ଅଘଟଣ ଘଟିଲେ ଦାୟୀ ହେବ କିଏ ? ଆଇନ୍‌ଜୀବୀଙ୍କ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ରାକ୍ଷୀ ପୂର୍ଣ୍ଣିମା ଆସୁଛି । ଏବେ ଠାରୁ କେନ୍ଦ୍ରାପଡ଼ା ସହରର ବିଭିନ୍ନ ସ୍ଥାନରେ ଯଥା ସାନ୍ତସାହି, ତିନି ମୁହାଣୀ, ପୁରୁଣା ବସଷ୍ଟାଣ୍ଡ, ସାନ ମଙ୍ଗଳା, ନୂଆ ବସଷ୍ଟାଣ୍ଡ, ମହିପାଳ ପ୍ରଭୃତିି ସ୍ଥାନରେ ରାକ୍ଷୀ ଷ୍ଟଲ ସବୁ ଖୋଲି ଗଲାଣି । କିନ୍ତୁ ଏହି ରାକ୍ଷୀ ଷ୍ଟଲ ପକାଇବା ପାଇଁ ପ୍ରଶାସନ ପାଖରୁ ଯେଉଁ ଅନୁମତି ଆଣିବା କଥା ତାହା ବ୍ୟବସାୟୀମାନେ ଆଣି ନଥିବା ଜଣାପଡିଛି । ତେଣୁ ଯଦି କୌଣସି ଅଘଟଣ ଘଟେ କିମ୍ବା ଷ୍ଟଲରେ ନିଆଁ ଲାଗି ଯାଏ ତେବେ କିଏ ଏଥିପାଇଁ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ କୌଣସି ଷ୍ଟଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ । ସେହିପରି ବିନା ଅନୁମତିରେ ଏହି ଷ୍ଟଲଗୁଡିକ ଖୋଲିଛି । ଷ୍ଟଲ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଥାନା, ପୌର ପ୍ରଶାସନ ଏବଂ ଅଗ୍ନିଶମ ବିଭାଗରୁ ଅନୁମତି ଆଣିବା କଥା । ହେଲେ ସେପରି ଅନୁମତି ନ ଆଣି ରାକ୍ଷୀ ଷ୍ଟଲ ସବୁ ଖୋଲାଯାଇଛି । ଏହି ଘଟଣାକୁ ନେଇ ସହରର ଜଣାଶୁଣା ବରିଷ୍ଠ ଆଇନ୍‌ଜୀବୀ ବିଧୁଭୂଷଣ ମହାପାତ୍ର ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି । ଆଇନ୍‌ଜୀବୀ ଶ୍ରୀ ମହାପାତ୍ର ତାଙ୍କ ଅଭିଯାଗରେ ଦର୍ଶାଇଛନ୍ତି ଯେ ଦୋକାନଗୁଡିକ ଅନୁମତି ନେଇ ଖୋଲିବା କଥା । ହେଲେ ବିନା ଅନୁମତିରେ ଦୋକାନ ଗୁଡିକ ଖୋଲାଯାଇଛି । ତେଣୁ କୌଣସି ଅଘଟଣ ଘଟିଲେ ପ୍ରଶାସନ ମୁଣ୍ଡରେ ଅଠା ବୋଳା ଯିବ । ତେଣୁ ପ୍ରଶାସନ ଏବେ ଠାରୁ ସତର୍କ ରହି ରାକ୍ଷୀ ଦୋକାନଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ସେମାନେ ପ୍ରଶାସନର ଗାଇଡ଼ଲାଇନ୍ ଅନୁସରଣ କରନ୍ତୁ ଅବା ଦୋକାନ ବନ୍ଦ କରନ୍ତୁ । କାରଣ ଏହି ଦୋକାନ ଗୁଡିକରେ କୌଣସି ଅଗ୍ନି ନିର୍ବାପକ ବ୍ୟବସ୍ଥା କରା ଯାଇନାହିଁ । ଯଦି କୌଣସି ଅଗ୍ନିକାଣ୍ଡ ଘଟେ ତେବେ ଦୋକାନୀ କ୍ଷତିଗ୍ରସ୍ତ ହେବା ସହ ସେହି ରାସ୍ତାରେ ଯିବା ଆସିବା କରୁଥିବା ଜନସାଧାରଣଙ୍କର ମଧ୍ୟ କ୍ଷୟକ୍ଷତି ହେବ । ତେଣୁ ପ୍ରଶାସନ ଏବେଠାରୁ ସତର୍କ ରହିବା ଜରୁରୀ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ