ଅଂଶୁଘାତକୁ ନେଇ ଆସିକାରେ ସ୍ୱାସ୍ଥ୍ୟ ବିଭାଗର ଆଗୁଆ ପଦକ୍ଷେପ

ଆସିକା, (ୱାଇଏନ୍‍ଏସ୍‍):ଆସିକା ଅଞ୍ଚଳରେ ଗତ କିଛି ଦିନ ହେଲା ଆରମ୍ଭ ହୋଇଯାଇଛି ଗ୍ରୀଷ୍ମପ୍ରବାହ । ଆଗକୁ ସ୍ଥିତି ଆହୁରି ଅସମ୍ଭବ ହେବାର ଆଶଙ୍କା କରାଯାଉଛି । ତାତିରୁ ରକ୍ଷା ପାଇବା ପାଇଁ ସାଧାରଣ ଜନତା ନାନା ପ୍ରକାର ଉପାୟ ଆପଣାଉଛନ୍ତି । ତଥାପି ଲୋକଙ୍କ ଉପରେ ଦାଉ ସାଧୁଛି ମୁଣ୍ଡଫଟା ଖରା ଓ ଗ୍ରୀଷ୍ଣପ୍ରବାହ । ଗ୍ରୀଷ୍ମ ପ୍ରବାହରେ ଅଂଶୁଘାତ ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ଅସହ୍ୟ ତାତିରେ ଅଂଶୁଘାତରେ ଶୀକାର ହେଲେ ଲୋକଙ୍କୁ ତ୍ୱରିତ୍‍ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଦୁଇଟି ଶଯ୍ୟା ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ଅଂଶୁଘାତ ଚିକିତ୍ସା କକ୍ଷ ପ୍ରସ୍ତୁତ ରଖାଯାଇଛି । ଏପରିକି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଆବଶ୍ୟକ ମୁତାବକ ଔଷଧ ସମେତ ପ୍ରଚୁର ପରିମାଣର ଓଆର୍‍ଏସ୍‍ ମହଜୁଦ ରଖାଯାଇଥିବା ଜଣାପଡିଛି । ଏହାପରେ ଯଦି ଅଂଶୁଘାତ ସମୟରେ ଆବଶ୍ୟକ ପଡେ ତେବେ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଥିବା ଜଣାପଡିଛି । ଗତ କିଛି ଦିନ ହେଲା ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ଯୋଗୁଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ମଧ୍ୟାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେଲା ଅସହ୍ୟ ତାତି ଯୋଗୁଁ ଦିନ ୧୦ଘଟିକା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ମୁଣ୍ଡଫଟା ଖରା ସାଙ୍ଗକୁ ଅଂଶୁଘାତ ଆଶଙ୍କା ସୃଷ୍ଟି ହୋଇଛି । ଗ୍ରୀଷ୍ମତାପ ବଢୁଥିବାରୁ ଲୋକେ ରାସ୍ତାରେ ଯାତାୟତ କରିବାକୁ ଭୟ କରୁଛନ୍ତି । ରାସ୍ତା ଘାଟ ଜନଶୂନ୍ୟ ହୋଇପଡୁଛି । ଖରାର ପ୍ରକୋପ କମିଲା ପରେ ସନ୍ଧ୍ୟା ସମୟରେ ରାସ୍ତା ଘାଟ ଚଳଚଞ୍ଚଳ ହୋଇ ଉଠୁଛି । ଆସିକା ସହରକୁ ବାହାରୁ ଆସୁଥିବା ବ୍ୟକ୍ତି ମାନେ ମୁଣ୍ଡରେ ଛତା କିମ୍ବା ଓଦା ଗାମୁଛା ପକାଇ ରାସ୍ତାରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ମଧ୍ୟାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରାସାଙ୍ଗକୁ ଗରମ ପବନ ଓ ଗୁଳୁଗୁଳି ଯୋଗୁଁ ଘରେ ରହିବା କଷ୍ଟସାଧ୍ୟ ହେଉଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ସହରର ବିଭିନ୍ନ ଥଣ୍ଡା ପାନୀୟ ଦୋକାନରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ଲସି, ଘୋଳ ଦହି, ସର୍ବତ, ଆଖୁରସ ପାନୀୟ କରି ଜନସାଧାରଣ ତୃଷା ମେଣ୍ଟାଉଥିବା ଦେଖିବାକୁ ମିଳୁଛି । ଅଂଶୁଘାତ ମୁକାବିଲା ପଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିବା ଜଣାପଡିଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଂଶୁଘାତ ଆକାନ୍ତଙ୍କୁ ଚିକିତ୍ସା ଲାଗି ଉଦ୍ଦିଷ୍ଟ କକ୍ଷକୁ ଶୀତତାପ ନିୟନ୍ତ୍ରିତ କରାଯାଇଥିଲା ବେଳେ ଆକ୍ୱାଗାର୍ଡ, ଥଣ୍ଡାପାଣି, ଅକ୍ସିଜେନ୍‍ ଓ ଚିକିତ୍ସା ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ମହଜୁଦ ରଖାଯାଇଥିଲା ବେଳେ ବିଦ୍ୟୁତ ପାୱାର କଟ୍‍ ଉପରେ ଗୁରୁତ୍ୱ ଦିଆଯିବା ସହ ଅଂଶୁଘାତ କକ୍ଷରେ ନିରବିଚ୍ଛିନ୍ନ ବିଦ୍ୟୁତସେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ଯେଭଳି ଅଂଶୁଘାତଜନିତ ଆକ୍ରାନ୍ତ ରୋଗୀ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ