ଅକ୍ଷୟ ମହାନ୍ତି କହିଥିଲେ “୧୦ ଲକ୍ଷ ବ୍ୟାଙ୍କ ବାଲାନ୍ସ ନୁହେଁ, ୧୦ଲକ୍ଷ ହୃଦୟରେ ରହିବା ଦରକାର’

ଥରେ ଦୂରଦର୍ଶନର ଏକ ସାକ୍ଷାତକାରରେ ଅକ୍ଷୟ ମହାନ୍ତି କହିଥିଲେ, ମୋ ପାଖରେ ସିନା ୧୦ ଲକ୍ଷ ଟଙ୍କାର ବ୍ୟାଙ୍କ୍ ବାଲାନ୍ସ ନାହିଁ, କିନ୍ତୁ ମୁଁ ଯଦି ୧୦ଲକ୍ଷ ଲୋକଙ୍କ ହୃଦୟ ଭିତରେ ଅଛି, ତେବେ ଆଉ କ’ଣ ଦରକାର । ଏ ଉକ୍ତିରେ କେତେ ବିଶ୍ୱାସ ଥିଲା, ତାହା ଗୋଟିଏ ଘଟଣା ହିଁ ବୁଝେଇଦିଏ । ଅକ୍ଷୟ ମହାନ୍ତିଙ୍କ ସମ୍ବନ୍ଧରେ ଗବେଷଣାରତ ଡ. ଜେନାମଣି ସଂଜୀବ କୁମାରଙ୍କ କହିବା ମୁତାବକ, ଥରେ ଅକ୍ଷୟ ମହାନ୍ତି ଦକ୍ଷିଣ ଓଡି଼ଶାକୁ ଏକ ସଂଗୀତ କାର୍ଯ୍ୟକ୍ରମକୁ ଯାଉଥାନ୍ତି । ହଠାତ୍ ତାଙ୍କ ପାନ ଡବାରୁ ପାନ ସରିଗଲା । ବ୍ୟସ୍ତବିବ୍ରତ ହୋଇ ସେ ଗାଡ଼ି ଭିତରୁ ରାସ୍ତାର ଉଭୟ ପାଶ୍ୱର୍କୁ ଚାହିଁଲେ । ଗାଡ଼ି ଭିତରେ ବସିଥିବା ଯୁବକ କହିଲେ, ଏଠାରୁ ୩୦କିମି ଭିତରେ ଆମକୁ ଆଉ ପାନ ମିଳିବନି । ଏହା ତାଙ୍କୁ କରେଣ୍ଟ୍ ମାରିବା ଭଳି ଲାଗିଲା । ସେ ସଙ୍ଗେସଙ୍ଗେ ଡ୍ରାଇଭରକୁ କହିଲେ, ଗାଡ଼ି ଅଟକାଅ, ଦେଖ ମୁଁ କେମିତି ୫ ମିନିଟରେ ପାନ ଯୋଗାଡ଼ କରୁଛି । ବାହାରେ ଠିଆ ହୋଇଥିବା ବେଳେ ଆମ୍ବାସଡର କାରେରେ ପିଲା ଛୁଆ ଧରି ଯାଉଥିବା ଜଣେ ବ୍ୟକ୍ତି ଗାଡ଼ି ଅଟକାଇ ଚିଲେଇଲେ, ଖୋକା ଭାଇ । ଏତକ କହି ସେ ଗାଡ଼ି ବି ଅଟକାଇଲେ । ଭଦ୍ରବ୍ୟକ୍ତି ଜଣକ ପଚାରିଲେ, ଖୋକା ଭାଇ କ’ଣ ଅସୁବିଧା ହେଇଛି କି? ଅକ୍ଷୟ ଉତ୍ତର ଦେଲେ, ହଁ ମୋ ପାନ ସରିଯାଇଛି । ଏହା ଶୁଣିବା ମାତ୍ରେ ଭଦ୍ରବ୍ୟକ୍ତି ଜଣକ ଅଳ୍ପ ହସି ନିଜ ମା’ଙ୍କ ପାନ ବଟୁଆରୁ ୪ ଖଣ୍ଡ ପାନ ଆଣି ଦେଲେ । ଏ ଘଟଣାକୁ ନିର୍ବାକ ହୋଇ ଯୁବକଜଣକ ଦେଖୁଥାଆନ୍ତି । ଅକ୍ଷୟ ସେଇ ଯୁବକଙ୍କୁ ବୁଝେଇ ଦେବା ଉଦ୍ଦେଶ୍ୟରେ କହିଲେ, ଓଡ଼ିଶାର ନିଭୃତ କୋଣରୁ ଲୋକ ଯଦି ମତେ ଚିହ୍ନି ନପାରିବେ, ତେବେ ମୁଁ କି ଅକ୍ଷୟ ମହାନ୍ତି?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ