ଅକ୍ଟୋବର ୨ରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବନ୍ଦ
ଭୁବନେଶ୍ୱର: ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ହେବ “ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍’? ୧୨ ଦିନ ତଳେ ଏ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଆଜି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଣସି ବ୍ୟକ୍ତିବିଶେଷ ପ୍ଲାଷ୍ଟିକ୍ ପଲିଥିନ୍ ଆଦି ଉତ୍ପାଦନ ଓ ବିକ୍ରି କରିପାରିବେ ନାହିଁ । ପ୍ଲାଷ୍ଟିକରୁ ନିର୍ମିତ ଚାମଚ, କପ୍, ପ୍ଲେଟ୍, ଗ୍ଲାସ୍, ପାଉଚ୍ ଆଦି ବ୍ୟବହାର ଉପରେ କଟକଣା ଲଗାଯାଇଛି । ଆଧ୍ୟାତ୍ମିକସ୍ଥଳୀ, ହୋଟେଲ୍, ରେଷ୍ଟୁରାଣ୍ଟ୍, କାଫେ, ଭ୍ରାମ୍ୟମାଣ ଖାଦ୍ୟ କାଉଣ୍ଟର, ବିବାହ ଉତ୍ସବ, ଅନୁଷ୍ଠାନ, କାର୍ଯ୍ୟାଳୟରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ହେଲେ ସମ୍ପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସେଥିପାଇଁ ଦାୟୀ ରହିବେ ।
ପୌରସଂସ୍ଥାର ଅଧିକାରୀମାନେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦେଶ ଦିଆଯାଇଛି । ପ୍ଲାଷ୍ଟିକର କିଭଳି ଉଚିତ ପରିଚାଳନା ଓ ପୁନଃଚକ୍ରଣ କରାଯିବ ସେ ଦିଗରେ ପୌରସଂସ୍ଥା ପକ୍ଷରୁ ପଦକ୍ଷେପ ନିଆଯିବ । ଜିଲ୍ଲାପାଳମାନେ ଅତିରିକ୍ତ ଜିଲ୍ଲାପାଳ, ଏସ୍ପି, ବନ ବିଭାଗ ଅଧିକାରୀ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ପୌରସଂସ୍ଥାର ଅଧିକାରୀମାନଙ୍କୁ ନେଇ ଏକ ଟିମ୍ ଗଠନ କରିବେ । ଉକ୍ତ ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପଲିଥିନ୍ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।


