ଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମୀଭୂତ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ବନ୍ତ, (ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ବନ୍ତ ତହସିଲ ଓଡଙ୍ଗ ମହୁରୀ ସାହିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି । ସକାଳ ୯ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ସଦାନନ୍ଦ ମହୁରୀଙ୍କ ୩, ରଞ୍ଜନ ମହୁରୀଙ୍କ ୨, ଅଭିମନ୍ୟୁ ମହୁରୀଙ୍କ ୩, ସସ୍ମିତା ମହୁରୀଙ୍କ ୨ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଏଥିରେ ନଗଦ ଟଙ୍କା, ସୁନା ଗହଣା, ଆସବାବପତ୍ର ସମେତ ଆନୁମାନିକ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଖବର ପାଇ ଆଗରପଡା ଦମକଳ ବାହିନୀ ଘଟଣା ସ୍ଥଳରେ ନିଆଁକୁ ଆୟତ୍ତ କରିଥିଲା । ବିଦ୍ୟୁତ୍ ସଟ୍ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ଖବରପାଇ ତହସିଲଦାର ଇନ୍ଦିରା ସାହୁ, ଛୟାଳସିଂହ ରାଜସ୍ୱ ନୀରିକ୍ଷକ ପ୍ରତିମା ଦାସ ଘଟଣା ସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବା ସହ ବିପନ୍ନ ପରିବାରଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ପଲିଥିନ ଯୋଗାଇ ଦେଇଛନ୍ତି । ସରପଞ୍ଚ କିଶୋର କିଙ୍କର ପଢିଆରୀ ବିପନ୍ନ ପରିବାରକୁ ୭ ଦିନର ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି । ବିଜେଡି ରାଜ୍ୟ ସଂପାଦକ ପ୍ରୟାସକାନ୍ତି ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରୁପମା ରାଉତ, ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଳକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁ, ଶରତ ପଲାଇ, ଧନେଶ୍ୱର ପଢିଆରୀ, ରମାକାନ୍ତ ରାଉତ, ସରୋଜ ଜେନା, ଶଶୀକାନ୍ତ ଘଡାଇ, ମନୋଜ ସ୍ୱାଇଁ, ସମିତି ସଭ୍ୟ ଶଶିଭୂଷଣ ଜେନା, ନାରାୟଣ ଦାସ, ଲକ୍ଷ୍ମୀଧର ନାୟକ, ହରିହର ମଣ୍ଡଳ, ବସନ୍ତ ମହାନ୍ତି, ବିଜୟ ଜେନା, ଅଲେଖ ବାରିକ, ସୁବ୍ରତ ସ୍ୱାଇଁ, ହେମନ୍ତ ସ୍ୱାଇଁ, କାଳିଆ ସାହୁ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ବିପନ୍ନ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।


