ଅଙ୍ଗନବାଡି କେନ୍ଦ୍ର ମରାମତିର ସଠିକ୍ ବିଲ୍ ପ୍ରଦାନ ନିମନ୍ତେ ଦାବି
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ର – ୧ ମରାମତି କାର୍ଯ୍ୟର ସଠିକ୍ ବିଲ୍ ପ୍ରଦାନ କରିବା ନେଇ ଅଂଚଳବାସୀ ଛତ୍ରପୁର ବିଧାୟକ ଓ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି କେନ୍ଦ୍ର ର ମରାମତି କାର୍ଯ୍ୟ ସରିଯାଇଥିଲେ ସୁଦ୍ଧା କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଏ ପର୍ଯ୍ୟନ୍ତ ସେମାନଙ୍କୁ ସଠିକ୍ ବିଲ୍ ମିଳିନଥିବାରୁ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବା ସହ ଏ ସଂପର୍କରେ ପଂଚାୟତର ତତ୍କାଳୀନ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅବଶିଷ୍ଠ ବିଲ୍ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ ମଧ୍ୟ ଉକ୍ତ କନିଷ୍ଠ ଯନ୍ତ୍ରୀ ଜାଣିଶୁଣି ଅବହେଳା କରିଥିଲେ ବୋଲି ବଡ ମାଧପୁର ଗ୍ରାମର ଏସ୍ ନାରାୟଣ ରେଡ୍ଡି, ଟି. ଶିବରାମ ରେଡ୍ଡି, ଏସ୍ ସୁଶାନ୍ତ ରେଡ୍ଡି ଅଭିଯୋଗ କରିଛନ୍ତି । ଏଣୁ ସେମାନଙ୍କ କାର୍ଯ୍ୟର ସଠିକ୍ ପ୍ରାପ୍ୟ ପ୍ରଦାନ କରିବା ନିମନ୍ତେ ଶୁକ୍ରବାର ପଂଚାୟତର ବିଭିନ୍ନ ପ୍ରକଳ୍ପ ଉଦଘାଟନ କାର୍ଯ୍ୟ ନିମନ୍ତେ ଗ୍ରାମକୁ ଆସିଥିବା ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ଭେଟି ଏ ସଂପର୍କରେ ସେମାନେ ଅବଗତ କରାଇଛନ୍ତି । ସେମାନେ କହିବା ଅନୁସାରେ ଉକ୍ତ ଅଙ୍ଗନବାଡି କେନ୍ଦ୍ର ମରାମତି ନିମନ୍ତେ ପଂଚାୟତ ପ୍ରତିନିଧି ମାନେ ସେମାନଙ୍କୁ କହିବା ପରେ ସେମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି କାର୍ଯ୍ୟ ନିମନ୍ତେ ୪ ଲକ୍ଷ ଟଙ୍କାର ଅନୁଦାନ ଥିଲେ ମଧ୍ୟ ସେମାନଙ୍କୁ ଅବଶିଷ୍ଠ ୧ ଲକ୍ଷ ଟଙ୍କା ର ବିଲ୍ ଏ ପର୍ଯ୍ୟନ୍ତ ମିଳିନାହିଁ । ଯାହା ଫଳରେ ଏହି କେନ୍ଦ୍ର ରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ଅବଶିଷ୍ଠ ଟଙ୍କା ଖୁବ୍ ଶୀଘ୍ର ପ୍ରଦାନ କଲେ ଅଙ୍ଗନବାଡି କେନ୍ଦ୍ର ର ଚାବିକୁ ହସ୍ତାନ୍ତ କରାଯିବ ବୋଲିି ମଧ୍ୟ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ।