ଅକ୍ଟୋବର ୪ରୁ ହିନ୍ଦୀ, ସଂସ୍କୃତ ଓ ଶାରୀରିକ ଶିକ୍ଷା ପ୍ରଶିକ୍ଷକଙ୍କ ନିଯୁକ୍ତି ପରୀକ୍ଷା
ଭୁୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟର ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଆସନ୍ତା ଅକ୍ଟୋବର ୪ ଓ ୫ ଦୁଇଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ଏହି ନିଷ୍ପତି ନିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଯୁକ୍ତି ସଂପର୍କିତ ଆଲୋଚନା ହୋଇଛି । ଗତ ଅଗଷ୍ଟ ୧୩ ତାରିଖରେ ଏହି ସଂକ୍ରାନ୍ତରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା । ବିଜ୍ଞାପନ ଅନୁସାରେ ଆସନ୍ତା ଅକ୍ଟୋବର ୪ ତାରିଖ ଦିନ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଏବଂ ୫ ତାରିଖରେ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୨୪ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନଙ୍କ ନିକଟକୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ପ୍ରବେଶ ପତ୍ର (ଆଡ୍ମିଟ୍ କାର୍ଡ) ପଠାଇବାକୁ ସ୍ଥିର କରାଯାଇଛି ।
ପରୀକ୍ଷା କେନ୍ଦ୍ରଗୁଡ଼ିକରେ କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ ସହିତ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରିବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ବିଭାଗର ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାରଙ୍କ ସମେତ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।


