ଅଗଷ୍ଟ ୧୨ ଯାଏଁ ଯାତ୍ରୀବାହୀ ଟ୍ରେନ୍ ବାତିଲ
ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଏହତ କାରଣରୁ ଏବେ ରେଳବାଇ ବୋର୍ଡ ନିଷ୍ପତ୍ତି ନେଇଛି ଯେ, ଆସନ୍ତା ଅଗଷ୍ଟ ୧୨ ଯାଏଁ ନିୟମିତ ଭାବେ ଚାଲୁଥିବା ସମସ୍ତ ମେଲ, ଏକ୍ସପ୍ରେସ, ଯାତ୍ରୀ ଓ ଇଣ୍ଟରସିଟି ସେବା ବନ୍ଦ ରହିବ। ଏଥି ସହିତ ରେଳବାଇ ବୋର୍ଡ ନିର୍ଦ୍ଧାରଣ କରିଛି ଯେ, ଜୁଲାଇ ୧ରୁ ଅଗଷ୍ଟ ୧୨ ଯାଏଁ ଯାତ୍ରା ପାଇଁ ବୁକ ହୋଇଥିବା ସମସ୍ତ ଟିକେଟ ବାତିଲ ରହିବ। ଭାରତୀୟ ରେଳବାଇ ନିୟମିତ ଟ୍ରେନ ପାଇଁ ଏପ୍ରିଲ ୧୪ ଅଥବା ଏହା ପୂର୍ବରୁ ବୁକ ହୋଇଥିବା ସମସ୍ତ ଟିକେଟ ବାତିଲ କରିବାକୁ ଘୋଷଣା କରିଛି। ଏଥି ସହିତ ଏହି ଟିକେଟର ପୂରା ଫେରସ୍ତ ଦେବାକୁ କହିଛି। ରେଳବାଇ ବୋର୍ଡ କହିଛି ଯେ, ରେଳ ମନ୍ତ୍ରଣାଳୟ ଏହା ନିର୍ଦ୍ଧାରଣ କରିଛି ଯେ, ନିୟମିତ ଟେନ ଲାଗି ୨୦୨୦ ଏପ୍ରିଲ ୧୪ ପର୍ଯ୍ୟନ୍ତ ତଥା ଏହା ପୂର୍ବରୁ ବୁକ ହୋଇଥିବା ଟ୍ରେନ ଟିକେଟ ବାତିଲ କରାଯାଇଛି। ଏହି ଟିକେଟର ପୂରା ରାଶି ଫେରସ୍ତ କରାଯିବ। ସୂଚନା ଥାଉ କି ଲକ୍ଡାଉନ୍ କାରଣରୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଆରମ୍ଭରୁ କେବଳ ମାଲବାହୀ ଟ୍ରେନ୍ ଚାଲିଥିବା ବେଳେ ପରେ ମେ’ ମାସ ୧ ତାରିଖ ଠାରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ ହୋଇଥିଲା।