ଅକ୍ଷୟ ତୃତୀୟାରେ ମିଳେ ଅକ୍ଷୟ ଫଳ
ସନ୍ତୋଷ କୁମାର ଦାଶ
ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଦିବସ ଟି ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ନାମ ରେ ପରିଚିତ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ଅକ୍ଷୟ ତୃତୀୟା ଏକ ମହାନ ପର୍ବ ଭାବେ ପାଳିତ ହୋଇ ଥାଏ। ଆମ ରାଜ୍ୟ ଚାଷୀ ବହୁଳ ରାଜ୍ୟ ହୋଇଥିବାବେଳେ ଅକ୍ଷୟ ତୃତୀୟା ଚାଷୀ ଓ କୃଷକ ମାନଙ୍କ ପର୍ବ ଭାବେ ପରିଗଣିତ ହୋଇଥାଏ। ପୌରାଣିକ ଗ୍ରନ୍ଥ ଅନୁସାରେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ରେ ଯେ କୌଣସି ଶୁଭ କାର୍ଯ୍ୟ କରାଗଲେ ଅକ୍ଷୟ ଫଳ ପ୍ରାପ୍ତ ହୋଇଥାଏ।ଏହି କାରଣରୁ ଉକ୍ତ ଦିନଟିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଇଥାଏ।ମାନ୍ୟତା ଅଛି କି,
ଅକ୍ଷୟ ତୃତୀୟା ହେଉଛି ଏପରି ଏକ ତିଥି ଯେଉଁ ତିଥି ରେ ସୌଭାଗ୍ୟ ଓ ଶୁଭଫଳ କେବେ ବି ଶେଷ (କ୍ଷୟ) ହୁଏ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଷୟ ତୃତୀୟା ତିଥି ର ପ୍ରତ୍ୟେକ ଟି ମୁହୂର୍ତ୍ତ ସ୍ଵୟଂସିଦ୍ଧ ହୋଇଥାଏ। ଅର୍ଥାତ ଯେଉଁ ତିଥି ର ସବୁ ସମୟ ରେ ଶୁଭ, ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ଓ ସମ୍ପୂର୍ଣ୍ଣ କରି। ହେବ।ଉକ୍ତ ଦିବସ ର କୌଣସି ସମୟ କୁ ବିବେଚନା କରାଯିବ ନାହିଁ। ଏହାକୁ ଅବୁଝା ମୁହୂର୍ତ୍ତ ବା ସିଦ୍ଧ ମୁହୂର୍ତ୍ତ ବୋଲି କୁହାଯାଇଥାଏ। ଅଗ୍ନି ପୁରାଣ, ବିଷ୍ଣୁ ଧର୍ମୋଦର ପୁରାଣ ଓ ଭବିଷ୍ୟ ପୁରାଣ ରେ ଅକ୍ଷୟ ତୃତୀୟା ତିଥି କୁ ବର୍ଷ ର ସର୍ବଶ୍ରେଷ୍ଠ ଶୁଭଦିନ ଭାବେ ବର୍ଣ୍ଣନା କରାଯାଇଛି। ସବୁ କାର୍ଯ୍ୟ ର ଅନୁକୂଳ ପାଇଁ ଅକ୍ଷୟ ତୃତୀୟା ଦିନ ଟି ବେଶ ଭଲ ଓ ଶୁଭ ହୋଇଥିବାରୁ ଏହି ଦିନ ଓଡ଼ିଆ ମାନେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ, ଗୃହ ପ୍ରବେଶ,ନିର୍ବନ୍ଧ, ବିବାହ କାର୍ଯ୍ୟ କରିବା ସହିତ ଚାଷୀ ମାନେ ନିଜ ନିଜ ବିଲ ରେ ବିହନ (ମଞ୍ଜି) କୁ ପୂଜା କରି ବୁଣା କାର୍ଯ୍ୟ ଆରମ୍ଭ କରିଥାନ୍ତି। ଆନୁଷ୍ଠାନିକ ଭାବେ ଏହି ଦିନ ଠାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହି ତିଥି ବୃତ୍ତିକା ବା ରୋହିଣା ନକ୍ଷତ୍ର ଯୁକ୍ତ ହୋଇଥିବାରୁ ଯେ କୌଣସି କାର୍ଯ୍ୟ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ଯେ କୌଣସି କାର୍ଯ୍ୟ ସମ୍ପାଦନ କରିବା ପାଇଁ ଉଦ୍ଦିଷ୍ଟ ଶ୍ରେଷ୍ଠ ସମୟ କୁ ମୁହୂର୍ତ୍ତ କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ବର୍ଷକ ମଧ୍ୟରେ ମାତ୍ର ସାଢେ଼ ତିନି ମୁହୂର୍ତ୍ତ କୁ ଶ୍ରେଷ୍ଠ ମୁହୂର୍ତ୍ତ ବୋଲି ବିବେଚନା କରାଯାଏ। ଏହି ସାଢେ଼ ତିନି ମୁହୂର୍ତ୍ତ କୁ ଅବୁଝ ବା ସ୍ଵୟଂସିଦ୍ଧ ମୁହୂର୍ତ୍ତ ବୋଲି କୁହାଯାଏ। ଏହି ଅବୁଝ ମୁହୂର୍ତ୍ତ ପାଇଁ ପଞ୍ଚାଙ୍ଗ ଦେଖିବାର ଆବଶ୍ୟକତା ନ ଥାଏ।
ଏହି ସାଢେ଼ ତିନି ଅବୁଝ ବା ସ୍ଵଂୟ ସିଦ୍ଧ ମୂହୁର୍ତ୍ତ ହେଉଛି ବୈଶାଖ ଶୁକ୍ଳ ତୃତୀୟା ତିଥି ବା ଅକ୍ଷୟ ତୃତୀୟା ଓ ଆଶ୍ୱିନ ମାସ ଶୁକ୍ଲ ଦଶମୀ ତିଥି ବା ବିଜୟା ଦଶମୀ,ଦଶହରା। ଏହି ଦିବସ ଦ୍ବୟ ରେ ଯାହା ଅନୁକୂଳ ହୋଇଥାଏ ତାହାର ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ଦିବସ ଟି କୃଷକ, ଚାଷୀ ମାନଙ୍କର ପ୍ରିୟ ଦିବସ ହୋଇଥିବାରୁ ସରକାର ଔପଚାରିକ ଭାବେ ଏହି ଦିବସ କୁ କୃଷକ ଦିବସ ଭାବେ ପାଳନ କରି ଆସୁଛନ୍ତି। ଆମ ରାଜ୍ୟ ର ଚାଷୀ ତଥା କୃଷକ ମାନେ ଏହି ଦିନ ଟିକୁ ବେଶ ଆନନ୍ଦ ଉଲ୍ଲାସ ର ସହ ଶୁଦ୍ଧି ଓ ସିଦ୍ଧି ଦିବସ ଭାବେ ପାଳନ କରିଥାନ୍ତି। ଚାଷୀ ଟିଏ ଏହି ଦିନ ଅକ୍ଷିମୁଠି (ଅକ୍ଷୟ ମୁଠି) ଅନୁକୂଳ କରି କୃଷି କାର୍ଯ୍ୟ ର ଶୁଭାରମ୍ଭ କରିଥାଏ। କୃଷକ ଟିଏ ଏହି ଦିନ ସ୍ନାନ କରି, ନବ ବସ୍ତ୍ର ପରିଧାନ କରି ତାର ଘରୁ ନିଜ ପତ୍ନୀ ଙ୍କ ଠାରୁ ହଳଦୀ, ଚନ୍ଦନ, ସିନ୍ଦୁର ବୋଳା ଧାନ ବିହନ (ମଞ୍ଜି) ପୂର୍ଣ୍ଣ ନୂଆ ଗଉଣି (ଧାନ ଓ ବିଭିନ୍ନ ଶସ୍ୟ ର ପରିମାଣ ଯେଉଁ ଥିରେ ମାପ କରାଯାଏ, ଯାହା ବେତ ବା ବାଉଁଶ ରେ ତିଆରି ହୋଇଥାଏ) କୁ ନିଜ ମୁଣ୍ଡରେ ଥୋଇ ଶଙ୍ଖ, ହୁଳହୁଳି ଶଦ୍ଦ ରେ ନେଇ ନିଜ ବିଲ କୁ ଯାଇଥାଏ। ଆଉ ଜଣେ ସାଥି ତାଙ୍କ ସହିତ ପାଣି ପୂର୍ଣ୍ଣ ଢାଳ, ଫୁଲ ଓ ବିଭିନ୍ନ ପ୍ରକାରର ପିଠାପଣା ଓ ହଳ ଲଙ୍ଗଳ ନେଇ କ୍ଷେତ କୁ ଯାଇଥାନ୍ତି। ନିଜ କ୍ଷେତ ରେ ଚାଷୀ ଟି ଧରଣୀ ମା ଓ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ପରେ ହଳ ଲଙ୍ଗଳ ଚଲାଇ ବିହନ ମଞ୍ଜି ସବୁକୁ ବୁଣିଥାନ୍ତି। ଏହାକୁ ଅକ୍ଷୀମୁଠି ଅନୁକୂଳ କାର୍ଯ୍ୟ ବୋଲି କୁହା ଯାଇଥାଏ। ଏହି ଦିନ ବିହନ ମଞ୍ଜି ବୁଣା ହେଲେ ସବୁ ବିହନ ମଞ୍ଜି ରୁ ଧାନ ଗଛ ସୃଷ୍ଟି ହୋଇ ଭଲ ଫସଲ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ କୁହାଯାଏ ଅକ୍ଷୟ ତୃତୀୟା ତିଥି ରେ ମିଳେ ଅକ୍ଷୟ ଫଳ। ଏହି ସମୟ କୁ ଏପରି ପାଣିପାଗ ହୋଇଥାଏ ଓ ବିଲ ର ମାଟି ଏପରି ହୋଇଥାଏ ଯେ, କୌଣସି ଧାନ ବିହନ ନଷ୍ଟ ହୋଇ ନ ଥାଏ। ଏହି ପବିତ୍ର ଅକ୍ଷୟ ତୃତୀୟା ତିଥି ରେ ପୁରୀ ଶ୍ରୀ କ୍ଷେତ୍ର ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ର ରଥ ନିର୍ମାଣ କାର୍ଯ୍ୟ ର ଶୁଭାରମ୍ଭ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ଶ୍ରୀ ମନ୍ଦିର ରୁ ଶ୍ରୀ ଜିୟୁ ମାନଙ୍କ ଆଜ୍ଞାମାଳ ରଥ ଖଳା କୁ ଏକ ବିରାଟ ଶୋଭାଯାତ୍ରା ରେ ବିଜେ ହୋଇଥାଏ। ତିନି ରଥ ପାଇଁ ତିନୋଟି ଆଜ୍ଞାମାଳ ପୂଜା ପଣ୍ଡା ଆଣି ଆସିଥାନ୍ତି। ତିନି ଆଜ୍ଞାମାଳ ତିନୋଟି ଧଉରା କାଠ ରେ ଲାଗି କରାଯାଏ। ପରେ ତିନି ରଥ ର ମୂଖ୍ୟ ମହାରଣା ମାନେ ନିଜେ ମା ଦକ୍ଷିଣ କାଳୀ ଙ୍କ ନିକଟରେ ପୂଜା ହୋଇଥିବା କୁରାଢି ରେ ୩ ଟି ରଥ କାଠ କୁ ସ୍ପର୍ଶ କରି ମହାପ୍ରଭୁ ଙ୍କୁ ପ୍ରାର୍ଥନା କରିଥାନ୍ତି। କିପରି ବିନା ବାଧାବିଘ୍ନ ରେ ରଥ ନିର୍ମାଣ ଓ ଘୋଷଯାତ୍ରା ସମ୍ପୂର୍ଣ ହେବ ସେ ନେଇ ଗୁହାରି କରିଥାନ୍ତି। ରଥଖଳା ଠାରେ ଶ୍ରୀ ମନ୍ଦିର ପୁରୋହିତ, ରାଜଗୁରୁ ଓ
ସୋତ୍ରୀୟ ବ୍ରାହ୍ମଣ ମାନେ ଏହି ଅବସରରେ ବନଜାଗ ପୂଜା ସମ୍ପାଦନା କରିବାର ବିଧି ରହିଛି। ଏହି ଦିବସ ଠାରୁ ମହାପ୍ରଭୁ ଙ୍କ ପ୍ରସିଦ୍ଧ ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଚନ୍ଦନଯାତ୍ରା ର ଶୁଭାରମ୍ଭ ହୋଇଥାଏ। ଏହି ଦିନ ବ୍ୟାସଦେବ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କ ଦ୍ବାରା ମହାଭାରତ ଗ୍ରନ୍ଥ ର ରଚନା ଆରମ୍ଭ କରିଥିଲେ। ଏହି ଦିନ ଭଗବାନ ଶ୍ରୀ ହରି ବିଷ୍ଣୁ ଙ୍କ ର ଷଷ୍ଠ ଅବତାର ଶ୍ରୀ ପର୍ଶୁରାମ ଅବତାର ଗ୍ରହଣ କରି ଥିଲେ। ଏହି ଦିନ ମା ଗଙ୍ଗା ଙ୍କର ପୃଥିବୀ ଲୋକ କୁ ଆଗମନ ହୋଇଥିଲା। ଏହି ଦିନ ଦେବତା କୁବେର ଙ୍କୁ ଧନ ଭଣ୍ଡାର ର ଦାୟୀତ୍ବ ମିଳିଥିଲା । ଏହି ଦିନ ଶ୍ରୀ କୃଷ୍ଣ ଓ ତାଙ୍କ ପରମ ମିତ୍ର ( ଶଖା) ସୁଦାମା ଙ୍କର ଭେଟ ହୋଇଥିଲା। ଏହି ଦିନ ସୂର୍ଯ୍ୟ ଦେବ ପଞ୍ଚୁ ପାଣ୍ଡବ ଙ୍କୁ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ ବୋଲି ମହାଭାରତ ରେ ବର୍ଣ୍ଣିତ ହୋଇଛି। ଏହି ଦିନ ବୃନ୍ଦାବନ ର ବାଙ୍କବିହାରୀ ମନ୍ଦିରରେ ଶ୍ରୀ କୃଷ୍ଣ ଙ୍କ ଚରଣ ଦର୍ଶନ ହୋଇଥାଏ। ଏହି ଦିନ କେନ୍ଦ୍ରାପଡା ର ପ୍ରସିଦ୍ଧ ଶ୍ରୀ ବଳଦେବ ଜୀୟୁ ମନ୍ଦିର ରେ ବଡ଼ଠାକୁର ,କୃଷି ର ଦେବତା ହଳାୟୁଧ ଶ୍ରୀ ବଳଭଦ୍ର ଓ ଦେବୀ ରେବତୀ ଙ୍କ ମଧ୍ୟରେ ଶୁଭ ବିବାହ ଅନୁଷ୍ଠିତ ହୋଇଥାଏ। ବିଶ୍ଵାସ ରହିଛି ଯେ, ଏହି ତିଥି ରେ ସତ୍ୟ ଓ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା। ଏହି ଦିନ ଆଦି ଶଙ୍କରାଚାର୍ଯ୍ୟ କଜଳଧାରା ସ୍ତୋତ୍ର ରଚନା କରିଥିଲେ। ଏହି ଦିନ ପ୍ରସିଦ୍ଧ
ବଦ୍ରୀନାଥ ଧାମ ମନ୍ଦିର ର ଦ୍ଵାର ଖୋଲାଯାଇଥାଏ। ଏହି ଦିନ ଶିବ ଶମ୍ଭୁ ଙ୍କ ଶୀତଳ ଷଷ୍ଠୀ ଯାତ୍ରା ର ଶୁଭାରମ୍ଭ ହୋଇଥାଏ। ଏଥିରୁ ଅନୁମେୟ ହୋଇଥାଏ ଯେ, ଅକ୍ଷୟ ତୃତୀୟା ତିଥି କେତେ ଶୁଦ୍ଧ ଓ ପବିତ୍ର ଦିନ ଟିଏ। ସେଥିପାଇଁ ଓଡ଼ିଆ ରେ ଢେଗ ଟିଏ ଅଛି ଯେ, ଅକ୍ଷୟ ତୃତୀୟା ମହା ଶୁଭ ଦିନ, ସବୁ କାମେ ଫଳ ଶୁଭ। ବିନା ପାଞ୍ଜି ଦେଖି, ତିଥି ବି ନ ଜାଣି କି କାର୍ଯ୍ୟ କର ଶୁଭାରମ୍ଭ।
ଜୟ ଜଗନ୍ନାଥ।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮