ଅଗମ୍ୟ ଆଦିବାସୀ ପଲ୍ଲୀରେ ବନବାସୀଙ୍କୁ ଶୀତବସ୍ତ୍ର ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସମ୍ପ୍ରତି ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ସାଙ୍ଗକୁ ଶୀତ ଲହରୀ ଜାରି ରହିଛି । ରାଜ୍ୟର ଉପକୂଳରୁ ଉପାନ୍ତ ଅଞ୍ଚଳ ମଧ୍ୟରେ ଏମିତି ଅନେକ ଅଗମ୍ୟ ଆଦିବାସୀ ଗାଆଁ ରହିଛି ଯେଉଁଠି ଅଭାବୀ ପରିବାର ହାଡ଼ଭଙ୍ଗା ଜାଡ଼ରୁ ମୁକୁଳିବା ପାଇଁ ଖଣ୍ଡିଏ ଚାଦର ଅଥବା ସୁଇଟର ଖଣ୍ଡିଏ କିଣିବା ବଡ଼ କଷ୍ଟ । ଏଭଳି ଅଗମ୍ୟ ଆଦିବାସୀ ପଲ୍ଲୀରେ ପହଂଚି ସହଯୋଗର ହାତ ବଢାଇଛି ସାମାଜିକ ଅନୁଷ୍ଠାନ ରେଡ୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା । ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଛତାବର ଗ୍ରାମପଞ୍ଚାୟତ ଅଧିନସ୍ଥ ଚନ୍ଦକା-ଡମ୍ପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଆଦିବାସୀ ପଲ୍ଲୀ କନ୍ଦଳେଇର ମୋଟ ୫୦ଟି ବନବାସୀ ପରିବାରକୁ ଅନୁଷ୍ଠାନ ପକ୍ଷରୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ଗାଆଁର ବିକାଶ ନେଇ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବଣ୍ଟନ କାର୍ଯ୍ୟକ୍ରମରେ ରେଡ୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶାଖାର ସମ୍ପାଦକ ଦେବାଶିଷ ପଟ୍ଟନାୟକ, ସାମାଜିକ କର୍ମୀ ଶ୍ରୀପତି ଆଚାର୍ଯ୍ୟ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ବାଳକୃଷ୍ଣ ରାଉତ, ପ୍ରଦୀପ୍ତ ରଞ୍ଜନ ରାଉତ, ବାଲୁକାଶିଳ୍ପୀ ସୁବଳ ମହାରଣା, ମନୋଜ ପ୍ରଧାନ, ଅଙ୍କିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବନବାସୀଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ସୋସାଇଟିର ଏହି ମହତ୍ ପଦକ୍ଷେପକୁ ବନବାସୀମାନେ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଥିଲେ ।


