୩୦ବର୍ଷ ଧରି ବିଦ୍ୟାଳୟ ବାରଣ୍ଡାରେ ଚାଲିଛି କୁଶଟିକିରି ଅଙ୍ଗନବାଡି କେନ୍ଦ୍ର
ହାଟଡିହି, (ବିକାଶ ବିଶ୍ୱାଳ):ବିଗତ ଦିନର ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ୨୪ ବର୍ଷ ଶାସନ କାଳ ଭିତରେ ସାମାନ୍ୟ ଅଙ୍ଗନବାତି ଘର ନିର୍ମାଣ କରିପାରିଲେନିି। ରତ୍ନଗର୍ଭା କେନ୍ଦୁଝରରୁ ଶହଶହ କୋଟି ଟଙ୍କା ନେଇ ବାହାର ଜିଲ୍ଲାର ବିକାଶ ପାଇଁ ଖର୍ଚ୍ଚ କରିଥିବା ବେଳେ କେନ୍ଦୁଝର ଜିଲ୍ଲାର ବିକାଶକୁ କୋଣ ଠେସା କରିଦେଲେ। ମାସେ ନୁହଁକି ବର୍ଷେ ନୁହଁ ୩୦ବର୍ଷ ହେଲା ଅଙ୍ଗନବାଡିର ଘର ନିର୍ମାଣ ହୋଇନି। ୩୦ ବର୍ଷ ହେଲା କୁନି କୁନି ପିଲାମାନେ ବାରଣ୍ଡାରେ ବସି ଭତିଷ୍ୟତ ଗଡ଼ୁଛନ୍ତି। ଏପରି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କୁଶଟିକିରି ଅଙ୍ଗନବାଡି-୧ରେ । ବିଶେଷକରି ଏହା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ହୋଇ ଥିବାରୁ ଏହି ଗ୍ରାମରେ ଦୁଇ ଦୁଇଟି ଅଙ୍ଗନବାଡି କେନ୍ଦ୍ର ଖୋଲା ଯାଇଛି। ଅଙ୍ଗନବାଡି -୧ କେନ୍ଦ୍ରଟି ୧୯୯୫ ମସିହାରେ ସ୍ଥାପିତ ହୋଇଥିବା ବେଳେ ୩୦ ରୁ ଉର୍ଦ୍ଧ ଛୁଆ ଏଠାରେ ଶିକ୍ଷାଲାଭ କରି ଆସୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ରର ନିଜସ୍ବ ଘର ହୋଇପାରିଲାନି ବୋଲି ଗ୍ରାମର ୱାର୍ଡସଭ୍ୟା ଆରତୀ ଡାକୁଆ, ସୁଜାତା ଖଣ୍ଡେଇ, ସୁନିତା ନାଏକ, ସୁକାନ୍ତି ନାଏକ, ସୁମତୀ ଦେହୁରୀ, ମାମୁନି ଡାକୁଆ, ପାକ ନାଏକ, ମୋନାଲୀସା ମହାକୁଡ଼ ପ୍ରମୁଖ ପ୍ରକାଶ କରିଛନ୍ତି। କୁନି କୁନି ଛୁଆ ମାନଙ୍କୁ ଧରି ବାରଣ୍ଡାରେ ବସି ଶିକ୍ଷାଦାନ କରିବାରେ ଅନେକ ସମସ୍ୟା ସୃଷ୍ଟି ହେଉଛି ବୋଲି ଅଙ୍ଗନବାଡି କର୍ମୀ ଲକ୍ଷ୍ମୀପ୍ରୀୟା ନାଏକ କହିଛନ୍ତି। ପ୍ରତିଦିନ ଘରୁ ସମସ୍ତ ପ୍ରକାର ଆସବା ପତ୍ର ଘେନି ଆସୁଛି ଓ ଏଠାରେ ପ୍ରସ୍ତୁତି କରି ପିଲାଙ୍କୁ ଦେଉଛି। ବର୍ଷା ହେଲେ କେଉଁ କାନ୍ଥ କଣରେ ଛୁଆଙ୍କୁ ବସାଇ ଜଗିବାକୁ ପଡୁଛି ବୋଲି ସେ କହିଛନ୍ତିି। ବହୁତ ଦୁଃଖ କଷ୍ଟରେ କେନ୍ଦ୍ରଟିକୁ ଚ଼ଲାଇଛୁ ଓ ଘର ଖଣ୍ଡିଏ ପାଇଁ ବାରମ୍ବାର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଉଥିଲେ ବି କିଛି ସୁଫଳ ମିଳୁନି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ହାଟଡିହି ବ୍ଲକର ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଉମାମଣୀ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତିଯେ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇଛୁ ସେ ଯାହା ପଦକ୍ଷେପ ନେବେ, ଆମେ କଣ କରିପାରିବୁ ବୋଲି କହିଛନ୍ତି। ଏବେ ବ୍ଲକରେ ୨୧୯ ଟି ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ୭୬ଟି କେନ୍ଦ୍ରର ନିଜସ୍ଵ ଘର ନାହିଁ। ଏବେ ୩୪ଟି ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ କରାଯିବ, ତନ୍ମଧ୍ୟରେ କୁଶଟିକିରି ଅଙ୍ଗନବାଡି କେନ୍ଦ୍ରକୁ ସାମିଲ କରାଯାଇଛି ବୋଲି ସିଡିପିଓ କହିଛନ୍ତି।