ଅଙ୍ଗନବାଡିରେ ଦାଦାଗିରି ଘଟଣା….
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ୧ନଂ ଅଙ୍ଗନବାଡି କେନ୍ଦ୍ରରେ ପସି ଜଣେ ଅଭିଭାବକଙ୍କ ଦାଦାଗିରି ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି । ଜଣେ ଅଭିଭାବକ ଅମାନୁଶିକ ଭାବେ ଜଣେ ଶିଶୁଙ୍କୁ ମାଡ ମାରିବାର ଭିଡିଓ ଭାଇରାଲ ହେବା ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସାରା ରାଜ୍ୟରେ ଆଜି ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଜି ପୁଲିସ ଓ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି । ସବୁ ସ୍ତରରେ ଏହି ଘଟଣାକୁ ନିନ୍ଦା କରାଯାଇଥିବାବେଳେ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହି ଘଟଣାପରେ ପରେ ଆଜି ଅଙ୍ଗନବାଡି କେନ୍ଦ୍ରକୁ ଶିଶୁମାନେ ଆସିନାହାନ୍ତି । ଶିଶୁମାନେ ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନେ ସୁରକ୍ଷିତ ନଥିବା ଆଶଙ୍କାରେ ଅଭିଭାବକମାନେ ସେମାନଙ୍କ ଶିଶୁ ମାନଙ୍କୁ ଛାଡି ନାହାନ୍ତି । ଗତକାଲି ରାତିରେ ଅଙ୍ଗନବାଡି କର୍ମୀ ଆନନ୍ଦପୁର ଥାନାରେ ମାଡ ମାରିଥିବା ଅଭିଭାବକ ସନାତନ ଘଡେଇ ନାମରେ ଅଭିଯୋଗ କରିଥିôଲେ । ଅଭିଯୋଗ ପାଇବାପରେ ଆଜି ସକାଳେ ଆନନ୍ଦପୁର ପୁଲିସ ଶିବନାରାୟଣପୁର ଗାଁରେ ପହଞ୍ଚି ତଦନ୍ତ କରିଥିବାବେଳେ ବିଡିଓ ସୁଶାନ୍ତ କୁମାର ବାରିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମାନସୀ ରଥ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ପ୍ରୋଗ୍ରାମ ଅଫିସର, ଅଙ୍ଗନବାଡି ସୁପରଭାଇଜର ପ୍ରମୁଖ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଘଟଣାର ତଦନ୍ତ କରିଛନ୍ତି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମଧ୍ୟ ଶିବନାରାୟଣପୁର ଗାଁକୁ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବାପରେ ଏହାର ଦୃଢ଼ ନିନ୍ଦା କରିଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହିତ ଉପଯୁକ୍ତ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଘଟଣାର ଏତେଦିନ ପର ପର୍ଯ୍ୟନ୍ତ କାହିଁକି ଅଭିଯୋଗ କରୁନଥିବା ସମ୍ପର୍କରେ ଅଙ୍ଗନବାଡି କର୍ମୀ ସୁବାସିନୀ ପ୍ରଧାନ କହିଛନ୍ତି ଯେ ମାଡ ମାରିଥିବା ଲୋକ ଜଣକ ବହୁତ ଦୁର୍ଦ୍ଦାନ୍ତ ଶ୍ରେଣୀର । ସେ ମାଡ ମାରୁଥିବା ସମୟରେ ମୁଁ ବାରଣ କରିଥିଲି । ମାତ୍ର ସେ ନମାନିବାରୁ ମୁଁ ବାଧ୍ୟହୋଇ ମାଡ ସମୟର ଭିଡିଓ ଉତ୍ତୋଳନ କରିଥିଲି ବୋଲି କହିଛନ୍ତି । ଭୟରେ ମୁଁ କୌଣସି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ସାହାସ ପାଇନଥିଲି ବୋଲି କହିଛନ୍ତି । ଏପରିକି ମାଡ ଖାଇଥିବା ଛାତ୍ରର ବାପା ଓ ମା ମଧ୍ୟ ଏବାବଦରେ ଜାଣି ନଥିଲେ । ଭିଡିଓ ଭାଇରାଲ ହେବାପରେ ଯାଇ ସେମାନେ ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ଯେ ଏହି ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘଦିନ ହେଲା ହେଲପର ନଥିବାରୁ ନାନା ସମସ୍ୟା ଦେଖା ଦେଉଛି । ତେଣୁ ପ୍ରଥମେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜଣେ ହେଲପର ନିଯୁକ୍ତିକୁ ପ୍ରାଥବିକତା ଦେବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନେ ଯଦି ସୁରକ୍ଷିତ ନୁହନ୍ତି ତେବେ ଆମେ କାହିଁକି ଅଙ୍ଗନବାଡିକୁ ଛୁଆ ପଠାଇବୁ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତ ୨ତାରିଖ ଦିନ ଶିଶୁମାନେ ଅଙ୍ଗନବାଡିକୁ ଯାଇଥିବାବେଳେ ପ୍ରମୋଦ ପାଳ ଓ ସନାତନ ଘଡେଇଙ୍କ ପୁଅ ମାନଙ୍କ ଭିତରେ ଏକ ଖେଳନା କଣ୍ଢେଇକୁ ନେଇ କଳିତକରାଳ ଲାଗିଥିଲେ । ସନାତନ ଘଡେଇଙ୍କ ପୁଅ ଘରକୁ ଦୌଡିଯାଇ ତାର ବାପାଙ୍କୁ ଏ ବାବଦରେ କହିବାରୁ ସନାତନ ଘଡେଇ ଅଙ୍ଗନବାଡି କେନ୍ଦ୍ରକୁ ଆସି କାହାରିକୁ କିଛି ନକହି ଭିତରେ ପସି ପ୍ରମୋଦ ପାଳଙ୍କ ପୁଅର ଗୋଡ ଦୁଇଟିକୁ ଧରି ଉପରକୁ ଟେକିଦେଇ ମାରିଦେବାକୁ ଧମକ ଦେବାସହ ଦୁଇ ଚାପୁଡା ମାରିଥିଲା । ଏହି ଭିଡିଓଟି ଭାଇରାଲ ହେବାପରେ ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ।