ଅକ୍ଷୟଙ୍କ ସହ ଆଲୋଚନା କଲେ ଭୁବନେଶ୍ୱରର ଦୁଇ ବିଧାୟକ
ଭୁବନେଶ୍ୱର, : ଚାଷୀଙ୍କ ଜୀବିକା ସୁରକ୍ଷା ପାଇଁ ରବି ଓ ଖରିଫ୍ରେ ବର୍ଷକୁ ୧୦ ହଜାର ଲେଖାଏଁ ଟଙ୍କା ଦେବା ପାଇଁ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତିର ଖିଲାପ ପ୍ରତିବାଦରେ ନବନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ନିଜ ବିରିବନ୍ଧସ୍ଥିତ ଜଟଣୀ ସୁନ୍ଦରପଡ଼ା ରୋଡ଼ର କାର୍ୟ୍ୟାଳୟରେ ଚଳାଇଥିବା ଅନଶନ ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ୭୦ ଲକ୍ଷ ଚାଷୀ କାଳିଆ ଯୋଜନା ପାଇବେ, ଜଣେ ବି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ । କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ଓ ନିର୍ବାଚନ ଜିତିବାର ୨୪ ଘଣ୍ଟା ଭିତରେ ସମସ୍ତଙ୍କ ଜନଧନ ଆକାଉଣ୍ଟକୁ ୧୦ ହଜାର ଲେଖାଏଁ ଟଙ୍କା ଜମା ହେବ ବୋଲି କହିଥିଲେ । ମାତ୍ର ନିର୍ବାଚନ ପରେ ଏହି ଯୋଜନାରେ ବ୍ୟାପକ ଜାଲିଆତି ହେବା, ଅର୍ଦ୍ଧାଧିକ ଯୋଗ୍ୟ ହିତାଧିକାରୀ ଅର୍ଥ ନ ପାଇବା, କେତେକଙ୍କୁ ମେସେଜ୍ ମିଳିବା ପରେ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ନଯିବା ଭଳି ବିସଙ୍ଗତି ଘଟଣା ବ୍ୟାପକ ମାତ୍ରାରେ ଘଟିଥିଲା । ଏହା ବିରୁଦ୍ଧରେ ନବ ନିର୍ମାଣ ସଂଗଠନ ଗତ ଡ଼ିସେମ୍ବର ୧୬ ତାରିଖରେ ସମସ୍ତ ଏସ୍ପି ଅଫିସରେ ନବୀନ ପଟ୍ଟନାୟକ ବିରୁଦ୍ଧରେ ୪୦୬, ୪୦୯, ୪୧୫ ଓ ୪୨୦ ଦଫାରେ ମୋକଦ୍ଦମା କରିବା ପାଇଁ ଏତଲା ଦାୟର କରିଛି । ଏହା ପରେ ଏହି ଘଟଣାକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଜନସ୍ୱାର୍ଥ ମାମଲା ଦାୟର କରିଛି । ଏହା ପରେ ବି ନବୀନ ପଟ୍ଟନାୟକଙ୍କୁ ସତ୍ୟର ରାସ୍ତାରେ ଆଣିବା ପାଇଁ ଶ୍ରୀ କୁମାର ସତ୍ୟାଗ୍ରହ ଭାବରେ ଅନଶନ ଚଳାଇଛନ୍ତି । ଏହି ଅନଶନକୁ ରାଜ୍ୟ ବ୍ୟାପୀ କୃଷକମାନେ ସମର୍ଥନ ଜଣାଇବା ସହିତ ବିଭିନ୍ନ ଚାଷୀମାନେ ଶ୍ରୀ କୁମାରଙ୍କୁ ସାକ୍ଷାତ କରିବା ପାଇଁ ଆସୁଛନ୍ତି । ଆଜିର ଅନଶନସ୍ଥଳରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଅକ୍ଷୟ କୁମାରଙ୍କୁ ଭେଟି ଆଲୋଚନା କରି ଅନଶନକୁ ପ୍ରତ୍ୟାହାର କରିବା ପାଇଁ ନିବେଦନ କରିଥିଲେ । ଶ୍ରୀ କୁମାର ସରକାର ନିର୍ଦ୍ଦିଷ୍ଟ ଭାବରେ କାଳିଆ ଯୋଜନାରୁ ଯେଉଁ ଅର୍ଥ କାଟ କରିଛନ୍ତି ସେହି ଅର୍ଥ କାଟ ହେବ ନାହିଁ ବୋଲି ସରକାରୀ ଭାବେ ଘୋଷଣା କଲେ ମୁଁ ଅନଶନରୁ ଉଠିବି ବୋଲି କହିଥିଲେ । ଏହି ସମୟରେ ଜୋନ୍-୧ର ଏ.ସି.ପି. ମାନସ ଗଡ଼ନାୟକ, ଏୟାରଫିଲ୍ଡ଼ ଏସିପି ବିଷ୍ଣୁ ପାତ୍ର, ଆଇଆଇସି ଜ୍ଞାନେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭରତ, ଯୁବଛାତ୍ର ସଂଯୋଜକ ମନୱାର ଅଲ୍ଲୀ, ଆଶିଷ ବେହେରା, ପୁରୀ ଜିଲ୍ଲା ସଂଯୋଜକ ପ୍ରଫୁଲ ଜେନା, ଯାଜପୁର ସଂଯୋଜକ ଦୁର୍ଗାପ୍ରସାଦ ଦାସ, ମୀନା କୁମାର ସାହୁ, କୁନି ମହାପାତ୍ର, ବ୍ୟାସଦେବ ଓଝା, ମଧୁମିତା ସାମଲ ଓ ବାଉରୀବନ୍ଧୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


