ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷାଭ ଓ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଶାଖା ପକ୍ଷରୁ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘଦିନ ଧରି ଜଙ୍ଗଲ ଜମିରେ ବସବାସ କରିଆସୁଥିବା କନ୍ଧାଚାଷୀମାନଙ୍କୁ ଜଙ୍ଗଲ ଜମିରେ ପଟ୍ଟା ପ୍ରଦାନ ପାଇଁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସ୍ୱାଧୀନତାର ୭୩ବର୍ଷ ପରେବି ଆଜିଭଳି ଅଗଷ୍ଟକ୍ରାନ୍ତୀ ଦିବସ ଓ୧ ନାଗାସାକ୍ଷୀ ଦିବସ ପାଳନ ଅବସରରେ ସରକାର ଚାଷ ଓ ଚାଷୀର ଉନ୍ନତି ପାଇଁ ଚିନ୍ତା ପ୍ରକଟ କରି ନାହାନ୍ତି । ଦେଶର ୮୦ଭାଗଲୋକ ଚାଷ ଉପରେ ନିର୍ଭର କରୁଥିଲେ ମଧ୍ୟ ପେଟକୁ ମୁଠାଏ ଦାନା,ପିଠିକୁ ଖଣ୍ଡେ କନା ପାଇପାରୁ ନାହାନ୍ତି । ସେହିପରି ମହାକାଳପଡା ବ୍ଲକ ଅନ୍ତର୍ଗତ ବତୀଘର ରାମଚଣ୍ଡି କୃଷକ ସଭାର ଚାଷୀମାନେ ପ୍ରାୟ ୮୦ବର୍ଷରୁ ଉଦ୍ଧ୍ୱର୍ ସମୟଧରି କନ୍ଧାଚାଷ କରି ରହି ଆସୁଥିଲେ ମଧ୍ୟ ସେମାନଙ୍କ ଜମିରୁ ସେମାନଙ୍କୁ ଉଛେଦ କରାଯିବା ପାଇଁ ମିଥ୍ୟା ମାମଲା କରାଯାଉଛି । ଏହି ଅବସରରେ ଏକ ୯ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସେହି ଦାବି ଗୁଡିକ ମଧ୍ୟରେ ଫନିବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ କରାଯିବା,ବାତ୍ୟାର ୪ମାସ ପରେବି ଘର ଭାଙ୍ଗିଯାଇଥିବା ଲୋକମାନଙ୍କୁ କ୍ଷତିପୁରଣ ପ୍ରଦାନ କରାଯିବା,ବତୀଘର ପଂଚାୟତର ହେଟାମୁଣ୍ଡିଆ -୧୧୭୦,କଂସାରୀଡିଆ – ୪୯୮,ଯୋଗୀଧାନକୁଦ – ୩୭୭ ,ସରଳିକୁଦ – ୮୫ ,ସାନଟୁବି -୧୦୫୦ ଦାବିଦାରଙ୍କ ଅପିଲକେଶର ତୁରନ୍ତ ସମାଧାନ,ସରକାରୀ ଉଦ୍ୟମରେ କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା,ମନରେଗା ମେଯାଜନାରେ ଚାଷୀଙ୍କୁ ସାମିଲ କରାଯାଇ ବର୍ଷକୁ ୨ଶହ ଦିନର କାମ ଦିଆଯିବା,ଚାଷୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବାବଦ ୩ହଜାର ଟଙ୍କା ମାସିକ ପ୍ରଦାନ କରାଯିବା,ଜଳସେଚନ,ଜଳନିଷ୍କାସନ ଓ ଜଳସଂରକ୍ଷଣର ବ୍ୟବସ୍ଥା କରାଯିବା,ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରାଯିବା,ଉଠାଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରାଯିବା,ବାତ୍ୟାକ୍ଷତିଗ୍ରସ୍ତ ଚାଷୀଙ୍କର ଋଣ ଛାଡ କରାଯିବା ସହିତ ତୁରନ୍ତ ସେମାନଙ୍କୁ ଋଣ ଯୋଗାଇଦିଆଯିବା ଓ ରିହାତିରେ ସାର,ଔଷଧ ଯୋଗାଇ ଦିଆଯିବା ପ୍ରଭୃତି ଦାବି ରହିଛି । ରାମଚଣ୍ଡି କୃଷକ ସଭାର ସମ୍ପାଦକ ହରେକୃଷ୍ଣ ମାଝି, ସିପିଆଇର ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଅଖିଳ ଭାରତ କୃଷକ ସଭାର କୁବେର ଚନ୍ଦ୍ର ସାହୁ, କାନ୍ତିପ୍ରଭା ନାୟକ, ବସନ୍ତ କୁମାର ତ୍ରିପାଠୀ, ଅନିରୁଦ୍ଧ ବେହେରା, ପ୍ରଦୀପ୍ତ କୁମାର ରାଉତ, ରାଜୀବଲୋଚନ ଦଳାଇ ପ୍ରମୁଖ ଶତାଧିକ ବିକ୍ଷୋଭକାରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।