ଅଙ୍ଗନୱାଡ଼ି କର୍ମୀ ସହାୟିକାଙ୍କ ଭତ୍ତା ବୃଦ୍ଧି ଦାବିରେ ବିଧାନସଭା ସମ୍ମୁଖରେ ଅହୋରାତ୍ର ଧାରଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ଏକଲକ୍ଷରୁ ଉର୍ଦ୍ଧ୍ୱ ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡ଼ି କର୍ମୀଙ୍କ ନ୍ୟାୟୋଚିତ ଦାବିରେ ଆଗାମୀ ଅକ୍ଟୋବର ୩ ତାରିଖରୁ ବିଧାନସଭା ସମ୍ମୁଖରେ ଆହୂତ ଅହୋରାତ୍ର ଧାରଣାକୁ ସଫଳ କରିବା ପାଇଁ ରବିବାର ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ତରଫରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବୈଠକରେ ଆହ୍ୱାନ ଦିଆଯାଇଛି । ଲକ୍ଷ୍ମୀପ୍ରିୟା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗତ ମାର୍ଚ୍ଚମାସ ବଜେଟ ଅଧିବେଶନ ସମୟରେ ଆନ୍ଦୋଳନ ଡ଼ାକରା ପରିପ୍ରେକ୍ଷୀରେ ମହିଳା ଓ ଶିଶୁବିକାଶ ବିଭାଗ ତରଫରୁ ଆହୂତ ବୈଠକରେ ଭତ୍ତା ବୃଦ୍ଧି ଓ ଅନ୍ୟାନ୍ୟ ଦାବିଗୁଡ଼ିକ ଉପରେ ପ୍ରତିଶ୍ରୁତି ମିଳିବା ପରେ ପ୍ରସ୍ତାବିତ ଆନ୍ଦୋଳନ ସ୍ଥଗିତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦାବି ପୂରଣ କରାଗଲା ନାହିଁ । ତେଣୁ ତୁରନ୍ତ ଦାବି ପୂରଣ ସହିତ ପ୍ରାଥମିକ ଶିକ୍ଷକମାନଙ୍କ ନ୍ୟାୟୋଚିତ ଦାବି ନେଇ ଚାଲିଥିବା ଆନ୍ଦୋଳନକୁ ଦୃଢ ସମର୍ଥନ କରିବା ସହ ଆନ୍ଦୋଳନକୁ ବିଭେଦଗ୍ରସ୍ତ କରିବା ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କୁ ନିୟୋଜିତ କରିବାକୁ ତୀବ୍ର ନିନ୍ଦା କରିବା ସହ ଶିକ୍ଷାନୁଷ୍ଠାନ ଚଳାଇବାରେ ଅଙ୍ଗନୱାଡ଼ି କର୍ମୀ ଭାଗିଦାରୀ ନହେବା ପାଇଁ ନିଷ୍ପତ୍ତି ହୋଇଥିଲା ।ପ୍ରକାଶଥାଉକି, ଗତ ୨୦୧୭ ମସିହାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯାହା ଭତ୍ତା ବୃଦ୍ଧି କରିଥିଲେ ତାହା ସମୁଦ୍ରକକୁ ଶଙ୍ଖେ । ଦରଦାମ ହୁ ହୁ ହୋଇ ବଢି ଚାଲିଥିଲା ବେଳେ ସ୍ୱଳ୍ପ ଦରମାରେ ଚଳିବା କଷ୍ଟକର । ଅପରପକ୍ଷରେ ୬ ପ୍ୟାକେଜ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଅଙ୍ଗନୱାଡ଼ି କର୍ମୀଙ୍କୁ ନିୟୋଜିତ ନ କରିବା ପାଇଁ ନିଷ୍ପତ୍ତି ଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ ଏବଂ ସୋସିଆଲ ଅଡ଼ିଟ ନାଁରେ ଗ୍ରାମାଞ୍ଚଳରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଦତ୍ତ ମୋବାଇଲ ଫୋନ୍ ନିମ୍ନମାନର ହୋଇଥିବାରୁ ସମସ୍ତ ଜିନିଷ ଅପଲୋଡ଼ କରିବାରେ ସମସ୍ୟା ଦେଖାଦେଇଛି । ଦରଦାମ ହୁ ହୁ ହୋଇ ବଢି ଚାଲିଥିଲା ବେଳେ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ପାଇଁ ସରକାରଙ୍କ ଧାର୍ଯ୍ୟ ଦରରେ ଚଳାଇବା ସମ୍ଭବ ନୁହେଁ ।ଏହି ପରିପ୍ରେକ୍ଷୀରେ ପ୍ରତିଶ୍ରୁତି ଅନୁସାରେ ଭତ୍ତା ବୃଦ୍ଧି, ଶତ ପ୍ରତିଶତ ସୁପରଭାଇଜର ପ୍ରମୋଶନ, ବଜାର ଦର ଅନୁସାରେ ଏସ୍ଏନ୍ପିର ଦର ସଂଶୋଧନ, ସୋସିଆଲ ଅଡ଼ିଟ ପ୍ରଥା ବନ୍ଦ କରିବା, ଅଘୋଷିତ ଭାବେ ବନ୍ଦ କରାଯାଇଥିବା ୫ ବର୍ଷ ଓ ୧୦ ବର୍ଷର ଇନକ୍ରିମେଣ୍ଟ ପ୍ରଦାନ, ଚାକିରିର ବୟସସୀମା ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି, ପେନସନ ପ୍ରଦାନ, ଅବସରକାଳୀନ ସହାୟତା ୪୦ ହଜାର ପରିବର୍ତ୍ତେ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଜାତୀୟ ଶ୍ରମ ସମ୍ମିଳନୀର ନିଷ୍ପତ୍ତି ଅନୁସାରେ ୱାର୍କର ମାନ୍ୟତା, ୨୦୦୧ କେନ୍ଦ୍ର ସରକାରଙ୍କ ସୁପାରିଶ ଅନୁସାରେ ଏଏନ୍ଏମ୍ ଓ ପ୍ରାଥମିକ ଶିକ୍ଷକ ନିଯୁକ୍ତି ନିମନ୍ତେ କୋଟା ଧାର୍ଯ୍ୟ ଆଦି ଦାବି ଉପରେ ଧାରଣା ଅନୁଷ୍ଠିତ ହେବ ।ଏହି ବୈଠକରେ ଏଆଇଟିୟୁସିର ସାଧାରଣ ସମ୍ପାଦକ ବିଜୟ ଜେନା, ସଂଘର ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ, ସୌଦାମିନୀ ଦାସ, ଲକ୍ଷ୍ମୀପ୍ରିୟା ମହାପାତ୍ର, ନର୍ମଦା ନାୟକ, ସନ୍ଧ୍ୟାରାଣୀ ସୁବୁଦ୍ଧି, ଜ୍ୟୋତ୍ସ୍ନାମୟୀ ସାମନ୍ତରାୟ, କମଳା ମୁର୍ମୁ, ମାଣିକେଶ୍ୱରୀ ପଟ୍ଟନାୟକ, ମନୋରଞ୍ଜନ ପରିଡ଼ା, ଲୋଭାସିନୀ ସ୍ୱାଇଁ, ପ୍ରମିଳା ବିଶୋୟୀ, ପଙ୍କଜିତା ଶବର, ସ୍ୱର୍ଣ୍ଣଲତା ପ୍ରଧାନ, ମାନସୀ ପ୍ରଧାନ, ରଞ୍ଜୁରାଣୀ ବେହେରା, କବିତା ସେଠୀ, ବାସନ୍ତୀ ସ୍ୱାଇଁ, ଆରତି ଦାସ ମହାପାତ୍ର, ରମ୍ଭାବତୀ ପ୍ରଧାନ, ଲକ୍ଷ୍ମୀପ୍ରିୟା ପ୍ରଧାନ ପ୍ରମୁଖ ଆଲୋଚନା କରି ଆଗାମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।