ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ମାଳଦା (ଚତୁର୍ଭୁଜପୁର) ଗ୍ରାମରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଗ୍ରାମର ଶଶୀଲତା ମହାନ୍ତିଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏଥିରେ ଘରର ଆସବାବପତ୍ର ସହିତ ଧାନ, ଚାଉଳ ଓ ପକ୍କାଘର ନିର୍ମାଣ ପାଇଁ ରହିଥିବା ୪୦ହଜାର ଟଙ୍କା ପୋଡିଯାଇଥିବା ବେଳେ ଏକ ଗାଈ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଛି । ଏହାଛଡା ଆହୁରି୩ଗୋଟି ଗୋରୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ନିସ୍ତବ୍ଧ ରାତି ହୋଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ କେହିକିଛି ଜାଣିନପାରିବାରୁ ଏପରି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଖବରପାଇ ଦମକଳ ବାହିନୀ ଗାଁକୁ ଯାଇ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିବା ବେଳେ ଆଜି ସକାଳୁ ରାଜସ୍ୱ ବିଭାଗ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଶଶୀଲତା ମହାନ୍ତିଙ୍କ ପରିବାର ନାମମାତ୍ର ଚାଷୀ ଭାବେ ଜୀବନ ନିର୍ବାହ କରୁଥିବାବେଳେ ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇବାକୁ ସାଧାରଣରେ ଦାବି ହୋଇଛି ।