନାହିଁ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ