୨୪ ତାରିଖରେ ସମସ୍ତ ଜିଲ୍ଲାରେ କଂଗ୍ରେସର ଆମ୍ବେଦକର ସମ୍ମାନ ଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତି ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହା ଦେଇଥିବା ଅରୁଚିକର ଓ ଅସାମ୍ବିଧାନିକ ବୟାନ ସମ୍ବିଧାନକୁ ମାନୁଥିବା ଓ ଭଲ ପାଉଥିବା ସମସ୍ତ ଭାରତବାସୀଙ୍କୁ ବ୍ୟଥିତ କରିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ବିଜେପି ଓ ଏହାର ନେତାମାନଙ୍କର ଅସଲ ମାନସିକତା, ଅମିତ ଶାହାଙ୍କ ବୟାନ ସମ୍ବିଧାନୀ, ଗଣତନ୍ତ୍ର, ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ବିରୋଧୀ ବୋଲି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଉଲାକା କହିଛନ୍ତି । ଶ୍ରୀ ଉଲାକା ଆହୁରି ମଧ୍ୟ କହିଛନ୍ତି ଯେ, ଆରଏସ୍‌ଏସ୍ ପ୍ରମୁଖ ଏକ ମଞ୍ଚରେ କହିଥିଲେ ଯେ, ସମ୍ବିଧାନରେ କିଛି ଭାରତୀୟତା ନାହିଁ । ଏହି ବୟାନ ବିଜେପି ଓ ଆରଏସ୍‌ଏସ୍ ସମ୍ବିଧାନ ବିରୋଧୀ ବୋଲି ପ୍ରମାଣ ଦେଉଛି । ସେଥିପାଇଁ ଆମ୍ଭେ ସମ୍ବିଧାନ ବଞ୍ଚାଇବା ପାଇଁ ଲଢେଇ କରୁଛୁ ଓ ଜାତିଗତ ଜନଗଣନା କରିବା ପାଇଁ ଦାବି ଉପସ୍ଥାପନା କରୁଅଛୁ । ବାବା ସାହେବ ଆମ୍ବେଦକର ଆମପାଇଁ ଭଗବାନ, ଯଦି ନେହେରୁ, ପଟେଲ, ଆମ୍ବେଦକର ନଥାନ୍ତେ, ତେବେ ମୋ ପରି ଜଣେ ଆଦିବାସୀ କୋରାପୁଟରୁ ସାଂସଦ ଭାବେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇପାରି ନଥାନ୍ତି । ଅମିତ ଶାହାଙ୍କ ବୟାନକୁ ସଠିକ୍ ଦର୍ଶାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ୬ଟି ଟୁଇଟ୍ ପ୍ରତିଟି ଭାରତୀୟଙ୍କୁ ନିରାଶ କରିଛି । ଏପର୍ଯ୍ୟନ୍ତ ଶ୍ରୀ ଶାହା ନା କ୍ଷମା ପ୍ରାର୍ଥନା କରୁଛନ୍ତି ନା ନିଜର ମତକୁ ପ୍ରତ୍ୟାହାର କରୁଛନ୍ତି । ଆମେ ଦୃଢ ଦାବି କରିବାକୁ ଚାହୁଁଛୁ, ଯେଉଁ ସମ୍ବିଧାନର ଶପଥ ନେଇ ଶ୍ରୀ ଶାହା ଗୃହମନ୍ତ୍ରୀର ଦାୟିତ୍ୱ ତୁଲାଉଛନ୍ତି, ସେଥିରୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ଆମ୍ବେଦକରଙ୍କ ପ୍ରତି ଦେଇଥିବା ବୟାନ ପାଇଁ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରୁନ୍ତୁ ।ଅମିତ ଶାହାଙ୍କ ବୟାନ ପ୍ରତିବାଦରେ ସଂସଦରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ସଂସଦକୁ ପ୍ରବେଶ କରିବା ପାଇଁ ଯାଉଥିବା ସମୟରେ ବିଜେପିର ସାଂସଦମାନେ ଇଣ୍ଡିଆ ମେଣ୍ଟର ସାଂସଦମାନଙ୍କୁ ଅଟକାଇବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରୁଥିବା ବେଳେ ରାଜ୍ୟସଭାରେ ବିରୋଧୀ ଦଳର ନେତା ଶ୍ରୀ ମଲିକାର୍ଜୁନ ଖଡ଼ଗେଙ୍କୁ ଠେଲାପେଲା କରିବା, ପ୍ରି୍ରୟଙ୍କା ଗାନ୍ଧୀ ଓ ମହିଳା ସାଂସଦମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ ଖରାପ ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ଘଟଣା । ସଂସଦକୁ ପ୍ରବେଶ କରିବା ସାଂସଦମାନଙ୍କ ଗଣତାନ୍ତ୍ରିକ ଅଧିକାର । ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ବିଜେପି ଯେଉଁ ହୀନ ଚେଷ୍ଟା କରୁଛି, ତାହାକୁ କଦାପି ବରଦାସ୍ତ କରାଯିବ ନାହିଁ । ଅମିତ ଶାହାଙ୍କ ବୟାନରୁ ଧ୍ୟାନ ହଟାଇବା ପାଇଁ ଏକ ସୁଚିନ୍ତିତ ମିଥ୍ୟା ଡ୍ରାମା ପ୍ରସ୍ତୁତ କରି ଆମର ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ୨୬ଟି କେସ୍ ପ୍ରସ୍ତୁତ କରି ତାଙ୍କ ସ୍ୱରକୁ ଚପାଇ ଦେବା ପାଇଁ ଯେଉଁ ଉଦ୍ୟମ କରାଯାଉଛି ତାହା କେବେ ସମ୍ଭବ ହେବନାହିଁ । ଏପର୍ଯ୍ୟନ୍ତ କାହିଁକି ସଂସଦର ସିସିଟିଭି ଫୁଟେଜ ସାମ୍ନାକୁ ଆସିଲା ନାହିଁ ତାହାର ଉତ୍ତର ମଧ୍ୟ ମିଳିପାରୁ ନାହିଁ ।ପୂର୍ବରୁ ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦ କରି ତାଙ୍କ ସରକାରୀ ବାସଭବନରୁ ପାଣି ଲାଇନ କାଟି ଘରୁ ବାହାର କରି ଦିଆଯାଇଥିଲା । ତଥାପି ରାହୁଲ ଗାନ୍ଧୀ ପୁଣି ନିର୍ବାଚନ ଲଢିଲେ ଓ ଦୁଇ ଦୁଇଟି ସ୍ଥାନରୁ ନିର୍ବାଚିତ ହେଲେ । ତେଣୁ ରାହୁଲ ଗାନ୍ଧୀ ଡରିବେ ନାହିଁ କି ହଟିବେ ନାହିଁ । ସେ ଭରତବାସୀଙ୍କ ପାଇଁ ଲଢିବେ ବୋଲି ଶ୍ରୀ ଉଲାକା କହିଛନ୍ତି । ଅମିତ ଶାହାଙ୍କ ବୟାନ ପ୍ରତିବାଦରେ ଇସ୍ତଫା ଓ କ୍ଷମା ପ୍ରାର୍ଥନା ଦାବି କରି ଆସନ୍ତା କାଲି ୨୪ ତାରିଖରେ କଂଗ୍ରେସ ଦେଶର ସମସ୍ତ ଜିଲ୍ଲାରେ ଆମ୍ବେଦକର ସମ୍ମାନ ଯାତ୍ରା କରିବ । ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯିବ । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଉଲାକା ଦୃଢୋକ୍ତି ପ୍ରକାଶ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ରାମଚନ୍ଦ୍ର କାଡ଼ାମ ସମ୍ବିଧାନର ସୁରକ୍ଷା, ଦଳିତ ଆଦିବାସୀମାନଙ୍କ ପ୍ରତି ଅମିତ ଶାହାଙ୍କ ବୟାନକୁ ନିନ୍ଦା କରିବା ସହ ବିଜେପିର ସମ୍ବିଧାନ ବିରୋଧୀ ମାନସିକତାକୁ ଦୃଢ ନିନ୍ଦା କରିଥିଲେ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ଅମିତ ଶାହାଙ୍କ ବୟାନକୁ ସମାଲୋଚନା କରିବା ସହ ବିଜେପି ନେତାଙ୍କୁ ଏଭଳି ବୟାନରୁ କ୍ଷାନ୍ତ ରହିବା ପାଇଁ କହିବା ସହ ଜାତିଗତ ଜନଗଣନା କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । କଂଗ୍ରେସ ବିଧାୟକ ଦଳର ଉପନେତା ଶ୍ରୀ ଅଶୋକ ଦାସ ଆସନ୍ତା କାଲି ଦେଶବ୍ୟାପୀ ହେବାକୁ ଥିବା ଆମ୍ବେଦକର ସମ୍ମାନ ଯାତ୍ରାକୁ ଓଡ଼ିଶାରେ ସଫଳ କରିବା ସହ ଏହି ଆନ୍ଦୋଳନକୁ ଗ୍ରାମାଞ୍ଚଳରେ ତୀବ୍ରତର କରବା ପାଇଁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ