ଅକ୍ଷିମୁଠି ଅନୁକୁଳ ସହ କୃଷକଙ୍କ ସମୃଦ୍ଧି କାମନା କଲେ ମନ୍ତ୍ରୀ

ବାଲେଶ୍ୱର, (ସରୋଜ ପଣ୍ଡା) :-ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସେରଗଡ ସ୍ଥିତ ସରକାରୀ ବିହନ ଫାର୍ମଠାରେ ଜିଲାସ୍ତରୀୟ କୃଷକ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲା କୃଷି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ପାରମ୍ପରିକ ପୂଜାର୍ଚ୍ଚନା ପରେ ଅକ୍ଷିମୁଠି ଅନୁକୂଳ କରିଥିଲେ । ପରେ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହି ପବିତ୍ର ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଜିଲାର କୃଷକମାନଙ୍କ ମଙ୍ଗଳ କାମନା କରିଥିଲେ । ରାଜ୍ୟର କୃଷି ଓ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ତାହାର ସୁଫଳ ଏବେ ରାଜ୍ୟକୁ ମିଳିବା ଆରମ୍ଭ ହୋଇଛି । ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ବାଲେଶ୍ୱର ଜିଲାକୁ ରାଜ୍ୟରେ ୧ ନମ୍ବର କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ରାଉତ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃଷି କ୍ଷେତ୍ରରେ ଯାନ୍ତ୍ରିକୀକରଣ ଓ ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଓଡ଼ିଶା ଏବେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇ ପାରିଥିବା ସେମାନେ କହିଥିଲେ । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଉପସ୍ଥିତ ରହି ଖାଦ୍ୟଶସ୍ୟ ଉତ୍ପାଦନରେ ଜାତୀୟ ହାର ସହିତ ସମାନ ହେବାକୁ ହେଲେ ଆମ ସମସ୍ତଙ୍କୁ ନିରନ୍ତର ପ୍ରୟାସ କରିବାକୁ ପଡିବ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଜିଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର କୃଷକ, ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟା, କୃଷି ଉତ୍ପାଦକ ସଂଘର କର୍ମକର୍ତ୍ତା, ସ୍ଥାନୀୟ ବାସିନ୍ଦା, କୃଷି ବିଭାଗ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଦର କୃଷି ଜିଲା ଅଧିକାରୀ ବୀରେନ୍ଦ୍ର କୁମାର ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ