୭୧ ବେଆଇନ କୋଠା ମାଲିକଙ୍କୁ ନୋଟିସ୍, ୧ ମାସର ମହଲତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍ଏସି ପରିସରଭୁକ୍ତ କେତେକ ଅଞ୍ଚଳରେ ମାଳମାଳ ବେଆଇନ କୋଠା ନିର୍ମାଣ ଚାଲିଛି । ବିନା ଅନୁମତିରେ ବେଆଇନ ଭାବେ କିଏ ବ୍ୟବାସୟିକ ପ୍ରତିଷ୍ଠାନ ପାଇଁ କୋଠା ନିର୍ମାଣ କଲାଣି ତ ପୁଣି କିଏ ଗୃହ ନିର୍ମାଣ । ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ କୋଠା ନିର୍ମାଣ ଚାଲିଥିବା ବେଳେ ହଠାତ୍ ଆକ୍ସନ୍ ମୁଡ୍କୁ ଓହ୍ଲାଇଛି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ । ପ୍ରଥମ ପର୍ଯ୍ୟାୟରେ ବେଆଇନ ଭାବେ କୋଠା ନିର୍ମାଣ କରୁଥିବା ୭୧ ଜଣ କୋଠାମାଲିକଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ ଆଉ କେତେକଙ୍କୁ ମଧ୍ୟ ନୋଟିସ୍ କରିବା ଲାଗି ପ୍ରସ୍ତୁତି ଚାଲିଛି ବୋଲି ଆସିକା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ସୂଚନା ଦେବା ସହ ବିନା ଅନୁମତିରେ ଆଇନ ଉଲଙ୍ଘନ କରି ନିର୍ମାଣ କରାଯାଉଥିବା ବଡ ବଡ କୋଠା, ସପିଂ ମଲ୍, ଆପାର୍ଟମେଣ୍ଟ ସମେତ ଅନ୍ୟ ଗୃହକର୍ତ୍ତାଙ୍କ ବିରୁଦ୍ଧରେ ଏଣିକି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପଦକ୍ଷେପ ନିଆଯିବାର ବ୍ୟବସ୍ଥା କରାଯାଉଥିବା ଜଣାପଡିଛି । ପ୍ରଥମ ପଦକ୍ଷେପ ସ୍ୱରୂପ ବେଆଇନ ଭାବେ କୋଠା ନିର୍ମାଣ କରୁଥିବା ୭୧ ଜଣ କୋଠା ମାଲିକଙ୍କୁ ନୋଟିସ୍ ଦିଆଯାଇଥିବା ବେଳେ ଆସନ୍ତା ୧ ମାସ ମଧ୍ୟରେ ଏହାର ଜବାବ୍ ରଖିବା ସହ କୋଠା ନିର୍ମାଣ ଲାଗି ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରି ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ନୋଟିସ୍ ଦିଆଯାଇଥିବା ସମସ୍ତ କୋଠାର ସଂପୁର୍ଣ୍ଣ ତଥ୍ୟ ଆସିକା ଏନ୍ଏସି ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଆସିକା ଏନ୍ଏସି ପରିସରଭୁକ୍ତ ୧୮ଟି ୱାର୍ଡର ପ୍ରାୟ ୪ ହଜାର ୪ ଶହ ଗୃହକର୍ତ୍ତାଙ୍କ ଠାରୁ ଘର ଟିକସ୍ ଆଦାୟ କରାଯାଉଥିବା ବେଳେ ବେଆଇନ ଭାବେ ପ୍ରଶାସନ ଠାରୁ ଅନୁମତି ନନେଇ କୋଠା ନିର୍ମାଣ କରୁଥିବା ଗୃହକର୍ତ୍ତାଙ୍କ ବିରୁଦ୍ଧରେ ପର୍ଯ୍ୟାୟକ୍ରମେ ନୋଟିସ୍ ଜାରି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏପରିକି ଡାକବାଜି ଯନ୍ତ୍ର ଜରିଆରେ ଘର ନିର୍ମାଣ କରିବା ପୂର୍ବରୁ ଏନ୍ଏସି ଠାରୁ ଅନୁମତି ନେବାକୁ ଲୋକଙ୍କୁ ନିୟମିତ ସଚେତନ କରାଯାଉଛି । ଆସିକା ଏନ୍ଏସି ପରିସରଭୁକ୍ତ ଅଞ୍ଚଳକୁ ସର୍ବାଙ୍ଗ ସୁନ୍ଦର କରି ଗଢି ତୋଳିବା ସହ ଏହି ପୁରାତନ ଏନ୍ଏସିକୁ ରାଜ୍ୟର ଏକ ଆଦର୍ଶ, ଅଗ୍ରଣୀ ଓ ବିକଶିତ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପରିଗଣିତ କରିବାକୁ ନଗରପାଳିକା ବିନେତା ସ୍ୱାଇଁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ଙ୍କ ନେତୃତ୍ୱରେ ନିଆଯାଉଥିବା ବହୁବିଧ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନ୍ଏସି ପରିସରଭୁକ୍ତ ଅଞ୍ଚଳରେ ଗୃହନିର୍ମାଣ କରିବା ପୂର୍ବରୁ ଗୃହକର୍ତ୍ତା ପ୍ଳାନକୁ ଅନୁମୋଦନ କରିବା କଥା । ବିନା ପ୍ଳାନ୍ ଅନୁମୋଦନରେ ଘରନିର୍ମାଣ କରିବା ଫଳରେ ଆସିକା ଏନ୍ଏସିର ବ୍ୟାପକ ରାଜସ୍ୱ ହାନୀ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି । ବର୍ତ୍ତମାନ ଆସିକା ଏନ୍ଏସି ନିକଟରେ ଗୃହ ପ୍ଳାନ୍ ଅନୁମୋଦନ ପାଇଁ ଆବେଦନକାରୀଙ୍କ ସଂଖ୍ୟା କମ୍ ରହିଛି । ପ୍ଳାନ୍ ଅନୁମୋଦନ ପାଇଁ ଆବେଦନ ସଂଖ୍ୟା କମୁଥିବା ବେଳେ ସହରରେ ଗୃହ ନିର୍ମାଣ ବଢିବାରେ ଲାଗିଛି । ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ନିଜେ ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ସାଙ୍ଗକୁ ସହରର ବିଭିନ୍ନ ଅଞ୍ଚଳକୁ ଯାଇ ପରିଦର୍ଶନ କରିଥିଲେ । ତଦନ୍ତ ବେଳେ ଅଧିକାଂଶ କୋଠା ବିନା ଅନୁମତିରେ ନିର୍ମାଣ ହେଉଥିବା ଜଣାପଡିଥିଲା । ପ୍ରାଥମିକ ପର୍ଯ୍ୟାୟରେ ନୋଟିସ୍ ପଠାଯାଇଥିବା ୭୧ ଘର ମାଲିକଙ୍କ ମଧ୍ୟରୁ କିଛି ଘର ମାଲିକ ପ୍ଳାନ୍ ଅନୁମୋଦନ କରିବା ଲାଗି ପ୍ରସ୍ତୁତ ହେଉଥିବା ଜଣାପଡିଛି । ପର୍ଯ୍ୟାୟକ୍ରମେ ଆସିକା ଏନ୍ଏସି ପରିସରଭୁକ୍ତ ଅଞ୍ଚଳରେ ଚାଲିଥିବା ସମସ୍ତ ବେଆଇନ କୋଠା ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ସୂଚନା ଦେଇଛନ୍ତି ।