୨୨୦ ନଂ ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ଚାରି ମୃତ ଓ ତିନି ଗୁରୁତର
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ମୟୂରଭଞ୍ଜ ଜିଲ୍ଲାରେ ଘଟି ଯାଇଛି ସିରିଜ ସଡ଼କ ଦୁର୍ଘଟଣା। ୨୨୦ ନଂ ଜାତୀୟ ରାଜପଥରେ ସିରିଜ ସଡ଼କ ଦୁର୍ଘଟଣାରେ ଚାରି ଜଣ ମୃତ୍ୟୁବରଣ କରିଥିବା ବେଳେ ତିନି ଜଣ ଗୁରୁତର ଭାବରେ ଆହତ ହୋଇଥିବାର ସୂଚନା ହସ୍ତଗତ ହୋଇଛି। ତେବେ ଜଣେ ଟ୍ରକ୍ ଡ୍ରାଇଭର ଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଆଜି ଭୋର୍ ସକାଳ ସମୟରେ ମୟୂରଭଞ୍ଜ ଜିଲ୍ଲାର ତିରିଂ ପଟୁ ଏକ ଟ୍ରକ ରାଇରଙ୍ଗପୁର ପଟକୁ ଆସୁଥିବା ବେଳେ ସର୍ବପ୍ରଥମେ ତିରିଂ ଥାନା ଅନ୍ତର୍ଗତ ଡାଳିମା ରେ ମର୍ଣିଂ ୱାକ୍ ରେ ଯାଉଥିବା ଜଣେ ଯୁବକଙ୍କୁ ଦୃତ ଗତିରେ ଆସି ଟ୍ରକ୍ ଟି ବାଡ଼େଇ ଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେଠାରୁ ଦୃତ ଗତିରେ ଟ୍ରକ ଟି ଫେରାର ହୋଇ ଯାଉଥିବା ବେଳେ ବହଳଦା ଥାନା ଅର୍ନ୍ତଗତ ବାଗଡେଗା ଛକ ନିକଟରେ ଏକ ଅଟୋ କୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ସ୍ବାମୀ ସ୍ତ୍ରୀ ଙ୍କ ସମେତ ଅଟୋ ଚାଳକ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅଟୋ ରେ ଥିବା ସ୍ବାମୀ ସ୍ତ୍ରୀ କଟକ ଯାଇ ଫେରୁଥିବା ବେଳେ ନିଜ ଘର ଭଗାବନ୍ଦି କୁ ଯାଉଥିଲେ। ତେବେ ଉକ୍ତ ଟ୍ରକ୍ ଧକ୍କାରେ ଅନ୍ୟ ତିନି ଜଣ ଗୁରୁତର ଭାବରେ ଆହତ ହୋଇଥିବାର ଖବର ମଧ୍ୟ ସାମ୍ନା କୁ ଆସିଛି। ପରେ ଖସି ପଳେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ରକ ଟି ବହଳଦା ରେ ରାସ୍ତା କଡକୁ ଓଲଟି ପଡିବାରୁ ଟ୍ରକ ର ଚାଳକ ମଧ୍ୟ ଗୁରୁତର ଆହତ ହେବାରୁ ତାଙ୍କୁ ମଧ୍ୟ ଉଦ୍ଧାର କରାଯାଇ ମେଡିକାଲ କୁ ପଠାଯାଇଛି। ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଉଭୟ ଦୁର୍ଘଟଣା ସ୍ଥାନରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିବାର ମଧ୍ୟ ଜଣାପଡିଛି। ତେବେ ସମସ୍ତ ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।