ଅଗମ୍ୟ ଆଦିବାସୀ ପଲ୍ଲୀର ବିଦ୍ୟାର୍ଥୀଙ୍କୁ ଶୀତବସ୍ତ୍ର ପ୍ରଦାନ
ଭୁବନେଶ୍ୱର : ମେଘ ଛାଡ଼ିଗଲା । ରାଜ୍ୟକୁ ପୁଣି ବାଘ ଭଳି ଫେରିଛି ହାଡ଼ଭଙ୍ଗା ଜାଡ଼ । ଜାଡ଼ରେ ଥରୁଛି ଓଡ଼ିଶା । ଉପକୂଳଠାରୁ ଆରମ୍ଭ କରି ସାରା ରାଜ୍ୟ ଶୀତ ପ୍ରକୋପରେ କଲବଲ । କେବଳ ଶୀତ ନୁହେଁ, ଘନ କୁହୁଡ଼ି ମଧ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । କୁହୁଡ଼ି ଏପରି ହେଉଛି ଯେ, ମୁହଁକୁ ମୁହଁ ଦିଶୁନି । ଦିନ ୨ଟାରୁ ମାଡ଼ି ଆସୁଛି କୋହଲା ପବନ । ଲୋକେ ପଦାକୁ ବାହାରିବା ପାଇଁ ଡ଼ରୁଛନ୍ତି । ବିଦ୍ୟାଳୟକୁ ଅନେକ ବିଦ୍ୟାର୍ଥୀ ଶୀତ ଭୟରେ ଆସୁନାହାଁନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ନିକଟସ୍ଥ ଅଗମ୍ୟ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା କନ୍ଦଳେଇ ଆଦିବାସୀ ପଲ୍ଲୀରେ । ଗାଁଟି ବିକାଶ ଠାରୁ ବହୁ ଦୂରରେ । ପ୍ରତିଟି ପରିବାର
ଦାରିଦ୍ର୍ୟ ସୀମାରେଖା ତଳେ ଅର୍ନ୍ତଭୁକ୍ତ । ଗାଁରେ ଅଭାବୀ ପିତାମାତାଙ୍କ ପକ୍ଷେ ଖଣ୍ଡିଏ ସୁଇଟର ବା ଚାଦର କିଣିବା ବଡ କଷ୍ଟକର । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଦ୍ୟାର୍ଥୀମାନଙ୍କର ଦୁଃଖ ଦୁର୍ଦ୍ଦଶାକୁ ଅନୁଭବ କରି ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏଲିଟିର ସଦସ୍ୟମାନେ ଅଣ୍ଟା ଭିଡ଼ି ଆଗେଇ ଆସିଛନ୍ତି । ସାମାଜିକ କର୍ମୀ ସୁଶାନ୍ତ
ସାହୁଙ୍କ ତତ୍ତ୍ୱାବଧାନରେ କ୍ଲବର ସଭାପତି ସୁକାନ୍ତ କୁମାର ରାୟ, ରୋଟାରିୟାନ ତମାଲ ଭଞ୍ଜ ଚୌଧୁରୀ, ସୁବ୍ରତ ଦାସ, ନିହାରେନ୍ଦୁ ଭୂୟାଁ ମହାପାତ୍ର, ଗୋଲକ ମାଝୀ ପ୍ରମୁଖ ଗାଁରେ ପହଞ୍ଚି ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ଖଣ୍ଡିଏ ଲେଖାଏଁ ସୁଇଟର ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ କନ୍ଦଳେଇର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ, ଶିକ୍ଷକ ସୁବାସ ଓଝା, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଏହି ସୁଇଟର ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କ୍ଲବର ଏହି ମହତ୍ ପଦକ୍ଷେପକୁ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ମନସ୍ୱିନୀ ମିଶ୍ର ଡ଼େଙ୍ଗ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି


