ଅକ୍ଷୟ ମହାନ୍ତିଙ୍କ ପୁଣ୍ୟ ଜୟନ୍ତୀ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଅନୁଷ୍ଠାନ ପରିସରରେ ଓଡିଆ ସଂଗୀତ ଜଗତର ଅପ୍ରତିଦ୍ୱନ୍ଦୀ ବାଦ୍‌ଶାହା ଚିରସବୁଜ ସଂଗୀତଜ୍ଞ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ୮୬ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ପବ୍ଲିକ୍ ସ୍କୁଲର ପ୍ରତିଷ୍ଠାତା ଅଜୟ କୁମାର ରାଉତ୍ ମୁଖ୍ୟ ଅତିଥି ଏବଂ କବି ତଥା ସ୍ୱରତୀର୍ଥର ସଭାପତି ଡା ମନୋରଞ୍ଜନ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅକ୍ଷୟଙ୍କ ସ୍ମୃତି ଚାରଣ କରିଥିଲେ । ଅନୁଷ୍ଠାନର ଶିଳ୍ପୀ ରୂପାଲି ସୂତାର, ବୈଶାଖି ପରିଡା, ପାର୍ବତୀ ପରିଡା, ଭାଗ୍ୟଲକ୍ଷ୍ମୀ ପରିଡା, ରାଜଲକ୍ଷ୍ମୀ ପରିଡା, ସୁଧାରାଣୀ ସାହୁ ପ୍ରମୁଖ କଳାକାରମାନେ ପ୍ରଥମେ ଅକ୍ଷୟଙ୍କ କାଳଜୟୀ ସୃଷ୍ଟି ପେଟେଂଟ୍ ମେଡିସିନ୍‌, କାଂଚି ଅଭିଯାନ, ମାଠିଆରେ ଗୋଟେ କଣା, ଢୁଲ ପାରେ ବଜା, ନାଉରିଆ ଗୀତ, ଫୁଲେଇ ରାଣୀ ଇତ୍ୟାଦି ଉପରେ ନୃତ୍ୟାଭିନୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲେ । ଶ୍ରଦ୍ଧାଞଳି ସଭା ଶେଷରେ ବହୁ ପ୍ରତିକ୍ଷୀତ ଅକ୍ଷୟ ମହାନ୍ତି ସଂଗୀତ ସଂଧ୍ୟା ଶ୍ରୀ ପରିଡାଙ୍କ ନେତୃତ୍ୱ ତଥା ବଳିଷ୍ଠ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ପରିଡାଙ୍କ ସମେତ ନିରୁପମା ଜେନା, ରଞ୍ଜନ ବରାଳ, କୈଳାସ ପରିଡା, ଅଜୟ ଜେନା, ବଳରାମ ମଳିକ, ପର୍ଶୁରାମ ସ୍ୱାଇଁ ପ୍ରମୁଖ କଳାକାରମାନେ ଅଂଶ ଗ୍ରହଣ କରିଥିଲେ । ଅକ୍ଷୟଙ୍କ ଜନପ୍ରିୟ ଗୀତ କେଣେ ଘେନି ଯାଉଛ, ପୁଣ୍ୟର ନଦୀ ତୀରେ, ହେ ଫଗୁଣ ତୁମେ, ନଦୀ ତୋର, ଏଇ ଯେ ବନଲତା ପାହାଡ, ନିଦ ଏକ ଫୁଲବନ, ନିଦ ମାଉସୀ, ବାଜେ ବଇଁଶୀ ଏବଂ ଦୁନିଆଁ ଜାଣେତ ଶିଳ୍ପୀମାନଙ୍କ କଣ୍ଠରେ ଏକ ଭାବଗମ୍ଭୀର ପରିବେଶ ସୃଷ୍ଟି କରିଥିଲା । ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା କି ବୋର୍ଡ ବାଦକ ସ୍ୱର୍ଗତ ଉମେଶ ଚନ୍ଦ୍ର ପଣ୍ଡାଙ୍କୁ ଅନୁଷ୍ଠାନ ପକ୍ଷରୁ ଗଭୀର ଶ୍ରଦ୍ଧାଞଳି ଅର୍ପଣ କରାଯାଇଥିଲା । ଗୁରୁ ପ୍ରକାନ୍ତ ମହାରଣା, ପ୍ରମୋଦ ଦାସ୍‌, ରବୀନ୍ଦ୍ରନାଥ ମିଶ୍ର, ଧିରାମଣି ପରିଡା, ଦିବ୍ୟଜ୍ୟୋତି ପରିଡା, ବିଶାଲ୍ ପରିଡା, ଅମର ବିଶ୍ୱାଳ, ଅଜୟ ପଣ୍ଡା, ସୁବାସ ପାତ୍ର, ନୃସିଂହ ତ୍ରପାଠୀ, କାଶୀନାଥ ରାଉତରାୟ, ପ୍ରଣବ କୁମାର ଜେନା, ରାମକୃଷ୍ଣ ଦାଶ, ତ୍ରିଲୋଚନ ଜେନା, ନିରଞ୍ଜନ ପରିଡା, ଅଞ୍ଜନ ସ୍ୱାଇଁ, ହେମନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗୁରୁ ସମୀରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ