ୟୁନିକ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସେମିରେ ଜୁଭେନାଇଲ କ୍ଲବ କଟକ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ୟୁନିକ୍ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ କେନ୍ଦୁଝର ଷ୍ଟାଡିୟମଠାରେ ଆୟୋଜିତ ରାଜ୍ୟସ୍ତରୀୟ ୟୁନିକ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ସଂସ୍କରଣର ପଂଚମ ଦିବସରେ ଚତୁର୍ଥ କ୍ୱାର୍ଟର ଫାଇନାଲ ରାଉଣ୍ଡରେ ମୟୁରଭଞ୍ଜ ଏକାଦଶକୁ ୧୩୫ ରନ୍ ରେ ପରାସ୍ତ କରି କଟକ ର ଜୁଭେନାଇଲ କ୍ଲବ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଜୁଭେନାଇଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସୀମିତ ୩୭ ଓଭରରେ ୫ ଉଇକେଟ ହରାଇ ୨୩୯ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ଏମ୍ଡି ସୋହିଲ ଖାନ ୮୫ଟି ବଲ୍ର ସମ୍ମୁଖୀନ ହୋଇ ୨ଟି ଛକା ଓ ୧୦ଟି ଚୌକା ସହାୟତାରେ ୧୦୦ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ ଏବଂ ସାସ୍ୱାଲ ମହାନ୍ତି ୨୯ଟି ବଲରେ ୩ଟି ଛକା ଓ ୩ଟି ଚୌକା ସହାୟତାରେ ୪୪ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଦଳର ମାରି ଲୋକନାଥ,ହିରକ ସିଂହ,ପ୍ରିତପାଲ ସିଂ,ଶୁଭମ୍ ଓଝା ଏବଂ ମାନୁ ରାମ ସମସ୍ତେ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଜବାବରେ ମୟୁରଭଞ୍ଜ ଏକାଦଶ ମାତ୍ର ୨୩ ଓଭରରେ ସମସ୍ତ ଉଇକେଟ ହରାଇ ୧୦୪ ରନ୍ ସଂଗହ କରି ପାରିଥିଲା । ଦଳ ପକ୍ଷରୁ ସୌମ୍ୟରଞ୍ଜନ ମହାନ୍ତ ୨୬ ରନ୍,ମାରି ଲୋକନାଥ ୧୬ ରନ୍ ଏବଂ ପି୍ରତପାଲ ସିଂ ୧୧ ରନ୍ ସଂଗ୍ରହ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ । ଜୁଭେନାଲଇ ପକ୍ଷରୁ ସ୍ୱୟାଂଶୁ ପଟ୍ଟନାୟକ ୩ଟି ଏବଂ ଏମ୍ଡି ସାହିଲ ରାଜା ୨ଟି ଉଇକେଟ ନେଇଥିଲେ । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ସମାଜସେବୀ ବୁନୁ ପରିଡା ଓ ଉଦୟଶିଳ୍ପୀ ବିଜୟ କିଶୋର ହେମ୍ବ୍ରମ ଜୁଭେନାଇଲ ର ଏମ୍ଡି ସାହିଲ ଖାନଙ୍କୁ ପ୍ରଦାନ କରିଥିଲେ । ଓସିଏ ଅମ୍ପାୟାର ଆଶୁତୋଷ ପାଣି ଓ ଲଲାଟ କେଶରୀ ନନ୍ଦ ମ୍ୟାଚ୍ ପରିଚାଳନା କରିଥିବାବେଳେ କିରଣ ମନୋହର ମହାନ୍ତି ସ୍କୋରର ଓ ଅମ୍ଳାନ ପଟ୍ଟନାୟକ ଏବଂ ତାପସ ବେହେରା ମ୍ୟାଚ୍ ରେଫରୀ ଦାୟିତ୍ୱ ତୁଲାଇଥିଲେ । ଭାଷ୍ୟକାର ଦାୟିତ୍ୱ ବୁବୁ ସିହ୍ନା ଦାୟିତ୍ୱ ତୁଲାଇଥିବାବେଳେ ମ୍ୟାଚ୍ର ସିଧା ପ୍ରସାରଣ ୟୁଟୁ୍ୟବ୍ ଚ୍ୟାନେଲ ୧୦୦ ନଟ୍ ଆଉଟ୍ ରେ ପ୍ରସାରିତ ହୋଇଥିଲା । ଶନିବାର ଦିନ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଆଲ୍ଫା ସ୍ପୋର୍ଟିଂ ବ୍ରହ୍ମପୁର ଓ ଜୁଭେନାଇଲ କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହେବ ।