ଅଙ୍ଗନୱାର୍ଡୀ କର୍ମୀଙ୍କ ଆତ୍ମହତ୍ୟା;କାରଣ ଅସ୍ପଷ୍ଟ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ବାଂଶ ପଂଚାୟତ ଅନ୍ତର୍ଗତ ଚାନ୍ଦପୁରା ଗ୍ରାମର ଅର୍ଜ୍ଜୁନ ସ୍ୱାଇଁଙ୍କ ପତ୍ନୀ ନମିତା ଲେଙ୍କା ଶନିବାର ସକାଳ ସମୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି । କେଉଁ କାରଣକୁ ନେଇ ନମିତା ଆତ୍ମହତ୍ୟା କରିଛନ୍ତି ତାର କାରଣ ଏବେବି ଅସ୍ପଷ୍ଟ ରହିଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ନମିତା ସବୁ ଦିନ ପରି ତାଙ୍କର ନିତ୍ୟ କର୍ମ ସାରି ସ୍ୱାମୀ ଓ ଶ୍ୱଶୁରଙ୍କୁ ଚା ପିଇବା ପାଇଁ ଦେଇଥିଲେ । ସେମାନେ ଚା ପିଇ ଧାନ କାଟିବା ପାଇଁ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ ଘରେ ତାଙ୍କର ୨ ପୁଅ ଓ ନଣନ୍ଦ ରହିଥିଲେ । ୨ପୁଅ ଶୋଇଥିବା ବେଳେ ନମିତା ତାଙ୍କୁ ଆଗପଟ କବାଟ ତାଲା ଦେବା ସହ ନଣନ୍ଦଙ୍କୁ ପଡିଶା ଘରକୁ କ୍ଷୀର ଆଣିବା ପାଇଁ ପଠାଇଥିଲେ । ନଣନ୍ଦ କ୍ଷୀର ଆଣି ଆସିବା ବେଳକୁ ନିମିତା ବେକରେ ରଶି ଲଗାଇଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ସେ ପଡିଶା ଲୋକଙ୍କୁ ଡାକ ପକାଇଥିଲେ । ପଡିଶା ଲୋକ ନମିତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କ ବାପଘର ତିହୁଡା ଗ୍ରାମରୁ ଅଧିକାଂଶ ଲୋକ ଆସି ରୁଣ୍ଡ ହୋଇଥିଲେ । ନମିତା ଜଣେ ଶାନ୍ତ ସ୍ୱଭାବ ଚରିତ୍ରର ହୋଇଥିବା ବେଳେ ସେ କିପରି ଆତ୍ମହତ୍ୟା କଲା ସେ କଥାକୁ କେହି ସହଜରେ ବିଶ୍ୱାସ କରି ପାରୁ ନଥିଲେ । ଘଟଣାସ୍ଥଳରେ ନାଉଗାଁ ଥାନାରୁ ଏଏସଆଇ ଅଶୋକ ମହାନ୍ତି ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ନମିତାଙ୍କ ସ୍ୱାମୀ ଅର୍ଜ୍ଜୁନ ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିଥିବା ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଅଭିଯୋଗକୁ ଭିତି କରି ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ ନମିତାଙ୍କ ବାପ ଘର ନାଉଗାଁ ପଂଚାୟତର ତିହୁଡା ଗ୍ରାମ ହୋଇଥିବା ବେଳେ ସେ ସେହି ଗ୍ରାମରେ ଦୀର୍ଘ ୨୦ ବର୍ଷ ହେବ ଅଙ୍ଗନୱାର୍ଡୀ କର୍ମୀ ଭାବେ କାର୍ଯ୍ୟ କରନ୍ତି । ସେ ୧୮ବର୍ଷ ତଳେ ଅର୍ଜ୍ଜୁନଙ୍କୁ ବୈଦିକ ରୀତିରେ ବିବାହ କରିଥିବା ବେଳେ ତାଙ୍କର ୨ ପୁଅ ରହିଛନ୍ତି । କେଉଁ କାରଣରୁ ନିମିତା ଆତ୍ମହତ୍ୟା କରିଛନ୍ତି ସେ ବିଷୟରେ ତଦନ୍ତ ଚାଲିଥିବା ଥାନାଧିକାରୀ ଭରତ କୁମାର ବେହେରା ପ୍ରକାଶ କରିଛନ୍ତି । ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ନମିତାଙ୍କ ବାପଘର ପକ୍ଷରୁ କୌଣସି ଅଭିଯୋଗ ପ୍ରଦାନ କରାଯାଇ ନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ