୨୯ରେ ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ ବିଜ୍ଞପ୍ତି ପ୍ରକାଶିତ
ନବରଙ୍ଗପୁର,(ୱାଇଏନଏସ):ଓଡିଶା ରାଜ୍ୟ ବାର କାଉନସିଲଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୨୦୨୫-୨୬ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ନିର୍ବାଚନକୁ ସୁପରିଚାଳନ କରିବା ପାଇଁ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧରଙ୍କୁ ନିର୍ବାଚନ ଅଧିକାରୀ ରୂପେ ଦାୟିତ୍ଵ ପ୍ରଦାନ କରାଯାଇଛି । ଏହାସହ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ଓ ତାଜ ଇମରାନ ସରିଫ ସହକାରୀ ନିର୍ବାଚନ ଅଧିକାରୀ ରୂପେ ନିର୍ବାଚନ ପରିଚାଳନା କରିବେ । ଚଳିତ ବର୍ଷ ନିର୍ବାଚନ ନିମନ୍ତେ ସୋମବାର ଦିନ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ଅନୁସାରେ, ଚଳିତ ନିର୍ବାଚନରେ ଜଣେ ଲେଖାଏଁ ସଭାପତି, ଉପ ସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧକ୍ଷ ଓ ୪ ଜଣ କାର୍ଯ୍ୟକାରୀ ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ । ଆସନ୍ତା ୫ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଦିନ ୧୦ ଟାରୁ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଯୋଗାଣ ଓ ନାମାଙ୍କନ ପାତ୍ର ଦାଖଲ କରାଯିବ । ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥି ମାନଙ୍କ ତାଲିକା ୮ ତାରିଖ ଦିନ ପ୍ରକାଶ ପାଇବ । ୯ ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୧୦ ତାରିଖ ଦିନ ପ୍ରାର୍ଥି ମାନଙ୍କ ବୈଧ ତାଲିକା ପ୍ରକାଶ ପାଇବ । ୧୨ ତାରିଖ ଦିନ ସକଳ ୧୧ ଟା ରୁ ଅପରାହ୍ନ ୧ଟା ମଧ୍ୟରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ୧୩ ତାରିଖ ଦିନ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୯ ତାରିଖ ସକାଳ ସାଢେ ୭ଟା ରୁ ଦିନ ୩ଟା ପର୍ଯ୍ୟନ୍ତ ବାର ରୁମରେ ଭୋଟ ଗ୍ରହଣ ଓ ସନ୍ଧ୍ୟା ୪ଟା ପରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ଭୋଟ ଗଣତି ସମାପ୍ତ ପରେ ତୁରନ୍ତ ବିଜୟୀ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର ସୂଚନା ଦେଇଛନ୍ତି ।