ଅଗଷ୍ଟ ପର୍ଯ୍ୟନ୍ତ ଟି-୨୦ ବିଶ୍ବକପ ନିଷ୍ପତ୍ତି ସ୍ଥଗିତ: ଆଇସିସି

ଦୁବାଇ: କୋରୋନା ମହାମାରୀ ପାଇଁ ବିଶ୍ବର ସବୁ କ୍ରୀଡ଼ା ପ୍ରତିଯୋଗିତାକୁ ପ୍ରାୟତଃ ବାତିଲ ଅଥବା ସ୍ଥଗିତ ରଖାଯାଇଛି। ଏହିପରି ସ୍ଥିତିରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ ନେଇ କୌଣସି ନିଷ୍ପତ୍ତି ହୋଇ ନ ଥିବା ସୂଚନା ମିଳିଛି। ଆଇସିସି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଟି-୨୦ ବିଶ୍ବକପ ବାତିଲ କିମ୍ବା ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇ ନାହିଁ। ଏନେଇ ମଧ୍ୟ ନିଷ୍ପତ୍ତି ଏବେ ଠାରୁ ନିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି। ପରିସ୍ଥିତିକୁ ଦେଖି ଅଗଷ୍ଟ ବେଳକୁ ଏନେଇ ନିଷ୍ପତ୍ତି ହେବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଆସନ୍ତା ଗୁରୁବାର ଆଇସିସି ପକ୍ଷରୁ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଭିଡିଓ କନଫରେନ୍ସିଂରେ ହେବାକୁ ଯାଉଛି। ଭାରତ ପକ୍ଷରୁ ଏହି ବୈଠକରେ ବୋର୍ଡ ସମ୍ପାଦକ ଜୟ ଶାହ ଯୋଗ ଦେବେ ବୋଲି ସୂଚନା ମିଳିଛି। କୋରୋନା ନେଇ ଦେଖା ଦେଇଥିବା ସମସ୍ୟା ଓ ଆଇସିସିର ପରବର୍ତ୍ତୀ ପ୍ରତିଯୋଗିତା ବାବଦରେ ଏହି ବୈଠକରେ ଆଲୋଚନା ହେବ ବୋଲି ମଧ୍ୟ ସୂଚନା ମିଳିଛି। ଅଷ୍ଟ୍ରେଲିଆ ୬ ମାସ ପାଇଁ ସୀମା ସିଲ୍ କରି ଦେଶରେ କୋରୋନା ସଂକ୍ରମଣ ରୋକିବାକୁ ପ୍ରୟାସ କରୁଛି। ତେଣୁ ସମ୍ଭବତଃ ଅକ୍ଟୋବର ବେଳକୁ ଅଷ୍ଟ୍ରେଲିଆରେ ସବୁ ଠିକ ହୋଇ ଯାଇଥିବ ବୋଲି ଆଶା କରାଯାଉଛି। ଏପରିକି ଦରକାର ପଡ଼ିଲେ ଦର୍ଶକ ଶୂନ୍ୟ ଷ୍ଟାଡିୟମରେ ମଧ୍ୟ ମ୍ୟାଚ ଆୟୋଜନ ନେଇ ଚିନ୍ତା କରାଯାଉଥିବା ପ୍ରସଙ୍ଗ ଆଲୋଚନା ପରିସରକୁ ଆସିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ