ଅଁଳା ଯୋଡ଼ି ପଞ୍ଚାୟତ ହାଇସ୍କୁଲରେ ବିଜୟ ଦିବସ ପାଳିତ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ରାଇରଙ୍ଗପୁରଠାରୁ ମାତ୍ର ୧୦ କିମି ଦୂର ବହଳଦା ବ୍ଲକର ଅଁଳାଯୋଡ଼ି ପଞ୍ଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ସୋମବାର ଦିନ ବିଜୟ ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରକାଶ ଥାଉକି ପଶ୍ଚିମ ପାକିସ୍ତାନ ପୂର୍ବ ପାକିସ୍ତାନ ବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ପଶ୍ଚିମ ପାକିସ୍ତାନ ଠାରୁ ଅଲଗା ହେବା ପାଇଁ ପୂର୍ବ ପାକିସ୍ତାନ ସ୍ବାଧୀନତା ସଂଗ୍ରାମୀ ମାନେ ଭରତ ସରକାରଙ୍କ ସାହାଯ୍ୟ ପାଇଁ ବାରମ୍ବାର ଅନୁରୋଧ କରିଥିଲେ । ଶେଷରେ ଭାରତ ସେମାନଙ୍କୁ ସାହାଯ୍ୟର ହାତ ବଢାଇଥିଲା । ଭାରତ ପାକିସ୍ତାନ ଉପରେ ୩ ଡିସେମ୍ବରରୁ ୧୬ ଡିସେମ୍ବର ତାରିଖ ପର୍ୟ୍ୟନ୍ତ ଯୋରଦାର ଲଢେଇ କରିଥିଲା । ପାକିସ୍ତାନ ଶେଷରେ ୯୦,୦୦୦ ସୈନିକ ସହ ଭାରତ ସରକାରଙ୍କ ପାଖରେ ନିଃସର୍ତ୍ତ ଆତ୍ମସମର୍ପଣ କରିଥିଲା ଏବଂ ଭାରତର ବିଜୟ ହୋଇଥିଲା । ପାକିସ୍ତାନ ପାଖରୁ ଅଲଗା ହୋଇ ବାଂଲାଦେଶ ସ୍ବତନ୍ତ୍ର ରାଷ୍ଟ୍ର ହୋଇଥିଲା । ସେହି ଦିନଠାରୁ ଭାରତର କୋଣେ ଅନୁକୋଣେ ବିଭିନ୍ନ ସଂଗଠନ ପକ୍ଷରୁ ବିଜୟ ଦିବସ ପାଳନ କରାଯାଉଛି ।ଅଁଳାଯୋଡ଼ି ପଞ୍ଚାୟତ ହାଇସ୍କୁଲରେ ସୋମବାର ଦିନ ବିଜୟ ଦିବସ ଧୁମଧାମରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ନାଏକ ସୁବେଦାର ଅମରେନ୍ଦ୍ର କୁମାର ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ଗୌରି କିଶୋର ସାହୁ ସଭାପତିତ୍ବ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ର ଭକ୍ତି, ପ୍ରେମ, ଚେତନା କିଭଳି ଜାଗ୍ରତ ହେବ ତାହାହିଁ ଏହି ଦିବସର ଉଦେଶ୍ୟ କହିଥିଲେ । ଭାରତ ଏହି ଦିବସରେ ପଡୋଶୀ ପାକିସ୍ତାନ କୁ ହରାଇ ବାଂଲାଦେଶ ଗଠନରେ କିଭଳି ଦାୟିତ୍ଵ ନିଭାଇଥିବା ତାହା ବର୍ଣ୍ଣନା କରିଥିଲେ । ସମସ୍ତେ ଦେଶ ପାଇଁ ଚିନ୍ତା କରିବା ଦରକାର ।ଦେଶ ରହିଲେ ସମାଜ ରହିବ ,ସମାଜ ରହିଲେ ପରିବାର ରହିବ । କାର୍ୟ୍ୟକ୍ରମରେ ଶିକ୍ଷକ, ଶିକ୍ଷୟତ୍ରୀ ତିଳୋତ୍ତମା ମହାନ୍ତ,ପ୍ରିୟ ଘୋଷ, ସଂଜୟ ମହାନ୍ତ, ରାଜକିଶୋର ମହାନ୍ତ, ବିଘ୍ନେଶ୍ୱର ମହାନ୍ତ , ସାମ୍ବାଦିକ ସତ୍ୟ ରଂଜନ ପାଲ, ସାମ୍ବାଦିକ ଜୀତେନ୍ଦ୍ର ଅଗ୍ରୱାଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ନିଜ ବିଦ୍ୟାଳୟ ପରିସରରେ ‘ବିଜୟ ଦିବସ’ ଆୟୋଜନ କରାଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସର ଭାବନା ଉଦ୍ରେକ ହୋଇଥିଲା ।