୧୪ରୁ କାଶ୍ମୀର ଯୁବ ବିନିମୟ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱ ବିଦ୍ୟାଳୟ ପରିସରରେ ଅକ୍ଟୋବର ୧୪ ତାରିଖରୁ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ କାଶ୍ମୀର ଯୁବ ବିନିମୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଅଛି । ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର, ଖୋର୍ଦ୍ଧା ଶାଖା ଏବଂ ଗୃହ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ମିଳିତ ପ୍ରୟାସ କ୍ରମେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି ଯୁବ ବିନିମୟ କାର୍ଯ୍ୟକ୍ରମରେ କାଶ୍ମୀର ରାଜ୍ୟର ୬ଟି ଜିଲ୍ଲାରୁ ୧୩୨ ଯୁବକ ଯୁବତୀ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି । ସେମାନେ ୬ଦିନ ପର୍ଯ୍ୟନ୍ତ ଏହି ଶିବିରରେ ରହିବେ । କାଶ୍ମୀରର କଳା, ସଂସ୍କୃତି, ପରମ୍ପରା, ଚାଲିଚଳଣୀ, ପାରମ୍ପରିକ କ୍ରୀଡ଼ା ଆଦି ସମ୍ପର୍କରେ ଯୁବକ ଯୁବତୀମାନେ ସେମାନଙ୍କର ଅନୁଭୂତି ବାଣ୍ଟିବେ । ଏ ସମ୍ପର୍କରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଆଇଆରସି ଭିଲେଜ ସ୍ଥିତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମଳିନୀରେ ସୂଚନା ଦେଇଛନ୍ତି ସହ ନିର୍ଦ୍ଦେଶକ ଶକ୍ତି ସ୍ୱରୂପ ସିଂ ଏବଂ ଯୁବ ଅଧିକାରୀ ବିପିନ୍ କୁମାର । ରହଣୀ ସମୟରେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବା ସହ ଓଡ଼ିଶାର ରାଜ୍ୟପାଳ, ବିଶିଷ୍ଟ ବ୍ୟକ୍ତି, କ୍ରୀଡ଼ା ବ୍ୟକ୍ତିତ୍ୱ, ଫିଲ୍ମ ଷ୍ଟାର୍ଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇବେ । ସେହିଭଳି ବିଭିନ୍ନ ଶିଳ୍ପ ସଂସ୍ଥା, ଜାତୀୟ ସ୍ତରର ଅନୁଷ୍ଠାନ, ଐତିହାସିକ ସ୍ଥାନ ପରିଭ୍ରମଣର ସୁଯୋଗ ମଧ୍ୟ ପାଇବେ । ତତ୍ସହିତ କ୍ୟାରିୟର ଗାଇଡ଼ାନ୍ସ ଉଦ୍ୟୋଗୀଙ୍କ ଟ୍ରେନିଂ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ ବୋଲି ଆୟୋଜକଙ୍କ ନିକଟରୁ ପ୍ରକାଶ ।