ଅଖତରଙ୍କୁ କଡ଼ା ସମାଲୋଚନା କଲେ କପିଳଦେବ
ନୂଆଦିଲ୍ଲୀ: କରୋନା ଭାଇରସ ମୁକାବିଲା ପାଇଁ ପାଣ୍ଠି ସଂଗ୍ରହ ଲାଗି ପ୍ରସିଦ୍ଧ ପାକିସ୍ତାନ ପେସ ବୋଲର ସୋଏବ ଅଖତର ଭାରତ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କିମ୍ବଦନ୍ତୀ ଅଧିନାୟକ କପିଲ ଦେବ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଅଖତରଙ୍କୁ କଡ଼ା ସମାଲୋଚନା କରିବା ସହ ଭାରତକୁ ଅର୍ଥର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ।
କପିଲ କହିଛନ୍ତି ସେ (ଅଖତର) ନିଜର ମତାମତ ଦେଇପାରିବେ, କିନ୍ତୁ ଆମକୁ ପାଣ୍ଠି ସଂଗ୍ରହ କରିବାର ଆବଶ୍ୟକତା ନାହିଁ । ଆମ ପାଖରେ ପର୍ଯ୍ୟାପ୍ତ ପାଣ୍ଠି ଅଛି । ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆମର ଅଧିକାରୀମାନେ କଠିନ ସମୟରେ କିଭଳି ଏକଜୁଟ ହୋଇ କାର୍ଯ୍ୟ କରିବେ । ମୁଁ ଏବେ ବି ଦେଖୁଛି ଟିଭିରେ ରାଜନେତାମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ପ୍ରଥମେ ଏସବୁ ବନ୍ଦ କରିଦେବା ଉଚିତ । ବିସିସିଆଇ ୫୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛି । ଯଦି ମ୍ୟାଚ ଆୟୋଜନ କରାଯାଇ ପାଣ୍ଠି ସଂଗ୍ରହ କରାଯାଏ, ତା ହେଲେ ଏହା ବିସିସିଆଇ ସହାୟତା ରାଶି ଠାରୁ ଅଧିକ ହେବନି ।
ବର୍ତ୍ତମାନର ସ୍ଥିତିକୁ ନେଇ କପିଲ କହିଛନ୍ତି, ଏହି କଠିନ ସମୟ ଏତେ ଶୀଘ୍ର ସୁଧୁରି ଯିବନି । ତେଣୁ ଆମେ କି୍ରକେଟ ମ୍ୟାଚ ଆୟୋଜନ କରି ଖେଳାଳିମାନଙ୍କ ଜୀବନକୁ ବିପଦରେ ପକାଇବାକୁ ଚାହୁଁନାହୁଁ । ଜୀବନଠୁ ଆଉ କିଛି ବଡ଼ ନାହିଁ । ୩ଟି ମ୍ୟାଚ ଆୟୋଜନ କରି କେତେ ପାଣ୍ଠି ସଂଗ୍ରହ କରାଯାଇପାରିବ । ମୋ ମତରେ ୫ ରୁ ୬ ମାସ ପର୍ଯ୍ୟନ୍ତ କ୍ରିକେଟ ବିଷୟରେ ଭାବିବା ଭୁଲ ହେବ । ଭାରତ ଏବେ ଅନ୍ୟ ଦେଶମାନଙ୍କୁ ସହଯୋଗ କରୁଛି । ଅନ୍ୟମାନଙ୍କୁ ସହଯୋଗ କରିବା ଆମର ପରମ୍ପରା । ଯାହାକୁ ନେଇ ମୁଁ ଗର୍ବ କରୁଛି ।’


