ଅଘୋଷିତ ବିଦ୍ୟୁତକାଟ ଜନଅସନ୍ତୋଷ ବୃଦ୍ଧି

ଚାରିଛକ (ଯୁଗାଦ୍ଧ ନିଜ୍ୟୁ) : ଖରାଦିନେ ବିଦ୍ୟୁତକାଟ ହେବନାହିଁ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲ ନୀତି ଯୋଗୁଁ ଅଞ୍ଚଳରେ ବାରମ୍ବାର ବିଜୁଳିକାଟ୍ ହେଉଥିବା ଜଣାପଡ଼ିଛି । ଆଗୁଆ ସୂଚନା ନଥାଇ ପ୍ରତିଦିନ ଘଣ୍ଟା ଘଣ୍ଟାଧରି ବିଜୁଳିକାଟ୍ ହେବା ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗ୍ରାମାଞ୍ଚଳରେ ଲୋ ଭୋଲଟେଜ ଯୋଗୁଁ ଫ୍ୟାନ ସବୁ ବୁଲୁ ନଥିବା ବେଳେ ପାଣି ଉଠାଇବା ପାଇଁ ଚାଷ ଜମିରେ ଓ ଘରେ ଲାଗିଥିବା ମଟର ଗୁଡିକ ଚାଲୁ ନଥିବା ଅଭିଯୋଗ ହେଉଛି । ପିଲାଙ୍କ ପାଠ ପଢାରେ ବାଧା ସୃଷ୍ଟି ହେଉଛି । କର୍ମଚାରୀ ଅଭାବ ଓ ପୁରୁଣା ତାରରେ ବିଦ୍ୟୁତ ସେବା ଚାଲିଥିବା ଯୋଗୁଁ ଏପରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲାପରେ ବି କୌଣସି ସୁଫଳ ମିଳୁନାହିଁ । ଚାରିଛକ, ଯୋଗେଶ୍ୱରପୁର, ତୁଳସୀପୁର ଓ ଏହାର ଆଖପାଖ ଅଞ୍ଚଳରେ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇବା ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ କେବଳ ହିତାଧିକାରୀଙ୍କଠାରୁ ମାସକୁ ମାସ ବିଲ୍ ଆଦାୟ କରାଯାଉଛି । ମାତ୍ର ହିତାଧିକାରୀଙ୍କୁ ସଠିକ ସେବା ଯୋଗାଇ ଦିଆଯାଉନଥିବା ନେଇ ଅନେକ ବିଦ୍ୟୁତ ଉପଭୋକ୍ତାଙ୍କଠାରୁ ଶୁଣିବାକୁ ମିଳୁଛି । ବିଶେଷକରିି ଚାରିଛକ ଓ ଏହାର ଆଖପାଖ ଅଞ୍ଚଳରେ କେତେକ ସ’ ମିଲ ଓ ଉଠା ଜଳସେଚନ ପାଇଁ ଚୋରା ବିଦ୍ୟୁତ ସଂଯୋଗ କରି ଚଲାଉଥିବାରୁ ଭୋଲଟେଜ ସମସ୍ୟା ଉପୁଜୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯଦି ଆଗକୁ ଏହିପରି ବାରମ୍ବାର ବିଦ୍ୟୁତକାଟ୍ ହୁଏ ତେବେ ଜନ ଆନ୍ଦୋଳନ ତେଜିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ତୁରନ୍ତ ସମସ୍ୟାର ସମାଧାନ ପାଇଁ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ